Before Header

ବଡ଼ ଖବରର ମାଲିକ କିଏ?

0 5,771

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କୋଟି ଓଡ଼ିଆଙ୍କ ପ୍ରାଣ ଶ୍ରୀଜଗନ୍ନାଥ । ପ୍ରତି ଓଡ଼ିଆର ହୃଦୟ ଦେବତା ସେ । ତାଙ୍କରି ଭରସାରେ ଓଡ଼ିଆ ବଞ୍ଚେ । ଆଉ ଓଡ଼ିଆଙ୍କ ସମ୍ମାନ ପାଇଁ କଳାଧଳା ଘୋଡ଼ା ଚଢି ଦୁଇଭାଇ କାଞ୍ଚି ଯୁଦ୍ଧ କରନ୍ତି । ଓଡ଼ିଆର ଡାକରେ ହାତ ବଢାଇ ନଡ଼ିଆ ନିଅନ୍ତି । ଓଡ଼ିଆଣୀର ଭକ୍ତିରେ ଗୀତଗୋବିନ୍ଦ ଶୁଣିବାକୁ ବାଇଗଣ କଣ୍ଟାରେ ରକ୍ତାକ୍ତ ହୁଅନ୍ତି । ଓଡ଼ିଆଙ୍କ ଏକୋଇଶିଆରେ ସେ, ଏକାଦଶାହରେ ସେ । ବାହାବେଦୀରେ ସେ, ଅନ୍ତିମ ଯାତ୍ରାର ଆଶ୍ରା ସେ । ତାଙ୍କ ବିନା କାହାର ବା କ’ଣ ଗତି? ତାଙ୍କ ନିର୍ଦ୍ଦେଶ ବିନା ଗଛର ପତ୍ର ବି ହଲେନି । ସେହି କାଳିଆ ସାଆନ୍ତ, ବିଶ୍ୱନିୟନ୍ତା, ଜଗତର ନାଥ ଜଗନ୍ନାଥ ହିଁ ଆମର ସବୁକିଛି । ତାଙ୍କରି ନିର୍ଦ୍ଦେଶରେ ହିଁ ‘ବଡ଼ ଖବର’ର ଜନ୍ମ, ତାଙ୍କରି ନିର୍ଦ୍ଦେଶରେ ହିଁ ପରିଚାଳିତ ହେଉଛି ପ୍ରତିଟି କାର୍ଯ୍ୟକ୍ରମ। ଲୋଗୋ ଲୋକାର୍ପଣ ହେଉ କି ୱେବସାଇଟ ଉନ୍ମୋଚନ, ବିଜୟା ଦଶମୀରେ ଚ୍ୟାନେଲ ଆରମ୍ଭ, ସବୁ ତାଙ୍କରି ଲୀଳା । ସେ ଲୀଳାକୁ ଅନେକ ଦିନ ହେଲା ଆମେ ଅନୁଭବ କରୁଛୁ । ‘ବଡ଼ ଖବର’ ଆରମ୍ଭ ହେବା କିଛି ଚମତ୍କାରିତାଠୁ କମ୍ ନୁହେଁ । କୌଣସି ବଡ଼ ପୁଞ୍ଜିପତି କିମ୍ବା ରାଜନେତାଙ୍କ ଇଚ୍ଛା ବିନା କେଉଁ ସ୍ୟାଟେଲାଇଟ୍ ଚ୍ୟାନେଲ ଆରମ୍ଭ ହୋଇପାରେ କି? ହେଲେ ‘ବଡ଼ ଖବର’ ହୋଇଛି । ତେଣୁ ଏହା ହିଁ ବୁଝିବାକୁ ହେବ, ଏହାର ଆରମ୍ଭ କେବଳ ସାରା ଜଗତର ମାଲିକ ଜଗନ୍ନାଥଙ୍କ ଇଚ୍ଛାରେ । ଆମ ପାଖେ, ଯେବେ କେହି ଛିଡ଼ା ହୋଇନାହାନ୍ତି, ସାମ୍ବାଦିକ ଭାବେ ଗୋଟିଏ ଟିଭି ଚ୍ୟାନେଲ କରିବାକୁ ନାହିଁ ନଥିବା ବିଘ୍ନ ଆସିଛି, ସେତେବେଳେ ତାଙ୍କରି ଆଶୀର୍ବାଦ ହିଁ ସବୁକିଛି ସମ୍ଭାଳି ନେଇଛି । ବଡ଼ ଠାକୁର ହିଁ ‘ବଡ଼ ଖବର’ର ମାଲିକ । ଚ୍ୟାନେଲ ଆରମ୍ଭ ହେବା ପୂର୍ବରୁ ଅନେକ କଷଟି ପଥରରେ ସେ ଆମର ପରୀକ୍ଷା ନେଇଛନ୍ତି, ଆଗକୁ ମଧ୍ୟ ନେବେ । ମହାପ୍ରଭୁଙ୍କ ଚ୍ୟାନେଲରେ ସେବକ ହେବାର ସୁଯୋଗ, ଆମ ପାଇଁ କେଉଁ ଜନ୍ମର ପୂଣ୍ୟ ଫଳ ନିଶ୍ଚୟ । ତାଙ୍କରି ପ୍ରିୟ ଓଡ଼ିଆଙ୍କ ସେବାରେ ଆମେ ସମର୍ପିତ ହେବୁ । ଲୋକଙ୍କ ଚ୍ୟାନେଲର ନାଁକୁ ସାର୍ଥକ କରିବା ହିଁ ଆମର ଏକମାତ୍ର ଲକ୍ଷ୍ୟ । ‘ବଡ଼ ଖବର’ର ଜନ୍ମତିଥି ବି ମହାପ୍ରଭୁ ଏମିତି ଦିନରେ ଧାର୍ଯ୍ୟ କରିଛନ୍ତି, ଯାହା ଆମକୁ ନିଜ ସଂକଳ୍ପ ପାଇଁ ସଦା ସମର୍ପିତ କରୁଥିବ । ବିଜୟା ଦଶମୀ । ଜଗତଜନନୀ ମା’ ଦୁର୍ଗାଙ୍କ ଆବାହନରେ ମଗ୍ନ ଥିଲା ସାରା ବିଶ୍ୱ । ଏ ପର୍ବ ମହିଷାସୁର ସଂହାର ଓ ରାବଣ ବଧର । ପାପ ବିରୋଧରେ ପୂଣ୍ୟ, ଅସତ୍ୟ ଉପରେ ସତ୍ୟର ବିଜୟର ଦିନ । ଧର୍ମ, ନ୍ୟାୟ ପ୍ରତିଷ୍ଠାର ଦିନ । ସାଧୁଜନଙ୍କ ପରିତ୍ରାଣ ଓ ଦୁର୍ଜନଙ୍କ ପରାଜୟର ଦିନ । ଏହି ଦିନରେ ଆମର ଜନ୍ମ ସଂଯୋଗ ହୋଇ ନପାରେ, ବରଂ ବିଧି ଦ୍ୱାରା ନିର୍ଦ୍ଧାରିତ । ଶକ୍ତି ସ୍ୱରୂପିଣୀ, ମହାମାୟା, ସିଂହବାହିନୀ, ଦଶଭୂଜା ଆମକୁ ଶକ୍ତି ଦିଅନ୍ତୁ । ମହିଷାସୁର ରୂପୀ ଏ ଯୁଗର ପାପୀଙ୍କ ମୁଖା ଖୋଲୁ । ଚତୁର୍ଥ ସ୍ତମ୍ଭ ଭାବେ ରାଜ୍ୟ, ଦେଶ, ବିଶ୍ୱର ହିତରେ ଆମେ କାମ କରିଚାଲୁ । ଧର୍ମଯୁଦ୍ଧରେ ପ୍ରତିଟି ଓଡ଼ିଆଙ୍କ ସହାୟତା କାମନା କରୁଛୁ ।

Leave A Reply

Your email address will not be published.