ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗଭୀର ଅବପାତ ପରେ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି । ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ତଳିଆ ଅଞ୍ଚଳରେ ପାଣି ପଶିଯିବାରୁ ବନ୍ୟା ସ୍ଥିତି ଉପୁଜିଛି । ସାଳନ୍ଦୀ, ବୈତରଣୀ, ଜଳକା ବିପଦ ସଙ୍କେତ ଉପରେ ରହିଛି । ଏହି ନଦୀ ଗୁଡିକରେ ବନ୍ୟା ଆର୍ଲଟ ଜାରି କାରାଯାଇଛି । ଉତ୍ତର ଓଡିଶାରେ ବନ୍ୟାର ଆଶଙ୍କା ବଢିଛି । ସନ୍ଧ୍ୟା ସୁଦ୍ଧା କେତେକ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି । ବିଭାଗ ପକ୍ଷରୁ କୁହାଯାଇଛି ଯେ, ବୈତରଣୀ ନଦୀରେ ଜଳସ୍ତର ବଢ଼ିଲେ ଚାନ୍ଦବାଲି, ଧାମନଗର ଓ ଯାଜପୁର ଅଞ୍ଚଳ ପ୍ରଭାବିତ ହୋଇପାରେ। ସେହିପରି ଜଳକା ନଦୀର ବନ୍ୟା ଜଳ ଯୋଗୁଁ ବସ୍ତା ଓ ବାଲେଶ୍ୱର ସଦର ଅଞ୍ଚଳରେ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।
ତେବେ ମହାନଦୀ ଅବବାହିକାରେ ବର୍ତ୍ତମାନ ସୁଦ୍ଧା କୌଣସି ବନ୍ୟା ଆଶଙ୍କା ନଥିବା ବିଭାଗ ସ୍ପଷ୍ଟ କରିଛି। ସେପଟେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ରାଜ୍ୟରେ ଗତ ୨୪ ଘଣ୍ଟାରେ ହାରାହାରି ୪୭.୨ ମିମି ବର୍ଷା ହୋଇଛି । ଯାହାକି ସ୍ୱଭାବିକ ଠାରୁ ଅଧିକ । ୮ଟି ବ୍ଲକରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଛି । ହୀରାକୁଦରେ ମାତ୍ର ୨ଟି ଗେଟ୍ ଖୋଲା ଅଛି । ନରାଜରେ ୭ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ଯାହା ଚିନ୍ତାର କାରଣ ନାହିଁ । ଜଳକା ଛାଡ଼ିଦେଲେ ମହାନଦୀ, ବୈତରଣୀ, ସାଳନ୍ଦୀ ବିପଦ ସଙ୍କେତ ତଳେ ରହିଛି । ସୁନ୍ଦରଗଡ଼, ବାଲେଶ୍ବର ଓ ଭଦ୍ରକରେ ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ମୁତୟନ ହୋଇଛନ୍ତି । ତଳିଆ ଅଞ୍ଚଳ ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥାନାନ୍ତର ଆରମ୍ଭ ହୋଇଗଲାଣି।
ଏଥିସହିତ ବନ୍ୟା ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ ହେଉଛି । ଗତ ୨୪ ଘଣ୍ଟା ଧରି ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବାରୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଛି। ବାଲେଶ୍ୱର ସହରରେ ସର୍ବାଧିକ ୨୪୬.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ନୀଳଗିରିରେ ୨୩୯ ମିଲିମିଟର, ଜୟପୁରରେ ୨୩୬.୮ ମିଲିମିଟର, ରେମୁଣାରେ ୨୨୨ ମିଲିମିଟର, ଗୋବିନ୍ଦପୁରରେ ୨୧୩.୮ ମିଲିମିଟର ଏବଂ ରାଜଘାଟରେ ୨୦୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପରିସ୍ଥିତି ଉପରେ ପ୍ରଶାସନ ସତର୍କ ନଜର ରଖିଥିବା ବେଳେ ନଦୀକୂଳିଆ ଅଞ୍ଚଳବାସୀଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।
