ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ଆଜିଠୁ ବଢ଼ିବ ବର୍ଷାର ପରିମାଣ । ଆଜି ସାରା ରାଜ୍ୟ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ଆସନ୍ତାକାଲି ମଧ୍ୟ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହା ସହ ଅନ୍ୟ ସବୁ ଜିଲ୍ଲାରେ ମଧ୍ୟ ବର୍ଷା ହେବାର ଆଶଙ୍କା ରହିଛି । ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଏପରି ବର୍ଷା ଲାଗି ରହିବ । ୪ ତାରିଖ ଯାଏଁ ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, ମାଲକାନଗିରି, କୋରାପୁଟରେ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ରବିବାରଠାରୁ ବର୍ଷା ପୁଣି କ୍ରମଶଃ ବଢ଼ିବ । ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ବର୍ଷା ପ୍ରକୋପ ଅଧିକ ରହିବା ସମ୍ଭାବନା ଅଛି ।
ସୋମବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ । କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଜପତି, ଗଞ୍ଜାମ, ନବରଙ୍ଗପୁରରେ ପ୍ରବଳ ବର୍ଷା ଓ କେତେକ ଜିଲ୍ଲାରେ ଘଡ଼ଘଡ଼ି, ପବନ ଏବଂ ବର୍ଷା ଆଶଙ୍କା ରହିଛି । ଏଭଳି ପାଗ ପରବର୍ତ୍ତୀ ଦୁଇଦିନ ମଧ୍ୟ ରହିବ । ଶନିବାର ପାରାଦୀପରେ ୩୦ ମିଲିମିଟର, ରାଜଧାନୀରେ ୨୨.୧ ମିମି ବର୍ଷା ରେକର୍ଡ ହୋଇଥିଲା । ସନ୍ଧ୍ୟାରେ ବି ଝିପିଝିପି ବର୍ଷା ଲାଗି ରହିଥିଲା ।
