ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି। ଫଳରେ ରାଜ୍ୟକୁ ଏବେ ଲଘୁଚାପ ପ୍ରଭାବ ନ ଥିବାରୁ ବର୍ଷା କମିଛି। କେଉଁଠି ଝିପି ଝିପି ତ ଆଉ କେଉଁଠି ଅସରାଏ ଦି’ ଅସରା ବର୍ଷା ହେଉଛି। ଏବେ ସେପରି ବଡ଼ ଧରଣର ବର୍ଷା ସମ୍ଭାବନା ନ ଥିବାବେଳେ ଆସନ୍ତା ୭ ଦିନଯାଏ ଏ ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୯ ତାରିଖ ବେଳକୁ ବର୍ଷା ବଢ଼ିବା ସମ୍ଭାବନା ଥିବାରୁ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଗତ ୨୪ ଘଣ୍ଟାରେ କୋରାପୁଟ ଜିଲା ବୋରିଗୁମାରେ ସର୍ବାଧିକ ୩୬ ମିମି ବର୍ଷା ହୋଇଥିବା ବେଳେ ନୟାଗଡ଼ ଜିଲା ଦଶପଲ୍ଲାରେ ୭.୯ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଗୁରୁବାର ପୁରୀରେ ରାଜ୍ୟର ସର୍ବାଧିକ ୩୪.୮ ଡିଗ୍ରୀ ସେଲ୍ସିୟସ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ବୌଦ୍ଧରେ ତାପମାତ୍ରା ସର୍ବନିମ୍ନ ୧୯ ଡିଗ୍ରୀ ରହିଥିଲା ।
ସେପ୍ଟେମ୍ବର ୩ରୁ ୯ ଓ ୧୦ରୁ ୧୬ ତାରିଖ ପାଇଁ ପାଣିପାଗ ପୂର୍ବାନୁମାନ ଜାରି ହୋଇଛି । ଏହି ଆକଳନ ବିଶ୍ଳେଷଣରୁ ଅନୁମାନ କରାଯାଉଛି, ଆସନ୍ତା ୯ ତାରିଖ ପାଖାପାଖି ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ସେଇ ଅଞ୍ଚଳ ଉପରେ ୧୩ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ସମ୍ଭାବ୍ୟ ଲଘୁଚାପ ଯୋଗୁ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଅଛି । ଓଡ଼ିଶା ସମେତ ଝାଡ଼ଖଣ୍ଡରେ ବି ପ୍ରବଳ ବର୍ଷା ହୋଇପାରେ ।
