ସିବିଆଇ ଫେଲ,୨୨ ବର୍ଷ ପରେ ପୋଲିସ ପାସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁର୍ଷ୍କମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ । ଦୀର୍ଘ ୨୨ ବର୍ଷ ପରେ ଓଡିଶା ପୋଲିସକୁ ମିଳିଛି ସଫଳତା । ପୋଲିସ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ୩ ମାସ ତଳେ ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ ନିକଟରେ ପହଂଚି ପାରିଥିଲା । ୧୯୯୯ ଜାନୁୟାରୀ ୯ ତାରିଖର ଘଟଣା । ଭୁବନେଶ୍ୱରରୁ କଟକ ଏକ କାରରେ ଯାଉଥିଲେ ଜନୈକ ଶିକ୍ଷିତା ମହିଳା । ସାଥୀରେ ଥିଲେ ତାଙ୍କ ବନ୍ଧୁ ସୁତନୁ ଗୁରୁ । ସନ୍ଧ୍ୟା ସମୟରେ କାର ଛୁଟିଥିଲା ବାରଙ୍ଗ ଦେଇ କଟକ ଅଭିମୁଖେ । ଆଉ ଏହି କାରକୁ ପିଛା କରୁଥିଲେ ୩ଜଣ ଯୁବକ । ଯୁବକମାନେ ହେଲେ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ, ପଦିଆ ଓରଫ ପ୍ରଦୀପ ସାହୁ, ଟୁନିଆ ଓରଫ ଧୀରେନ୍ଦ୍ର ସାହୁ । ରାତି ପ୍ରାୟ ୯ଟା ହେବ । ବାରଙ୍ଗ ନିକଟସ୍ଥ ବେଲଗୋଛିଆ ଠାରେ ବାଇକରେ ଫଲୋ କରୁଥିବା ଯୁବକମାନେ କାରକୁ ଅଟକାଇଥିଲେ ।

ସୁତନ ଗୁରୁଙ୍କୁ ସେମାନେ ମାଡ ମାରି କାରରୁ ଭିଡି ଆଣିଥିଲେ । ଶିକ୍ଷିତା ମହିଳାଙ୍କୁ ଜଣକ ପରେ ଜଣେ କରିଥିଲେ ଧର୍ଷଣ । ନିର୍ଜନ ରାତିରେ ମହିଳାଙ୍କ କରୁଣ ଚିତ୍କାର ପ୍ରତିଧ୍ୱନି ସୃଷ୍ଟି କରୁଥିଲା । ଅମାନୁଷିକ ଭାବେ ଅଭିଯୁକ୍ତମାନେ ନିଜ କାର୍ଯ୍ୟ ଜାରି ରଖିଥିଲେ । ମହିଳା ଜଣକ ଚେତାଶୂନ ହେବା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ପୁରୁଷ ବନ୍ଧୁଙ୍କ ସହାୟତାରେ ପୀଡିତା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପରେ ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ମାମଲା ରୁଜୁ କରିଥିଲା ସତ । କିନ୍ତୁ ଅଭିଯୁକ୍ତ ମାନଙ୍କୁ ଗିରଫ କରିପାରି ନଥିଲା । ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । କାଠଗଡାରେ ଠିଆ ହୋଇଥିଲା ସରକାର । ତତକାଳୀନ କଂଗ୍ରେସ ସରକାର ଘଟଣାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ବିରୋଧିଙ୍କ ହଟ୍ଟଗୋଳ ପରେ ବାଧ୍ୟ ହୋଇ ରାଜ୍ୟ ସରକାର ସିବିଆଇ ତଦନ୍ତ ସୁପାରିଶ କରିଥିଲେ ।

୧୯୯୯ ଜାନୁୟାରୀ ୨୬ରେ ପଦିଆ ଓ ଟୁନିଆକୁ ପୋଲିସ ଗିରଫ କରିଥିଲା । କିନ୍ତୁ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ବିବନକୁ ପୋଲିସ ଧରିବାରେ ସଫଳ ହୋଇ ନଥିଲା । ବିବନର ଘର ବାରଙ୍ଗ ଥାନା ବେଲଗୋଛିଆ ପଂଚାୟତ ନରଣପୁର । ଭୁବନେଶ୍ୱର କୋର୍ଟ ପଦିଆ ଓ ଟୁୁନିଆକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଆଦେଶ ଦେଇଥିଲେ । ଜେଲରେ ଥିବାବେଳେ କଟକ ଚାଉଳିଆଗଞ୍ଜ ଅଂଚଳର ପଦିଆର ମୃତ୍ୟୁ ହୋଇଛି । ଅନ୍ୟପଟେ କଟକ ସଦର ଥାନା କାଜିପାଟଣାର ଟୁନିଆର ମଧ୍ୟ ଜେଲରେ ମୃତ୍ୟୁ ହୋଇଛି । ଏହି ସମ୍ବେଦନଶୀଳ ଘଟଣାରେ ଏକମାତ୍ର ଜୀବିତ ମୁଖ୍ୟ ଅଭିଯୁକ୍ତ ବିବନ ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଥିଲା । ଫେଲ ମାରିଲା ସିବିଆଇ । ବିବନ ରାଜ୍ୟବାହାରେ ବିଭିନ୍ନ ସ୍ଥାନରେ ନିଜର ନାମ ବଦଳାଇ ରହୁଥିଲା । ପୁଣେର ଆମ୍ବିଭ୍ୟାଲିରେ ଜଳନ୍ଦର ସ୍ୱାଇଁ ନାଁରେ ୨୦୦୭ରେ ବିବନ ରହୁଥିଲା । ସେଠାରେ ଏକ କନଷ୍ଟ୍ରକସନ କମ୍ପାନୀରେ ପାଣି ପାଇପ ମିସ୍ତ୍ରୀ ଭାବେ କାମ କରୁଥିଲା । ୨୦୧୧ରେ ସେ ସେହି କମ୍ପାନୀର ହୋଇଥିଲା ରେଗୁଲାର କର୍ମଚାରୀ ।

ସେଠାରେ ସେ ଆଧାର କାର୍ଡ ପ୍ରସ୍ତୁତ କରିଥିଲା । ଆଉ ଖୋଲିଥିଲା ବ୍ୟାଙ୍କ ଆକାଉଂଟ । ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ ମରି ଯାଇଛି ବୋଲି ଡେଥ୍ ସାଟିର୍ଫିକେଟ ଯୋଗାଡରେ ଥିଲା ଏହି ଦୁର୍ଷ୍କମକାରୀ । ତାକୁ ଧରିବା ପାଇଁ ପୋଲିସ ‘ସାଇଲେଂଟ ବାଇପର’ ଆରମ୍ଭ କରିଥିଲା । ୨୨ ବର୍ଷ ପରେ ପୋଲିସ ପାଇଛି ସଫଳତା । ଅଭିଯୁକ୍ତ ଗିରଫ ହୋଇଛି । ପୀଡିତା ନ୍ୟାୟ ପାଇବେ ବୋଲି ଯେଉଁ ଆଶା ରଖିଥିଲେ ତାହା ପୂରଣ ହେବାକୁ ଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’