Before Header

୨୪ ପାଇଁ ବଡ଼ସାହି ନିର୍ବାଚନ ମଣ୍ଡଳୀରେ କ’ଣ ରହିଛି ନେତାଙ୍କ ମୁଡ?

0 29

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୪ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଏଥର ମଇଦାନରେ ହେବ ଜୋରଦାର ଫାଇଟ । ଶାସକ ବିଜେଡି ସଫଳତାର ଗୁଣ ଗାନ କରି ପୁଣି ସରକାର ଗଢିବ ପାଇଁ ଦୃଢୋକ୍ତି ବାଢୁଥିବା ବେଳେ ବିରୋଧି ବିଜେପି ସରକାରଙ୍କ ବିଫଳତାର କାହାଣୀ ଲୋକଙ୍କ ପାଖରେ ପହଂଚାଉଛି । ୨୫ ବର୍ଷର ସରକାର ବିଫଳ ହୋଇଥିବା କହି ଭୋଟ ହାଇତେଇବାକୁ ଚଳାଇଛି ଉଦ୍ୟମ । ଦେଖିବା କ’ଣ ରହିଛି ବାରିପଦା ବଡ଼ସାହି ନିର୍ବାଚନ ମଣ୍ଡଳୀରେ ନେତାଙ୍କ ମୁଡ ।

ମୁଣ୍ଡ ଉପରେ ଭୋଟ, ନେତାଙ୍କ ଛାତି ଧଡ଼ଧଡ଼ । ଆଶାୟୀଙ୍କ ଲମ୍ବା ଲାଇନ । କାହାକୁ ମିଳିବ, କାହାର କଟିବ ଟିକେଟ । ତାକୁ ନେଇ ଚାଲିଛି ଅଙ୍କକଷା । କ’ଣ ରହିଛି ବଡ଼ସାହି ନେତାଙ୍କ ମୁଡ୍ । ବିଜେଡି ଆଶାୟୀ ପ୍ରାର୍ଥୀଙ୍କ ଭିତରେ ଲଲାଟେନ୍ଦୁ ବେହେରା ଆଗରେ ଥିବା ବେଳେ ବିଜେପି ବିଧାୟକ ସନାତନ ବିଜୁଳି ଏବେବି ପପୁଲାର ଅଛନ୍ତି । ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ନିର୍ବାଚନ ମଣ୍ଡଳୀ ବଡ଼ସାହି ଓ ବେତନଟୀ ୨ଟି ବ୍ଲକକୁ ନେଇ ଗଠିତ । ଏହି ନିର୍ବାଚନ ମଣ୍ଡଳୀଟି ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ । ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ଏହା ବିଜେଡି କବଜାରେ ଥିଲା । ୨୦୧୯ରେ ବିଜେପି ହାତକୁ ଯାଇଥିଲା ଏହି ଆସନ ।

୨୦୦୯ରେ ମନୋରଞ୍ଜନ ସେଠୀ ବିଜେଡିରୁ ଟିକେଟ ପାଇ ବିଜୟୀ ହୋଇଥିବା ବେଳେ ଅନେକ କାମ ପାଇଁ ବିବାଦୀୟ ବି ହୋଇପଡିଥିଲେ । ପରବର୍ତ୍ତୀ ସମୟରେ ଜଣେ ଯୁବ ଚେହେରାକୁ ବିଜେଡି ଖୋଜୁଥିବା ବେଳେ କଂଗ୍ରେସର ଗଣେଶ୍ୱର ପାତ୍ରଙ୍କୁ ଟିକେଟ ଦେଇଥିଲା । ଗଣେଶ୍ୱର ଭଲ ଭୋଟ ବ୍ୟବଧାନରେ ଜିତିଥିଲେ । ପରେ ବିଜେଡିର ଲୋକପ୍ରିୟତା ହ୍ରାସ ପାଇଥିଲା । ବିଜେଡି ୨୦୧୯ରେ ବୃନ୍ଦାବନ ଦାସଙ୍କୁ ଭରସା କରିଥିଲା । ମାତ୍ର ପରାଜୟ ହୋଇଥିଲା । ବିଜେପି ପ୍ରାର୍ଥୀ ସନାତନ ବିଜୁଳି ବାଜିମାତ କରିଥିଲେ । ବିଜେଡି ପକ୍ଷରୁ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ଚୟନ ପାଇଁ ଆଶାୟୀ ଓ ଗଣେଶ୍ୱରଙ୍କ ସମର୍ଥକମାନେ ଭିତିରିଆ ବିଜେପିକୁ ସହଯୋଗ କରିଥିବା ଅଭିଯୋଗ ହୋଇଥିଲା ।

ତେବେ ୨୦୨୪ ପାଇଁ ଗଣେଶ୍ୱର ପାତ୍ର ବିଜେଡି ଓ ବିଜେପିରୁ ସନାତନ ବିଜୁଳି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ନିର୍ମଳ ଭାବମୂର୍ତ୍ତି ଓ ସାଙ୍ଗଠନିକ ଦକ୍ଷତା ପାଇଁ ବିଜୁଳିଙ୍କୁ ଦଳ ଭରସା କରିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି । ବିଜେପି ଶିବିରରେ ଉସôହ ଲାଗିଥିବା ବେଳେ ଆଶା ଆଶଙ୍କାରେ ବୁଡି ରହିଛି ବିଜେଡି ଶିବିର । ସନାତନଙ୍କୁ ବାଦ ଦେଲେ ବିଜେପିର ସେଭଳି ଆଶାୟୀ ପ୍ରାର୍ଥୀ ଆଗକୁ ଆସିନଥିବା ବେଳେ ବିଜେଡିରେ କିନ୍ତୁ ମାଳ ମାଳ ଆଶାୟୀ । ଆଶାୟୀ ମଧ୍ୟରେ ଲଲାଟେନ୍ଦୁ ବେହେରା ଆଗରେ ଅଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବା ସହ ନିର୍ବାଚନ ମଣ୍ଡଳୀରେ ଅଧିକାଂଶ ସମୟ ବିତାଉଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ବୃନ୍ଦାବନ ଦାସ, ଯାମିନୀକାନ୍ତ ନାଏକ, ଦୀପକ ପାତ୍ରଙ୍କ ନାଁ ସାମ୍ନାକୁ ଆସୁଛି । ଅନ୍ତଃକନ୍ଦଳ ବିଜେଡିକୁ ଭାରି ପଡ଼ିପାରେ ବୋଲି ସମୀକ୍ଷକମାନେ କହୁଛନ୍ତି । ବିଜେଡିରୁ ଟିକେଟ ନମିଳିଲେ ପୂର୍ବତନ ବିଧାୟକ ଗଣେଶ୍ୱର ଯେକୌଣସି ଦଳରୁ ଲଢି ପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି ।

Leave A Reply

Your email address will not be published.