ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟବାସୀଙ୍କ ପାଇଁ ‘ବଡ଼ ଖବର’ର ବଡ଼ ଘୋଷଣା । ‘ବଡ଼ ଖବର’ ସୋ’ରେ ଏହାର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ କହିଛନ୍ତି କି, ଚ୍ୟାନେଲ ପରିକଳ୍ପନା ପଛରେ ରହିଛି ମହତ ଉଦ୍ଦେଶ୍ୟ । ଏହି ଚ୍ୟାନେଲ ଲୋକଙ୍କ ପାଇଁ ତ କାମ କରିବ, ତା ସହିତ ବାର୍ଷିକ ଲାଭାଂଶର ୫୦ ପ୍ରତିଶତ ଅର୍ଥ ଗରିବ ଲୋକଙ୍କ ପାଇଁ ଖର୍ଚ୍ଚ କରିବ । ଜଣେ ସାମ୍ବାଦିକ ହିସାବରେ ରାଜ୍ୟର ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କ ପ୍ରତି ଆମର ଭଲ ପାଇବା ଅଛି, ସେ ଦୃଷ୍ଟିକୋଣରୁ ଦୁର୍ବଳ ଆର୍ଥିକ ସ୍ଥିତିରେ ଥିବା ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତିଥିବା ସାମ୍ବାଦିକଙ୍କ ପରିବାରକୁ ମଧ୍ୟ ସହଯୋଗର ହାତ ବଢ଼ାଇବ ‘ବଡ଼ ଖବର’ । ଲାଭାଂଶର ୧୦ ପ୍ରତିଶତ ଅର୍ଥ ଏହି ସାମ୍ବାଦିକଙ୍କର ପିଲାଙ୍କ ପାଠପଢ଼ା ଓ ଝିଅ ବାହାଘରରେ ଖର୍ଚ୍ଚ ହେବ । ‘ବଡ଼ ଖବର’ର ଏ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଘୋଷଣା ଆସନ୍ତୁ ଦେଖିବା ।

‘ବଡ଼ ଖବର’ ଲୋକଙ୍କ ଚ୍ୟାନେଲ । ୟେ ଅନ୍ୟ ଚ୍ୟାନେଲ ଭଳି କାହାରି ବ୍ୟକ୍ତିଗତ ହାନିଲାଭରେ ସୀମିତ ହୋଇ ରହିବାକୁ ଚାହେଁନି । ଏହା ସାଧାରଣ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ । ଏହି ଚ୍ୟାନେଲ ଲୋକଙ୍କ ସହଯୋଗରେ ବଢିବ ଓ ଲୋକଙ୍କ ଏହା ଉପରେ ଅଧିକାର ବି ରହିବ । କାରଣ ଆମେ ଭାବୁ, ଖବର ଦେବା-ନେବା ବାଦ୍ ସାମ୍ବାଦିକମାନଙ୍କ ସମାଜ ପ୍ରତି ଆହୁରି ବେଶି ଉତ୍ତରଦାୟିତ୍ୱ ଅଛି । ସମାଜର ଉନ୍ନତିରେ ସମସ୍ତଙ୍କ ସହଯୋଗ ଦରକାର । ଆମେ ମଧ୍ୟ ଏଥିଲାଗି ସଂପୂର୍ଣ୍ଣ ପ୍ରତିବଦ୍ଧ । ସେଥିପାଇଁ ‘ବଡ଼ ଖବର’ର ଏହି ଘୋଷଣା କରିଛି । ଯାହା ଟିଭି ଚ୍ୟାନେଲ ଇତିହାସରେ ପ୍ରଥମ । ଆମେ ଘୋଷଣା କରୁଛୁ କି, ବଡ଼ ଖବରର ବାର୍ଷିକ ଲାଭର ୫୦ ପ୍ରତିଶତ ଗରିବ, ଅସହାୟଙ୍କ ପାଇଁ ଖର୍ଚ୍ଚ କରିବୁ । ସେମାନଙ୍କ ସୁଖଦୁଃଖରେ ସହଭାଗୀ ହେବାର ଚେଷ୍ଟା କରିବୁ । ଆମେ ଯଦି ବର୍ଷକୁ ୧୦୦ଟଙ୍କା ବି ଲାଭ କଲୁ, ସେଥିରୁ ୫୦ ଟଙ୍କା ଗରିବଙ୍କ ପାଇଁ ବ୍ୟୟ କରିବୁ, ଏହି ପ୍ରତିଶ୍ରୁତି ରାଜ୍ୟବାସୀଙ୍କୁ ଆମେ ଆମ ଦେଉଛୁ । ଆପଣଙ୍କୁ ଏହି ବିଶ୍ୱାସ ଦେଉଛୁ, ଆପଣ ଆମକୁ ଯେଉଁ ଭଲପାଇବା ଓ ସହଯୋଗ ଦେବେ, ତାହା କେବଳ ‘ବଡ଼ ଖବର’ ଟିମ୍ ଲାଗି ନୁହେଁ, କେଉଁ ଜଣେ ଦୁଃସ୍ଥ, ଅସହାୟ ଲୋକଙ୍କ ଓଠରେ ହସ ଫୁଟାଇବାରେ ମଧ୍ୟ ବିନିଯୋଗ ହେବ । ସେବା ଆମର ବ୍ରତ । ସେହି ବ୍ରତକୁ ଧ୍ୟେୟ କରି, ଆପଣଙ୍କୁ ଖବର ଦେବା ସହ, ଏହି ମହତ କାର୍ଯ୍ୟକୁ ଆଗକୁ ବଢାଇବୁ ।

ଏହା ସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ‘ବଡ଼ ଖବର’ ସାମ୍ବାଦିକମାନଙ୍କ ବିଭେଦରେ ବିଶ୍ୱାସ କରେ ନାହିଁ । ୟେ ଆମର, ସେ ତାଙ୍କର ନୀତିର ଆମେ ବିରୋଧୀ । ଆଉ ‘ବଡ଼ ଖବର’ ଲାଗି କୌଣସି ସାମ୍ବାଦିକ କେବଳ ଏମିତି ମଣିଷ ନୁହେଁ, ଯିଏ ସମସ୍ତଙ୍କ ବିପଦଆପଦରେ ଛିଡ଼ା ହେବ, ହେଲେ ତାହାଲାଗି କେହି ନୁହେଁ । ଆମେ ସମସ୍ତେ ଜାଣିଛୁ, ରାଜ୍ୟର ଅଧିକାଂଶ ସାମ୍ବାଦିକଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ । କିଛି ସାମ୍ବାଦିକ ଏହି ପେସାରୁ ଅନେକ ଧନ କମାଇଥିବେ, କିନ୍ତୁ ଅନେକ ଏହି ବୃତ୍ତିକୁ ନିଶାଭାବେ ଗ୍ରହଣ କରି, ନିଜର ସମସ୍ତ ଜୀବନ ତ୍ୟାଗରେ ବିତାଇ ଦିଅନ୍ତି । ହେଲେ ସେମାନଙ୍କ ଦୁଃଖରେ ଆହା କହିବାକୁ କେହି ନ ଥାନ୍ତି । ଆଜି ଆମେ ଅତ୍ୟନ୍ତ ଉତ୍ସାହର ସହ ଏହା ଘୋଷଣା କରୁଛୁ କି, ଗରିବଙ୍କ ପାଇଁ ଖର୍ଚ୍ଚ ହେବାକୁ ଥିବା ୫୦ ପ୍ରତିଶତ ଲାଭର ୧୦ ପ୍ରତିଶତ ଗରିବ ସାମ୍ବାଦିକଙ୍କ ପରିବାର ପାଇଁ ଉତ୍ସର୍ଗ ହେବ । ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ଦୁର୍ବଳ ଆର୍ଥିକ ସ୍ଥିତିରେ ଥିବା ସାମ୍ବାଦିକଙ୍କ ପିଲାମାନଙ୍କର ପାଠପଢା ଏବଂ ସେମାନଙ୍କ ଝିଅ ବାହାଘର ପାଇଁ ଏହା ବିନିଯୋଗ ହେବ । ସେ ସାମ୍ବାଦି କଜଣକ ଯେ କୌଣସି ସଂସ୍ଥାର ହୋଇଥାନ୍ତୁ ପଛେ, ଆମ ଲାଗି ସେ ‘ବଡ଼ ଖବର’ ପରିବାରର ।
ରାଜ୍ୟର ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କ ପ୍ରତି ‘ବଡ଼ ଖବର’ର ଭଲ ପାଇବା ରହିଛି, ସେମାନଙ୍କ ସୁଖ ଦୁଃଖରେ ସାମିଲ ହେବାର ମନୋବୃତ୍ତି ରହିଛି । ଆମେ କହି ପାରିବା ଏହି ଚ୍ୟାନେଲ ଲୋକଙ୍କ ଚ୍ୟାନେଲ, ସାମ୍ବାଦିକଙ୍କ ଚ୍ୟାନେଲ ଏବଂ ପ୍ରତ୍ୟେକ ଓଡ଼ିଆଙ୍କ ଚ୍ୟାନେଲ ।

Leave a Reply

Your email address will not be published. Required fields are marked *