କଳାହାଣ୍ଡି(ବଡ଼ ଖବର ବ୍ୟୁରୋ): କଳାହାଣ୍ଡି ଜିଲ୍ଲା ସଦର ଥାନା କାର୍ଲାସୋଡା ଗାଁରେ ଘଟିଛି ଅଭାବନୀୟ ଘଟଣା । କପଡ଼ା ଶୁଖାଇବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମାଆ ଓ ଝିଅଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ । ମୃତକମାନେ ହେଲେ କାର୍ଲାସୋଡା ଗାଁର ଲଳିତା ନାଏକ୍ ଏବଂ ତାଙ୍କ ଝିଅ ଶୀତଳ ନାଏକ୍। ଲଳିତା ନାଏକ୍ ଘରେ କପଡ଼ା ଶୁଖାଇବା ସମୟରେ ହଠାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ। ମା’ଙ୍କୁ ଗରୁତର ଅବସ୍ଥାରେ ଦେଖି ଝିଅ ଶୀତଳ ନାଏକ୍ ତାଙ୍କୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ।
ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହି ଘଟଣା ପରେ ପରିବାରବର୍ଗ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଉଭୟ ମା’ ଓ ଝିଅଙ୍କ ମୃତଦେହକୁ ନେଇ ଗ୍ରାମବାସୀମାନେ ସିଧାସଳଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଥିବାବେଳେ ପ୍ରଶାସନ ପକ୍ଷରୁ ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରହିଛି।
