Before Header

ଉପନିର୍ବାଚନ : ବିଜେପି-ବିଜେଡି ପାଇଁ ‘ଅନୁକମ୍ପା’ ଅସ୍ତ୍ର

0 1,948

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ) : ରାଜ୍ୟରେ ବାଲେଶ୍ୱର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ହେବାକୁ ଯାଉଛି ଉପନିର୍ବାଚନ । ନଭେମ୍ବର ୩ରେ ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବ । ଏଥିପାଇଁ ତିନି ରାଜନୈତିକ ଦଳ ମଇଦାନକୁ ଓହ୍ଲାଇ ପଡ଼ିଲେଣି । ଗତକାଲି ଭାରତୀୟ ଜନତା ପାର୍ଟି ଦୁଇ ନିର୍ବାଚନ ମଣ୍ଡଳୀ ପାଇଁ ତାର ପାର୍ଥୀ ଘୋଷଣା କରିସାରିଛି । ଆଜି ବିଜୁ ଜନତା ଦଳ ପକ୍ଷରୁ ପାର୍ଥୀଙ୍କ ତାଲିକା ପ୍ରକାଶ କରାଯାଇଛି । ବିଜେପି ପକ୍ଷରୁ ତିର୍ତ୍ତୋଲ ପାଇଁ କଂଗ୍ରେସରୁ ସଦ୍ୟ ଆସି ବିଜେପିରେ ଯୋଗ ଦେଇଥିବା ରାଜକିଶୋର ବେହେରାଙ୍କୁ ଟିକେଟ ଦେଇଛି ଏବଂ ବାଲେଶ୍ୱର ସଦର ପାଇଁ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ପୁତ୍ର ମାନସ କୁମାର ଦତ୍ତଙ୍କୁ ଟିକେଟ ଦେଇଛି ।
ସେହିପରି ବିଜେଡି ଆଜି ତିର୍ତ୍ତେ।ଲ ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ଏବଂ ବାଲେଶ୍ୱରରେ ସ୍ୱରୂପ କୁମାର ଦାସଙ୍କୁ ଟିକେଟ ଦେଇଛି ।
ଦୁଇ ଦଳର ରାଜନୈତିକ ଷ୍ଟ୍ରାଟେଜିକୁ ଦେଖିଲେ ଏଥର ଉଭୟ ଦଳ ଅନୁକମ୍ପାକୁ ନିର୍ବାଚନୀ ଅସ୍ତ୍ର କରିବେ ବୋଲି ସ୍ପଷ୍ଟ ହେଉଛି ।
ଦଳୀୟ ସୂଚନା ଅନୁଯାୟୀ, ବାଲେଶ୍ୱରରେ ବିଜେଡିର ପ୍ରାର୍ଥୀ ହେବାକୁ ବେଶ ଟାଣୁଆ ନେତା ଥିଲେ । ପୂର୍ବତନ ସାଂସଦ ରବିନ୍ଦ୍ର ଜେନା, ତାଙ୍କ ପତ୍ନୀ ସୁବାଶିନୀ ଜେନାଙ୍କ ବ୍ୟତୀତ ଅରିନ୍ଦମ ବି ଆଶାୟୀ ଥିଲେ । ଏହାବ୍ୟତୀତ ବିଜେଡିର ପୂରୁଣା ନେତା ରଘୁ ମହାନ୍ତିଙ୍କୁ ବିଜେପିରୁ ଆଣି ପ୍ରାର୍ଥୀ କରାଯିବାର ସମ୍ଭାବନା ବି ଥିଲା । ମାତ୍ର ବିଜେଡି ତାହା କଲା ନାହିଁ । ବିଜେଡି ସେଠାରେ ଜଣେ ନୂଆ ମୁହଁକୁ ଦେଇଛି ।
ବିଜେଡିର ଏହି ନୀତି ବିଜେପିକୁ ସୁହାଇବ । ସେଠାରେ ବିଜୟୀ ହୋଇଥିବା ବିଧାୟକଙ୍କ ପୁଅକୁ ପ୍ରାର୍ଥୀ କରିଛି ବିଜେପି । ଲକ୍ଷ୍ୟ ରଖିଛି ଅନୁକମ୍ପା ଭୋଟ । ବିଜେପି ଅନୁକମ୍ପା ଭୋଟ ନେଇ ବାଲେଶ୍ୱର ଆସନକୁ ହାତରେ ରଖିବାକୁ ଏହି ଯୋଜନା କରିଥିବା ଦଳର କେତେକ ନେତା କହୁଛନ୍ତି ।
ତିର୍ତ୍ତୋଲରେ ସମାନ ରାସ୍ତା ଅପଣେଇଛି ବିଜେଡି । ବିଜେଡି ପାଖରେ ବି ନେତାଙ୍କର ଅଭାବ ନଥିଲା । ହେଲେ ବିଜେଡି ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅଙ୍କୁ ପ୍ରାର୍ଥୀ କରିଛି । ବିଷ୍ଣୁ ଦାସଙ୍କ ପ୍ରତି ସେଠାରେ ବେଶ ଅନୁକମ୍ପା ରହିଛି । ଭୋଟରଙ୍କର ସେହି ଭାବନାକୁ ଏନକ୍ୟାସ କରିବା ପାଇଁ ବିଜେଡି କରିଛି ପ୍ଲାନ ।
ନିର୍ବାଚନରେ ଜିତା ପଟ ପାଇବା ପାଇଁ ଦୁଇ ଦଳ ବାପ ଛେଉଣ୍ଡ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛନ୍ତି । ଜନ ସାଧାରଣଙ୍କ ସ୍ୱାର୍ଥ ହେଉ କି ବିକାଶ କାର୍ଯ୍ୟ କରିବାର ଦକ୍ଷତା କିଏ ରଖୁଛି ତାହା ନଦେଖି ବାପ ଛେଉଣ୍ଡ ପୁଅକୁ ଟିକେଟ ଦେଇ ଅନୁକମ୍ପା ଭୋଟ ହତେଇବାକୁ ଚେଷ୍ଟା କରୁଛନ୍ତି ଉଭୟ ଦଳ ।
ଅନୁକମ୍ପା ଭୋଟରେ ବିଜୟୀ ହେବା ବିଜେଡି ପାଇଁ ନୂଆ ନୁହେଁ । ବିଜେପୁର ଉପନିର୍ବାଚନରେ ସ୍ୱର୍ଗତ ସୁବଳ ସାହୁଙ୍କ ସ୍ତ୍ରୀ ରିତା ସାହୁ ଓ ପାଟକୁରାରେ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲଙ୍କୁ ଟିକେଟ ଦେଇ ଅନୁକମ୍ପା ଭୋଟ ହାତେଇବାକୁ ବିଜେଡି ସଫଳ ହୋଇଛି । ଓଡ଼ିଶାରେ ହୋଇଥିବା ସମସ୍ତ ଉପନିର୍ବାଚନରେ ବିଜେଡି ଅନୁକମ୍ପାର ଷ୍ଟ୍ରାଟେଜି ପ୍ରୟୋଗ କରି ବାଜିମାତ କରିଥିବା ବେଳେ ଏହି ଦୁଇ ନିର୍ବାଚନରେ ଫଳାଫଳ କଣ ହେବ ତାହାର ଚିତ୍ର ୧୦ ନଭେମ୍ବରରେ ସ୍ପଷ୍ଟ ହେବ ।

Leave A Reply

Your email address will not be published.