Before Header

ବାଲେଶ୍ୱର ମଇଦାନରେ ଗରିବ ବେଣୁଧର, ହେଭିୱେଟଙ୍କ ଉପରେ ପଡିବେ କି ଭାରୀ

0 719

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଟଙ୍କା ଉଡୁଛି । ବୁଥ୍ ଜଗିଛନ୍ତି ବଡ଼ ବଡ଼ ନେତା । ମାଳ ମାଳ ତାରକା ପ୍ରଚାରକ । ବାଜିରେ ଲାଗିଛି ବିଜେଡି, ବିଜେପି ଓ କଂଗ୍ରେସର ଇଜ୍ଜତ । ଏ ଭିଡ଼ ଭିତରେ ବାଲେଶ୍ୱର ନିର୍ବାଚନ ମଇଦାନରେ ଅଛନ୍ତି ଏମିତି ଜଣେ ପ୍ରାର୍ଥୀ ଯାହାଙ୍କ ସାହସକୁ ଆପଣ ସାଧୁବାଦ ନ ଦେଇ ରହିପାରିବେନି । ଆମେ କହୁଛି ଗରିବ ବେଣୁଧରଙ୍କ କଥା । ଯାହାଙ୍କ ବୟସ ୯୦ ପାର । ସାଇକେଲରେ କେଟିଲ ବାନ୍ଧି ଦୁଆର ଦୁଆର ବୁଲି ଭୋଟ ମାଗୁଛନ୍ତି ବେଣୁଧର । ବାଲେଶ୍ୱର ସଦର ଉପନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀ । ଯେଉଁଠି ଭୋଟ୍ ର କିମତ୍ ଟଙ୍କା ଓ ମଦ ମାଂସରେ ତଉଲା ଯାଉଥିବା ଅଭିଯୋଗ ହେଉଛି, ସେଠି କିନ୍ତୁ ବେଣୁଧରଙ୍କ ଝୁଙ୍କ ଲୋକଙ୍କୁ ମନାଇ ସେ ବିଧାୟକ ହେବେ । ସେ ବିଧାୟକ ହେବେ କି ନାହିଁ, ତାହା ତ ଜନତା ନିଷ୍ପତ୍ତି ନେବେ, ହେଲେ ବେଣୁଧରଙ୍କ ଏଣ୍ଟ୍ରି ଏଇ ନିର୍ବାଚନରେ ଟୁଇଷ୍ଟ୍ ଭରିଛି । ଏଇ ଅଭାବୀ ପ୍ରାର୍ଥୀଙ୍କ ପାଇଁ ପ୍ରଚାରକ ହେବେ ଚର୍ଚ୍ଚିତ ଜଲିଉଡ ଅଭିନେତ୍ରୀ ରାନୀ ପଣ୍ଡା । ରାନୀ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଯେ ସେ ବେଣୁଧରଙ୍କ ଲାଗି ପ୍ରଚାର କରିବେ । ରାନୀଙ୍କ ପ୍ରଚାର କରିବା କଥା କହିବା ପରଠାରୁ ଚର୍ଚ୍ଚା ଜୋର ଧରିଛି ।

ବାଲେଶ୍ୱର ପୌରାଞ୍ଚଳ ୨୧ ନମ୍ବର ୱାର୍ଡ ଗୁଡିପଦାର ଛକରେ ରୁହନ୍ତି ବେଣୁଧର ବାରିକ । କୌଳିକ ବୃର୍ତ୍ତି କରି ପରିବାର ଚଳାଉଥିବା ବେଣୁଧର ବାଲେଶ୍ୱର ନିର୍ବାଚନ ମୈଦାନକୁ ଓହ୍ଲାଇବା ସମସ୍ତଙ୍କୁ ଚକିତ କରିଦେଇଛି । ବସ୍ତି ବାସିନ୍ଦାଙ୍କ ହକ ଲାଗି ସେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ପୂର୍ବରୁ ବସ୍ତିବାସିନ୍ଦାଙ୍କ ନ୍ୟାୟ ଲାଗି ସେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଦୃଢ଼ ମନବଳ ଓ ଗରିବ, ଅସହାୟଙ୍କୁ ସାହଯ୍ୟ କରିବାର ମନବୃତ୍ତି ନେଇ ମୈଦାନକୁ ଓହ୍ଲାଇଛନ୍ତି ବେଣୁଧର । ବେଧୁଧରଙ୍କ ଚିହ୍ନ ହେଉଛି କେଟିଲ୍ । ଘର ଘର ବୁଲି ବେଣୁଧର ଭୋଟ ମାଗୁଛନ୍ତି । ପେସାରେ ବାରିକ ହୋଇଥିଲେ ମଧ୍ୟ ସେ ସଦାବେଳେ ଚାହାନ୍ତି ପରିବର୍ତ୍ତନ । ପରିବର୍ତ୍ତନ ଚାହୁଁଥିଲେ ମୋତେ ବିଧାୟକ ଭାବେ ଭୋଟ ଦିଅନ୍ତୁ ବୋଲି ନିବେଦନ କରୁଛନ୍ତି ବେଣୁଧର । ସୋସିଆଲ ମିଡିଆ, ଖବର କାଗଜ ଓ ଟେଲିଭିଜନରେ ଏବେ ବେଣୁଧରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ବେଣୁଧରଙ୍କ ସାହସକୁ ସାଧାରଣରେ ପ୍ରଶଂସା କରାଯାଉଛି ।

୧୯୪୨ ମସିହାରେ ସିପିଆଇର କାର୍ଯ୍ୟକ୍ରମ ବାଲେଶ୍ୱରେର ନୂଆ କରି ଆରମ୍ଭ ହେଉ ଥାଏ । ବେଣୁଧର ପ୍ରଭାବିତ ହୋଇ ସେଥିରେ ଯୋଗ ଦେଇଥିଲେ । ବସ୍ତିବାସିନ୍ଦାଙ୍କ ପାଇଁ ଭୋଟରକାର୍ଡ କରିଦେବା , ସେମାନଙ୍କୁ ପଟ୍ଟା ପ୍ରଦାନ ପାଇଁ ସରକାର ଓ ପ୍ରଶାସନକୁ ଦାବିପତ୍ର ଦେବା, ବାଲେଶ୍ୱରବାସୀଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳନ, ଧର୍ମଘଟ କରିବା ବେଣୁଙ୍କ ଆଉ ଏକ କାମ । କହିବାକୁ ଗଲେ ସେ ସବୁବେଳେ ଆଗରେ ରହିଥାନ୍ତି ।

ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବେଣୁଧରଙ୍କ ସମ୍ପତ୍ତି ତାଲିକା ସବୁଠୁ କମ । ସେ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ରହୁଥିବା ଘର ଖଣ୍ଡିଏ ସହ ୧୦ ହଜାର ନଗଦ ଟଙ୍କା ରହିଛି । ଏହା ବ୍ୟତୀତ ତାଙ୍କ ପାଖରେ ଆଉ କୌଣସି ସମ୍ବଳ ନାହିଁ । ତେବେ ଉକ୍ତ ୧୦ ହଜାର ବାଲେଶ୍ୱରର କିଛି ସହୃଦୟ ବ୍ୟକ୍ତି ଦେଇଥିବା ସେ କହିଛନ୍ତି ।

ଭୋଟ ଗ୍ରହଣର ଦିନ ପାଖେଇ ଆସୁଛି । ଖଣ୍ଡେ ସାଇକେଲ ଧରି ସକାଳ ୭ ଟାରୁ ବେଣୁଧର ବାହାରି ଯାଉଛନ୍ତି ଭୋଟରଙ୍କ ପାଖକୁ । ଭୋଟରମାନେ ତାଙ୍କୁ ବେଶ ଆଦର ଓ ସମ୍ମାନ କରୁଛନ୍ତି ବୋଲି ସେ କହିଛନ୍ତି । ଲୋକମାନେ ଯଦି ତାଙ୍କୁ ଭୋଟ ଦେଇ ବିଧାୟକ କରନ୍ତି, ତେବେ ସେମାନଙ୍କ ସମସ୍ୟା ବିଧାନସଭାରେ ଉଠେଇବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବେଣୁଧର ।

ନିସ୍ୱ ବେଣୁଧର ସମସ୍ତ ପ୍ରତିନ୍ଦ୍ୱନ୍ଦିଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । ତାଙ୍କ ନିର୍ବାଚନ ପ୍ରଚାର ଶୈଳୀ ନିଆରା । ତାଙ୍କୁ ସହଯୋଗ କରିବା ପାଇଁ କିଛି ଲୋକ ଆଗେଉ ଆସିଛନ୍ତି । ସେମାନଙ୍କ ମଧ୍ୟରେ ଜଲିଉଡର ରାନୀ ପଣ୍ଡାଙ୍କ ନାମ ଶୁଣାଯାଉଛି ।

Leave A Reply

Your email address will not be published.