ଭଞ୍ଜନଗର (ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଭଞ୍ଜନଗରରେ ଚାଞ୍ଚଲ୍ୟ ।ପୌର ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ଘର ଉପରକୁ ବୋମାମାଡ। ଗତକାଲି ବିଳମ୍ବିତ ରାତିରେ ବୋମା ମାଡ ହୋଇଛି। ଚାରଟି ବାଇକରେ ଆଠ ଜଣ ଦୁର୍ବୁତ୍ତ ଆସି ବୋମା ପକାଇ ଚାଲି ଯାଇଥିବା ଜଣାପଡିଛି ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଘଟଣା ଘଟିବା ସମୟରେ ଗୋପବନ୍ଧୁ ମହାପାତ୍ର ଘରେ ନଥିଲେ । କିନ୍ତୁ ପରିବାର ଲୋକେ ଭୟଭୀତ ହୋଇ ଥିବା ଜଣାପଡିଛି । ଅପରାଧୀମାନେ ପୋଲିସକୁ ଖୋଲା ଖୋଲି ଭାବେ ଚ୍ୟାଲେଞ୍ଜ ଦେଇଛନ୍ତି ।
କିଏ କେଉଁ କାରଣରୁ ବୋମା ମାଡ଼ କରିଥିଲା ତାହା ସଠିକ୍ ଭାବେ ଜଣାପଡ଼ି ନାହିଁ । ତଥାପି ପୂର୍ବ ଶତ୍ରୁତାରୁ ଏହି ବୋମା ମାଡ଼ ହୋଇଥିବା ଆଶଙ୍କା କରାଯାଉଛି। ଥାନା ଅଧିକାରୀ ଜୀବନାନନ୍ଦ ଜେନା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଏଥିସହ ସହରର ବିଭିନ୍ନ ସ୍ଥାନରେ ଏବଂ ପୌରାଧ୍ୟକ୍ଷଙ୍କ ଘର ସମ୍ମୁଖରେ ଥିବା ସିସିଟିଭି ଫୁଟେଜକୁ ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ଏଥିସହ ଆଉ କିଛି ସମୟ ପରେ ଛତ୍ରପୁରରୁ ସାଇଣ୍ଟିଫିକ୍ ଟିମ୍ ଘଟଣାର ଅଧିକ ତଦନ୍ତ ପାଇଁ ଆସିବ ବୋଲି ଜଣାପଡିଛି ।
