ପୁରୀ (ବଡ଼ ଖବର ବ୍ୟୁରୋ): ଜନ୍ମବେଦିରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ବିଗ୍ରହ । ଆଜିଠାରୁ ଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା । ଜନ୍ମବେଦିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ । ରାତି ସାଢ଼େ ୧ଟାରେ ହେବ ଶ୍ରୀଜିଉଙ୍କ ରାତ୍ର ପହୁଡ଼ । ୨୦ ତାରିଖରେ ହେରାପଞ୍ଚମୀ ନୀତି, ୨୧ରେ ରଥ ଦକ୍ଷିଣମୋଡ଼ । ୨୩ରେ ସନ୍ଧ୍ୟା ଦର୍ଶନ, ୨୪ରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା । ୨୫ରେ ସୁନାବେଶ, ୨୬ରେ ଅଧର ଓ ଗରୁଡ଼ ଶୟନ ନୀତି । ୨୭ ତାରିଖରେ ନୀଳାଦ୍ରି ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ। ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି। ଶ୍ରଦ୍ଧାଳୁ କିଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେନେଇ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ।
ଗତକାଲି ଭକ୍ତିମୟ ପରିବେଶରେ ଜନ୍ମବେଦୀକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ଶ୍ରୀରାମ, ଶ୍ରୀକୃଷ୍ଣ ଓ ମଦନମୋହନ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ। ପରେ ପ୍ରଭୁ ସୁଦର୍ଶନ, ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଜନ୍ମବେଦିକୁ ବିଜେ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଟାହିଆ ଲଗେଇ ଝୁଲିଝୁଲି ଗୁଣ୍ଡିଚା ବାଡ଼ିରେ ପ୍ରବେଶ କରିଥିଲେ। ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ଶ୍ରୀକ୍ଷେତ୍ର। ଅପରାହ୍ଣ ୩ଟା ୩୦ରୁ ସନ୍ଧ୍ୟା ୭ଟା ୩୫ ମଧ୍ୟରେ ରଥରେ ଭୋଇ ସେବକମାନେ ଚାରମାଳ ବାନ୍ଧିଥିଲେ । ପହଣ୍ଡି ପୂର୍ବରୁ ରଥ ଉପରେ ସିଂହାସନ ମାଜଣା ହୋଇ ୭ଟା ୪୦ରୁ ୭ଟା ୫୦ ମଧ୍ୟରେ ତିନି ରଥରେ ପୁଷ୍ପାଞ୍ଜଳି ଅର୍ପଣ ହେଲା । ପରେ ବିଜେ କାହାଳି ବାଜି ପହଣ୍ଡି ଆରମ୍ଭ ହେଲା । ଘଣ୍ଟ ଓ ମାଦଳର ଧ୍ୱନି ସାଙ୍ଗକୁ ଶରଧାବାଲିରେ ଉପସ୍ଥିତ ହଜାର ହଜାର ଭକ୍ତଙ୍କ ହରିବୋଲ ହୁଳହୁଳି ଧ୍ୱନିରେ ଶରଧାବାଲି ପ୍ରକମ୍ପିତ ହୋଇଥିଲା । ପ୍ରଥମେ ଶ୍ରୀରାମକୃଷ୍ଣ ଓ ଶ୍ରୀମଦନମୋହନଙ୍କୁ ପହଣ୍ଡି କରାଇ ନେଇ ଆଡ଼ପମଣ୍ଡପରେ ବିଜେ କରାଯାଇଥିଲା । ପରେ ଦେବୀସୁଭଦ୍ରାଙ୍କ ରଥରୁ ଶ୍ରୀସୁଦର୍ଶନ ଦେବଙ୍କୁ ପହଣ୍ଡି କରାଇ ନିଆଗଲା । ପରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହେଲା ବେଳକୁ ସାଢ଼େ ୮ଟା ଡେଇଁଥିଲା । ପରେ ମା’ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା ।
ଗୋଟି ପହଣ୍ଡି କ୍ରମେ ଶ୍ରୀଜିଉ ଗୁଣ୍ଡିଚାଘର ଆଡ଼ପମଣ୍ଡପରେ ବିଜେ ହୋଇଥିଲେ । ଦଇତାପତି ସେବକମାନେ ସିଂହାସନରେ ଶ୍ରୀବିଗ୍ରହଙ୍କୁ ରୁନ୍ଧିଥିଲେ । ପରେ ବିଳମ୍ୱିତ ରାତିରେ ଠାକୁରଙ୍କ ସ୍ୱତନ୍ତ୍ର ନୀତି ହୋଇଥିଲା । ଆଜିଠାରୁ ଶ୍ରଦ୍ଧାଳୁମାନେ ଶ୍ରୀଗୁଣ୍ଡିଚାଘରେ ଠାକୁରଙ୍କ ଆଡ଼ପମଣ୍ଡପ ଦର୍ଶନ ସମେତ ଆଡ଼ପ ଅବଢ଼ା ପାଇବେ । ଆସନ୍ତା ୨୦ ତାରିଖ ସୋମବାର ହେରାପଞ୍ଚମୀ ନୀତି ହେବ । ୨୧ ତାରିଖ ମଙ୍ଗଳବାର ତିନି ରଥ ଦକ୍ଷିଣମୋଡ଼ ହେବ । ୨୩ ତାରିଖ ଗୁରୁବାର ସନ୍ଧ୍ୟା ଦର୍ଶନ ହେବ । ସେହିଦିନ ପର୍ଯ୍ୟନ୍ତ ଭକ୍ତମାନେ ଠାକୁରଙ୍କୁ ଆଡ଼ପମଣ୍ଡପରେ ଦର୍ଶନ କରିବେ । ୨୪ ତାରିଖ ଶୁକ୍ରବାର ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ା ବିଜେ କରିବେ । ୨୫ ତାରିଖ ଶନିବାର ଦାରୁବ୍ରହ୍ମଙ୍କ ସୁନାବେଶ ଓ ଶ୍ରୀହରି ଶୟନ ଏକାଦଶୀ ନୀତି । ୨୬ ତାରିଖ ରବିବାର ରଥରେ ଅଧର ଓ ଗରୁଡ଼ ଶୟନ ନୀତି ହୋଇ ୨୭ ତାରିଖ ସୋମବାର ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ ।
