ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କହିଁପେ’ ନିଗାହେଁ, କହିଁପେ’ ନିଶାନା” ବଲିଉଡର ଏହି ଚର୍ଚ୍ଚିତ ହିନ୍ଦୀ ଗୀତଟି ଶୁଣିବାକୁ ଯେତେ ସୁମଧୁର ଏହାର ସାରମର୍ମ ବି ସେତେ ତାତ୍ପର୍ଯ୍ୟପୂର୍ଣ୍ଣ । ଗୀତଟିକୁ ଯଦି ଆପଣ ବାରମ୍ବାର ଶୁଣିବେ ତା’ହେଲେ ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ କାର୍ଯ୍ୟକଳାପ ଠିକ ସେହି ମାର୍ଗରେ ଯାଉଥିବା ମନେ ହେବ ।

ପ୍ରଶାସନିକ ଦକ୍ଷତା ଥିବା ଅସିତ ତ୍ରିପାଠୀ ଏବେ ତିନୋଟି ପଦବୀରେ ଅଛନ୍ତି । ଗୋଟିଏ ବେସରକାରୀ ଅର୍ଥାତ ଓଡିଶା ଗଲ୍ଫ କ୍ଲବର ରାଜ୍ୟ ସଭାପତି । ଅନ୍ୟ ଦୁଇଟି ସରକାରୀ ଓ ଗୁରୁତ୍ୱପୂର୍ଣ୍ଣ ପଦବୀ । ତାହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଓ ପଶ୍ଚିମ ଓଡିଶା ବିକାଶ ପରିଷଦ(ଡବ୍ଲ୍ୟୁଡିସି)ର ଅଧ୍ୟକ୍ଷ । ତେବେ ଡବ୍ଲ୍ୟୁଡିସିର ଅଧ୍ୟକ୍ଷ ପଦବୀ ଏକ ସମ୍ବିଧାନିକ ପଦବୀ ଏବଂ କ୍ୟାବିନେଟ ପାହ୍ୟାର । ଏଭଳି ତିନି ପଦବୀରେ ଥାଇ ଅସିତ ବାବୁ ଏବେ ବେସରକାରୀ “ଭୁବନେଶ୍ୱର କ୍ଲବ ଲିମିଟେଡ଼ (ପୂର୍ବ ନାମ – ଆଇଏଏସ କ୍ଳବ)ର ନୂଆ ସଭାପତି ହେବାକୁ ‘ଲବି’ ଆରମ୍ଭ କରିଥିବା ଶୁଣାଯାଉଛି । ତାଙ୍କ ନିକଟତମ ଲୋକେ ବି ତାଙ୍କ ନାଁକୁ ନେଇ ପ୍ରଚାର କରୁଛନ୍ତି ।ହେଲେ ଅସିତ ବାବୁ ନିଜେ କୌଣସି ଅନୁଷ୍ଠାନିକ ଘୋଷଣା କରି ନାହାନ୍ତି ।

ଯଦି ପ୍ରଚାରିତ କଥା ସତ, ତାହାଲେ ସାଙ୍ଘାତିକ । ଅସିତ୍ ବାବୁ ଏବେ ଦୁଇଟି ଅତି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥାଇ ଗୋଟିଏ ବେସରକାରୀ କ୍ଲବର ସଭାପତି ପାଇଁ କସରତ କରିବା ସରକାରଙ୍କ ଭାବମୂର୍ତ୍ତି ଉପରେ ପ୍ରଶ୍ନ ଉଠିପାରେ । ସଭାପତି ହେବା ପରେ ସେ କିଭଳି ନିରପେକ୍ଷ ପରାମର୍ଶ ଦେବେ? କାହିଁକି ସଭାପତି” ପଦ ପାଇଁ ସେ ଲସରପସର? ଏହାର ଉତ୍ତର କେତେକ ଜାଣିବାକୁ ଚାହିଁଛନ୍ତି କି?ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ “ଆଇଏଏସ କ୍ଲବ” ପ୍ରତିଷ୍ଠା ହୋଇଥିଲା । ପ୍ରଶାସନିକ ଅଧିକାରୀ ସଭ୍ୟ ହେଉଥିଲେ । ସେବେଠାରୁ ପ୍ରାୟ କୋଡିଏ ବର୍ଷ ଯାଏ ମୁଖ୍ୟ ଶାସନ ସଚିବମାନେ କ୍ଲବର “ଏକ୍ସ ଅଫିସିଓ ସଭାପତି” ହେଉଥିଲେ । ପରେ କ୍ଲବ ନାଁ ବଦଳି’ଭୁବନେଶ୍ୱର କ୍ଲବ ଲିମିଟେଡ଼ ‘ ହେଲା । କ୍ଲବରେ ବାହାର ଲୋକ ପ୍ରବେଶ ପରେ ମୁଖ୍ୟ ସଚିବମାନେ ଓହରି ଗଲେ । ଏବେ କ୍ଲବର ସମ୍ପତ୍ତି କମ ନାହିଁ । ଆଇଏଏସ ପ୍ରିୟବ୍ରତ ପଟ୍ଟନାୟକ ସଭାପତି ହେବା ପରେ କ୍ଲବର ବ୍ୟାଙ୍କ ବାଲାନ୍ସ ବି ବଢିଥିଲା । ତାଙ୍କ ପରେ ସ୍ଥାୟୀ ସଭାପତି କେହି ନାହାନ୍ତି । ତେଣୁ ଅସିତ ବାବୁ ମନ ବଳାଇବା ସ୍ୱାଭାବିକ ବୋଲି କିଛି ଲୋକ ମତ ପ୍ରକାଶ କରୁଛନ୍ତି ।

Leave a Reply

Your email address will not be published. Required fields are marked *