ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ଦ୍ୱିତୀୟ ଲହରରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ । ରାଜ୍ୟ ସରକାର ଲକଡାଉନ କଟକଣାକୁ ବୃଦ୍ଧି କରିଛନ୍ତି । ଜୁନ୍ ୧ ସକାଳ ୫ ପର୍ଯ୍ୟନ୍ତ ଲକଡାଉନ ଜାରି ରହିବ । ଅର୍ଥାତ ଜୁନ୍ ପହିଲା ଯାଏଁ ଆପଣ ଘରୁ ବାହାରିବା ଉପରେ ଅଙ୍କୁଶ ଲାଗିଛି । କରୋନା ସଂକ୍ରମଣକୁ ରୋକିବାକୁ, ଭୂତାଣୁର ଚେନ୍ ଭାଙ୍ଗିବାକୁ ସରକାର ଏହି ରଣନୀତି ଆପଣାଇଛନ୍ତି । ବର୍ତ୍ତମାନ ସମୟରେ ନିଃସନ୍ଦେହରେ ଏହା ଛଡ଼ା ସରକାରଙ୍କ ପାଖରେ କିଛି ବିକଳ୍ପ ନାହିଁ । କିନ୍ତୁ ଖାଲି ଲକଡାଉନ ବଢାଇବା ହିଁ ସରକାରଙ୍କ କାମ କି? ଲକଡାଉନ ଲାଗୁ ହେଲେ ସାଧାରଣ ଲୋକଙ୍କ ଉପରେ ଏହାର କ’ଣ ପ୍ରଭାବ ପଡ଼େ ତାହା ପ୍ରଥମ ଲକଡାଉନ ବେଳେ ସାରା ଦେଶ ଦେଖିଛି । କିଭଳି ଭାବେ ଗରିବ, ମଧ୍ୟବିତ୍ତ ଲୋକେ ରୋଜଗାର ହରାଇ ତଳିତଳାନ୍ତ ହୋଇଛନ୍ତି ଓ ତାହାର ଦୁଃଖ ଆଜି ଯାଏଁ ବି ଯାଇ ନାହିଁ, ତାହା ବି ସମସ୍ତେ ଜାଣିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଲକଡାଉନ ଅପ୍ରତ୍ୟାଶିତ ଥିଲା । ଅଚାନକ ଲଗାଇବାକୁ ସରକାର ବାଧ୍ୟ ଥିଲେ । ଏହାର କ୍ଷତି ରୋକିବାକୁ କୌଣସି ପ୍ରସ୍ତୁତି କରାଯାଇ ନ ଥିଲା ।

 ତେବେ ଲୋକଙ୍କ ରୋଜଗାର ନାଁରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏହା ଭିତରେ ବର୍ଷେରୁ ଅଧିକ ସମୟ ହୋଇଗଲାଣି । ହେଲେ ରୋଜଗାର କେତେ ସୃଷ୍ଟି ହେଲା, ତାହାର ଉତ୍ତର କାହାରି ପାଖରେ ନାହିଁ । କେଉଁ ଗରିବ ଲାଭ ପାଇଲା, ତାହାର ହିସାବ ବି କାହାରି ପାଖରେ ନାହିଁ । ଦ୍ୱିତୀୟ ପର୍ଯ୍ୟାୟ ବେଳକୁ ମଧ୍ୟ ସରକାର କିଛି ବି ପ୍ରସ୍ତୁତି କରିବା ଭଳି ଲାଗିଲା ନାହିଁ । କେବଳ ଲକଡାଉନ ଘୋଷଣା କରିବା ଛଡ଼ା ସରକାରଙ୍କ ସମ୍ବେଦନଶୀଳତା ଶୂନ ଭଳି ଲାଗୁଛି । ସାଧାରଣ ଲୋକର ଜୀବନ ଯେମିତି ମୂଲ୍ୟହୀନ । ସେ ରୋଗରେ ପଡ଼ିଲେ ତାକୁ ଚିକିତ୍ସା ମିଳେନି । ତାହାର ରୋଜଗାର ବୁଡିଲେ କାହାର କିଛି ଯାଏ ଆସେ ନାହିଁ । ମୁଖ୍ୟ ଶାସନ ସଚିବ ଲକଡାଉନ ବୃଦ୍ଧିର ଘୋଷଣା କଲେ । ଜୀବନ ରକ୍ଷାର ମାର୍ଗ ଭାବେ ଏହାକୁ ସରକାର ବାଛିବାର ଆବଶ୍ୟକତା ମଧ୍ୟ ଥିଲା । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ଏହି ଲକଡାଉନ ବୃଦ୍ଧି ଘୋଷଣା ବେଳେ ସରକାର ଏହା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଲୋକଙ୍କ ଜୀବିକା ଦୃଷ୍ଟିରୁ କୌଣସି ଘୋଷଣା କରି ନାହାନ୍ତିି । ୧୪ ଦିନ ଘରେ ହାତ ବାନ୍ଧି ବସିଥିବା ଗରିବ ଓ ମଧ୍ୟବିତ୍ତ ଆହୁରି ୨ ସପ୍ତାହ ଘରେ ରହିବେ, ରୋଜଗାର କରି ପାରିବେ ନାହିଁ, ତାହେଲେ ସେମାନେ ଚଳିବେ କିପରି? ଏହା ଏବେ ସବୁଠୁ ବଡ଼ ପ୍ରଶ୍ନ ।

 ଧନୀଙ୍କ ପାଇଁ ହୁଏତ ଲକଡାଉନ ବିଶେଷ ଚିନ୍ତାର କାରଣ ହୋଇ ନପାରେ, ହେଲେ ଥରେ ଚିନ୍ତା କରନ୍ତୁ ସେହି ଲୋକମାନଙ୍କ କଥା, ଯେଉଁମାନଙ୍କ ପାଖରେ ମୋଟା ଅଙ୍କର ଟଙ୍କା ଜମା ହୋଇ ନାହିଁ, ଯେଉଁମାନେ ପ୍ରତିଦିନ ଖଟିଲେ ହିଁ ଖାଇବେ, ସେମାନେ କିଭଳି ଚଳିବେ, କିଭଳି ପରିବାରର ପେଟ ପୂରାଇବେ? ଏ ପ୍ରଶ୍ନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପଚାରିବାକୁ ଚାହୁଁଛି ‘ବଡ଼ ଖବର’ । ଭୂତାଣୁ ସହ ଲଢୁ ଲଢୁ ଭୟର ପ୍ରକୋପ ଅଧିକ ନ ହୋଇଯାଉ ସେ ଦିଗରେ ବି ସରକାରଙ୍କୁ ଧ୍ୟାନ ଦେବାକୁ ହେବ । ଲକଡାଉନ ପାଇଁ ସବୁ ବର୍ଗର ଲୋକେ ପ୍ରଭାବିତ ହେଉଛନ୍ତି । ସାଧାରଣ ଦିନ ମଜୁରିଆ କୁହନ୍ତୁ କିମ୍ବା କ୍ଷୁଦ୍ର ବ୍ୟବସାୟୀଟେ ସମସ୍ତେ ହାହାକାର ସ୍ଥିତିରେ । ଏଭଳିକି ଘର ଭଡାରେ ରହୁଥିବା ମଣିଷଟେ ହେଉ କି ମାସକୁ ମାସ ବ୍ୟାଙ୍କ କିସ୍ତି ସୁଝୁଥିବା ଲୋକଟେ ସମସ୍ତେ ମୁଣ୍ଡରେ ହାତ ଦେଇଛନ୍ତି । ଏ ସ୍ଥିତିରେ ସରକାରଙ୍କ ଲକଡାଉନ ଘୋଷଣା ଛଡା କଣ କିଛି ଦାୟିତ୍ୱ ନାହିଁ? ଯେତେବେଳେ ସରକାର ନିଜର ଦାୟିତ୍ୱ ଭୁଲି ଯାଉଛନ୍ତି ସେତେବେଳେ ଲୋକଙ୍କ ଚ୍ୟାନେଲ ବଡ଼ ଖବର ସରକାରଙ୍କୁ ତାଙ୍କର ଦାୟିତ୍ୱ ମନେପକେଇ ଦେବାକୁ ଚାହୁଁଛି । ସରକାରଙ୍କ ଆଗରେ ଆମେ କିଛି ପ୍ରଶ୍ନ ରଖିଲୁ । ଏବେ କିଛି ପ୍ରସ୍ତାବ ରଖିବାକୁ ଚାହୁଁଛୁ । ଯାହାକୁ ସରକାର ଓଡ଼ିଶାବାସୀଙ୍କ ପକ୍ଷରୁ ଆମର ଦାବି ବୋଲି କହିପାରନ୍ତି ।

ଦାବି ନମ୍ବର ୧- ତୁରନ୍ତ ଗରିବ ଓ ନିମ୍ନ ମଧ୍ୟବିତ୍ତଙ୍କୁ ପରିବାର ପିଛା ମାସିକ ଅନ୍ୟୁନ ୫ ହଜାର ଟଙ୍କା ୨ ମାସ ଯାଏଁ ପ୍ରଦାନ କରାଯାଉ । ଲକ ଡାଉନ ବଢିଲେ ଅଧିକ ମାସ ଯାଏଁ ଦିଆଯାଉ । ଏହି ହିସାବ କେବଳ ସରକାରୀ କାର୍ଡ ନୁହେଁ, ଦଳମତ ନିର୍ବିଶେଷରେ ବାସ୍ତବିକ ହିତାଧିକାରୀଙ୍କୁ ମିଳୁ । ବିଶେଷକରି, କୌଣସି ଦିନ ମଜୁରିଆ କିମ୍ବା ଶ୍ରମିକ ଶ୍ରେଣୀର ଲୋକ ଯେମିତି ବାଦ୍ ନ ପଡିଯାନ୍ତି , ସେ କଥାକୁ ସୁନିଶ୍ଚିତ କରାଯାଉ । ଅସହାୟ ଅବସ୍ଥାରେ ରାଜ୍ୟକୁ ଫେରିଥିବା ପ୍ରବାସୀଙ୍କ ପରିବାର ବି ଏଥିରେ ସାମିଲ ହେଉ । ଏହି କାର୍ଯ୍ୟକୁ ସଫଳ କରିବାକୁ ଗ୍ରାଉଣ୍ଡରେ ଅଫିସରଙ୍କ ସହ ଜନପ୍ରତିନିଧି ଓ ଜନତାଙ୍କୁ ବିଶ୍ୱାସକୁ ନିଆଯାଉ ।
ଦାବି ନମ୍ବର ୨- ବିଭିନ୍ନ ବର୍ଗର ଲୋକେ ଯେଉଁମାନେ ସାଧାରତଃ ଗରିବ ବର୍ଗରେ ଗଣା ହୋଇ ନ ଥାନ୍ତିି କିନ୍ତୁ କିଛି ଦିନ ରୋଜଗାର ବନ୍ଦ ହେଲେ ସେମାନଙ୍କ ପାଇଁ ସ୍ଥିତି ଖରାପ ହୋଇଯାଏ । କାରଣ ଦୈନିକ ରୋଜଗାର ଉପରେ ହିଁ ସେମାନଙ୍କ ପରିବାର ନିର୍ଭର ହୋଇଥାଏ । ଯେପରିକି ଅଟୋ, ଟ୍ୟାକ୍ସି ଚାଳକ ଓ ମାଲିକ, କ୍ଷୁଦ୍ର, ମଧ୍ୟମ ଦୋକାନରେ କାମ କରୁଥିବା ଲୋକେ ଓ ମାଲିକ, ସେଲୁନ, ପାର୍ଲର, ଉଠା ଦୋକାନୀ ଆଦିଙ୍କୁ ମଧ୍ୟ ମାସିକ ଅନ୍ୟୁନ ୫ ହଜାର ଟଙ୍କା ପ୍ରଦାନ କରାଯାଉ । ଏପରିକି ଯେଉଁ ଦୋକାନ ଭଡା ଘରେ ରହିଛି, କିମ୍ବା ଏହା ଉପରେ ନିର୍ଭର କରୁଥିବା ଲୋକେ ଭଡା ଘରେ ପରିବାର ସହ ଅଛନ୍ତି, ସେମାନଙ୍କୁ ଅତିରିକ୍ତ ସହାୟତା ପ୍ରଦାନର ଆବଶ୍ୟକତା ରହିଛି । କାହିଁକି ନା ଏ ସମୟରେ ସାଧାରଣ ଲୋକଙ୍କୁ ଘର ଭଡା ଯୋଗାଡ କରିବା ବଡ କଷ୍ଟକର ହେଉଛି ।

https://fb.watch/5zRCnBV9a7/

ଦାବି ନମ୍ବର ୩- କଳା କ୍ଷେତ୍ରରେ କରୋନାର ବ୍ୟାପକ ପ୍ରଭାବ ପଡିଛି । ତାହା ଜଣେ ପାଲାଗାୟକ ହୁଅନ୍ତୁ କି ଯାତ୍ରା କଳାକାର କି ସିରିଏଲ, ସିନେମାରେ କାମ କରୁଥିବା ଲୋକେ । ଏହି କ୍ଷେତ୍ରରେ ମୋଟା ଟଙ୍କା ପାଉଥିବା ଲୋକଙ୍କୁ ଛାଡିଲେ ୭୦ ପ୍ରତିଶତ ଲୋକେ ଏମିତି ଅଛନ୍ତି ଯେଉଁମାନଙ୍କ ପାଇଁ ଏ ସମୟରେ ପରିବାର ଚଳାଇବା କଷ୍ଟକର ହୋଇପଡିଛି । ସେ ଜୁନିଅର ଆର୍ଟିଷ୍ଟ ହେଉ, ସିଙ୍ଗର ହେଉ, ଟେକ୍ନିସିଆନ କିମ୍ବା ସ୍ପଟ ବୟ । ଏମାନଙ୍କ ପାଇଁ ବି ସରକାର କିଛି ଭାବନ୍ତୁ ବୋଲି ବଡ ଖବର ଦାବି ରଖୁଛି ।
ଦାବି ନମ୍ବର ୪-ଯେଉଁମାନେ ଲକ ଡାଉନରେ ଘରେ ରହି କାମ କରିପାରିବେ ସେମାନଙ୍କୁ କାମ ଦିଆଯାଉ । ଯେମିତିକି ଜଣେ ବୁଣାକାର, ଖଲି ପତ୍ର ତିଆରି କରୁଥିବା ଲୋକେ, କାଠ କାରିଗର, ଚିତ୍ରକର ସେମାନେ ଘରେ ରହି କାମ କରିପାରିବେ । ତାଙ୍କୁ କଞ୍ଚା ମାଲ୍ ସରକାର ଦିଅନ୍ତୁ, ତାଙ୍କ ଉତ୍ପାଦନକୁ ସରକାର ତୁରନ୍ତ ପ୍ରାପ୍ୟ ଦେଇ କିଣନ୍ତୁ । ସମୟ ଭଲ ହେଲେ ସରକାର ଏହାକୁ ବଜାରରେ ବିକ୍ରି କରିପାରିବେ ।

ଦାବି ନମ୍ବର ୫- କୋଭିଡରେ ଯେଉଁ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କ ଦେହାନ୍ତ ହୋଇଛି, ସରକାର ସେ ପରିବାର ପାଇଁ ଅନ୍ତତଃ ୧୫ ଲକ୍ଷର ଅନୁକମ୍ପା ରାଶି ପ୍ରଦାନ କରନ୍ତୁ । ପରିବାରରେ କେହି ଶିଶୁ ଥିଲେ ତାହାର ଉଚ୍ଚ ଶିକ୍ଷା ଯାଏଁ ପାଠ ପଢା ଖର୍ଚ୍ଚ ସରକାର ବହନ କରନ୍ତୁ ।

ଦାବି ନମ୍ବର ୬- ସମସ୍ତ ଗରିବ ଓ ମଧ୍ୟବିତ୍ତଙ୍କ ପରିବାରକୁ ରାସନ ଦିଆଯାଉ । ଏହା ସହ ନିରାଶ୍ରୟ, ଅସହାୟଙ୍କୁ ରନ୍ଧାଖାଦ୍ୟ ବଣ୍ଟନର ବ୍ୟବସ୍ଥା ହେଉ । ଏଥିପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହାୟତା ନିଆଯାଇପାରେ ।
ପ୍ରତିଦିିନ କରୋନା ଓ ଲକଡାଉନ ଯୋଗୁଁ ଘଟୁଥିବା କରୁଣ ଓ ଦୁଃଖର ଚିତ୍ର ଦେଖି ଦେଖି ଏମିତି କିଛି ଦାବି ମନକୁ ଆସିଛି, ଯାହା ନାର୍ଯ୍ୟ ବୋଲି ଆମର ବିଶ୍ୱାସ ହୁଏ । କାହିଁକି ନା ଜୀବିକା ଉଜୁଡି ଯିବା ଯୋଗୁଁ ଲକ୍ଷ ଲକ୍ଷ ପରିବାର ଏବେ ମାନସିକ ଭାରାକ୍ରାନ୍ତରେ । ଏମାନଙ୍କୁ କରୋନାରୁ ବଞ୍ଚେଇବାର ଅଛି, ଏହା ସହ ଜୀବିକା ସଂକଟରୁ ବି ଉଦ୍ଧାର କରିବାର ଅଛି ।
ଏହା ବାଦ୍ ସବୁଠାରୁ ବଡ଼ ଦାବି ଏହା, ସ୍ୱାସ୍ଥ୍ୟସେବା ଅଭାବରୁ କାହାରି ଯେପରି ମୃତ୍ୟୁ ନ ହୁଏ ତାହା ନିଶ୍ଚିତ କରାଯାଉ । ସେ କୋଭିଡ ରୋଗୀ ହେଉ କି ଅଣକୋଭିଡ । କୋଭିଡ ରୋଗୀଙ୍କ କଥା ଫୋକସ କରାଯାଉ, ଏହା ସହ ଅଣକୋଭିଡ ରୋଗୀଙ୍କୁ ମଧ୍ୟ ଅଣଦେଖା କରା ନ ଯାଉ । ଗରିବ ଲୋକଙ୍କ ପାଇଁ ସଂପୂର୍ଣ୍ଣ ମାଗଣାରେ ଚିକିତ୍ସା ସେବା ଉପଲବ୍ଧ କରାଯାଉ । ତାହା ସରକାରୀ ହସ୍ପିଟାଲ ହେଉ କି ଘରୋଇ । କାହା ପାଖେ ସ୍ୱାସ୍ଥ୍ୟ ସେବା କାର୍ଡ ଥାଉ କି ନ ଥାଉ । କାହାକୁ ବି ଚିକିତ୍ସା କରିବାରୁ ମନାକରା ନ ଯାଉ । ସରକାରୀ ଓ ଘରୋଇ ହସ୍ପିଟାଲ ମିଳିମିଶି ନିଜର ସାମାଜିକ ଦାୟିତ୍ୱ ନିର୍ବାହ କରନ୍ତୁ । ଏହା ସହ ଆଉ ଗୋଟିଏ କଥା ମଧ୍ୟ କହିବାକୁ ଚାହିଁବୁ । ସାଧାରଣ ଲୋକଟିଏ ହସ୍ପିଟାଲରେ ବେଡ୍ ପାଇବାକୁ ବହୁତ ଦହଗଞ୍ଜ ହେଉଛିି । ଚିହ୍ନା ପରିଚୟ ନ ଥିଲେ ହସ୍ପିଟାଲରେ ବେଡ୍ ମିଳିପାରୁନି । ତେଣୁ କିଭଳି ହସ୍ପିଟାଲରେ ବେଡ୍ ମିଳିବା ପ୍ରସଙ୍ଗରେ ସ୍ୱଚ୍ଛତା ରହିବ ସେଥିଲାଗି ସାଧାରଣ ଲୋକଙ୍କ ପାଇଁ ଏକ ସରକାରୀ ହେଲ୍ପଲାଇନ ନମ୍ବର ଜାରି ହେଉ । ବିପତ୍ତି ସମୟରେ ରୋଗୀଙ୍କୁ ଶୋଷଣ ନ କରି ଉଚିତ୍ ସେବା ଯୋଗାଇବାର ଆବଶ୍ୟକତା ରହିଛି ।
ସରକାର ବଡ଼ ଖବରର ଏ ସବୁ ଦାବି ଅବିଳମ୍ବେ ମାନି ନିଅନ୍ତୁ । କାରଣ ଏହା କେବଳ ଆମର ନୁହେଁ ସାଢେ ଚାରିକୋଟି ଓଡ଼ିଆଙ୍କ ଦାବି ବୋଲି ଆମର ବିଶ୍ୱାସ ।

Leave a Reply

Your email address will not be published. Required fields are marked *