Before Header

ସାମ୍ନାକୁ ଆସୁଛି ଚୀନର ଘୃଣ୍ୟ ସତ, ବିଶ୍ୱକୁ ହରାଇବାକୁ ଭୂତାଣୁ ଅସ୍ତ୍ର !

0 179

(ବଡ଼ ଖବର ବ୍ୟୁରୋ): ଚୀନର ଏକ ଦସ୍ତାବିଜରୁ ଆସିଲା ଚାଞ୍ଚଲ୍ୟକର ଖବର । ଯାହା ଏବେ ସମ୍ପୂର୍ଣ୍ଣ ବିଶ୍ୱରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । ଚାରିଆଡ଼େ ବ୍ୟାପିଛି ଅଦୃଶ୍ୟ ଭୂତାଣୁ କରୋନା । ଆଉ ଏଥିପାଇଁ ପ୍ରାଣ ବି ହରାଇଲେଣି ଅନେକ । ତେବେ ଏହା ଚାଇନାର ଷଡ଼ଯନ୍ତ୍ର ନା ଅନ୍ୟ କିଛି । କାରଣ ଭାଇରସ ଆସିବାର ୫ବର୍ଷ ପୂର୍ବରୁ ଚୀନର ସାମରିକ ବୈଜ୍ଞାନିକମାନେ ଏହାର ଯାଞ୍ଚ କରିଥିଲେ । ୨୦୧୯ ଡିସେମ୍ବର ମାସରେ ଚୀନର ଉହାନ ସହରରୁ ଚିହ୍ନଟ ହୋଇଥିଲା ମହାମାରୀ କରୋନା । ଧୀରେ ଧୀରେ ସମଗ୍ର ବିଶ୍ୱରେ କ୍ଷୀପ୍ର ଗତିରେ ମାଡ଼ିବାରେ ଲାଗିଲା । ଏଥିପାଇଁ ଚୀନକୁ ଦାୟୀ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଆସିଥିବା ଖବରକୁ ନଜର ପକାଇଲେ ଏହା ସ୍ପଷ୍ଟ ଜଣାପଡ଼ୁଛି ଯେ, ସମ୍ପୂର୍ଣ୍ଣ ବିଶ୍ୱ ପାଇଁ ଚୀନ ଆଗରୁ ହିଁ ଷଡ଼ଯନ୍ତ୍ର ରଚିସାରିଥିଲା ।

ଆମେରିକାର ବୈଦେଶିକ ବିଭାଗକୁ ମିଳିଛି ଏକ ଦଲିଲ ଯେଉଁଥିରେ ୨୦୧୫ ମସିହାରେ ଚୀନର ବରିଷ୍ଠ ସାମରିକ ବୈଜ୍ଞାନିକମାନେ କୋଭିଡ୍କୁ ନେଇ ଆଲୋଚନା କରିଥିଲେ । କେବଳ ସେତିକି ନୁହେଁ କରୋନା ଭୂତାଣୁକୁ ଅସ୍ତ୍ର ଭାବେ ତୃତୀୟ ବିଶ୍ୱଯୁଦ୍ଧରେ ପ୍ରୟୋଗ କରିବେ ବୋଲି ମଧ୍ୟ ଯୋଜନା କରିଥିଲେ । ଏହି ଖବର ପ୍ରଥମେ ବ୍ରିଟେନର ଏକ ଖବର କାଗଜରେ ପ୍ରକାଶିତ ହୋଇ ପରେ ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ରିପୋର୍ଟରେ କୁହାଯାଇଛି ଯେ, ଆମେରିକା ବୈଦେଶିକ ବିଭାଗକୁ ମିଳିଥିବା ‘ବୋମସେଲ’ ଡକ୍ୟୁମେଣ୍ଟରେ ଚୀନର ପିପୁଲସ୍ ଲିବରେସନ ଆର୍ମିର କମାଣ୍ଡୋ ମାନେ ଏକ ଘୃଣ୍ୟ ଭବିଷ୍ୟବାଣୀ କରିଛନ୍ତି । ଏଥିରେ ଚୀନର ବୈଜ୍ଞାନିକ ମାନେ ବିଷଦ ଆଲୋଚନା କରି କିପରି ତୃତୀୟ ବିଶ୍ୱଯୁଦ୍ଧରେ ସାର୍ସ-କୋଭ-୨କୁ ଜୈବ ବୋମା କରି ବ୍ୟବହୃତ କରିବେ ତାହାର ଯୋଜନା କରିଛନ୍ତି ।

ଏହି ଦଲିଲର ନାମ କରଣ ମଧ୍ୟ କରାଯାଇଥିଲା । ‘ଦି ଅନନାଚୁରାଲ ଅରିଜିନ ଅଫ ସାର୍ସ ଆଣ୍ଡ ନ୍ୟୁ ସ୍ପେସିଜ ଅଫ ମ୍ୟାନମେଡ ଭାଇରସେସ ଆଜ୍ ଜେନେଟିକ ବାୟୋୱିପନସ’ । ଏଥିରେ ଜୈବ ବୋମା ପ୍ରସ୍ତୁତି କିପରି ହେବ ସେ ନେଇ ମଧ୍ୟ ଲେଖାଯାଇଛି । ତୃତୀୟ ବିଶ୍ୱଯୁଦ୍ଧରେ ଚୀନ କିପରି ବିଜୟୀ ହେବ ଏବଂ ବିଶ୍ୱରେ ନିଜର ସାମ୍ରାଜ୍ୟ ବୃଦ୍ଧି କରିବ ତାର ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରିଥିଲା ଚୀନ । ସାର୍ସ ଭୂତାଣୁକୁ ନୂଆ ଯୁଗର ଅସ୍ତ୍ର ଭାବେ ଆଖ୍ୟା ଦିଆଯିବା ସହିତ ଏହାକୁ କିପରି କୃତ୍ରିମ ଭାବରେ ବହୁଗୁଣିତ କରାଯାଇ ଏକ ଅଗ୍ରଣୀ ଭୂତାଣୁ ଭାବେ ମାନବ ମଧ୍ୟକୁ ଛଡ଼ାଯିବ, ଯାହା କି ପୂର୍ବରୁ ଦେଖାଦେଇ ନ ଥିବ ବୋଲି ଆଲୋଚନା କରିଥିଲେ ଚୀନର ସାମରିକ ବୈଜ୍ଞାନିକ । ତେବେ ଏହି ଭୂତାଣୁ ପ୍ରାକୃତିକ ଭୂତାଣୁଙ୍କଠାରୁ ଅଲଗା ରହିବ ।

ଏହାକୁ କେବଳ ସାମରିକ କ୍ଷେତ୍ରରେ ନୁହେଁ ବରଂ ଆଞ୍ଚଳିକ, ଅନ୍ତର୍ଜାତିକ ରାଜନୈତିକ ସ୍ତରରେ ମଧ୍ୟ ସର୍ବସାଧାରଣରେ ବିନିଯୋଗ କରି ଏହାର ଆତଙ୍କ ସୃଷ୍ଟି କରି ହେବ । ଏହି ଭାଇରସକୁ ଶ୍ୱାସକ୍ରିୟା ମାଧ୍ୟମରେ ଲୋକଙ୍କ ମଧ୍ୟକୁ ଛଡ଼ାଯାଇ ରୋଗ ସୃଷ୍ଟି କରାଯିବ । ସାଧାରଣ ଥଣ୍ଡାଠାରୁ ଆରମ୍ଭ କରି ଗୁରୁତର ରୋଗ ସୃଷ୍ଟି କରିବ । ଏହା ଏତେ କ୍ଷୀପ୍ର ବ୍ୟାପିବ ଯେପରି ଶତ୍ରୁର ଚିକିତ୍ସା ବ୍ୟବସ୍ଥା ନଷ୍ଟ ହେବ । ସାର୍ସ-କୋଭ-୨ ଚୀନ ସରକାରଙ୍କ ଏକ ଲ୍ୟାବରୁ ଉତ୍ପନ୍ନ ହୋଇଥିବା ଦାବି କରାଯାଉଥିଲେ ମଧ୍ୟ ଚୀନ ଏହାକୁ ଖଣ୍ଡନ କରି ଆସିଛି । ବିଭିନ୍ନ ବିଶେଷଜ୍ଞ ତଦନ୍ତ ପାଇଁ ଚୀନ ଯିବାକୁ ଆଗ୍ରହ ପ୍ରକାଶ କରୁଥିଲେ ପ୍ରଥମେ ଚୀନ ଏହାକୁ ବିରୋଧ କରିଥିଲା । ପରେ ଅନୁମତି ଦେଇଥିଲା ସତ କିନ୍ତୁ କିଛି ଗବେଷକ ସେଠାରୁ ଆସି ଜଣାଇଥିଲେ ଯେ, ଚୀନରେ ସେମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି । ଆଉ ବର୍ତ୍ତମାନ ଏହି ଖବର ଏବେ ସାମ୍ନାକୁ ଆସିବା ପରେ ବିଶ୍ୱ ନେତାମାନଙ୍କ ଚିନ୍ତା ବଢ଼ିଛି ।

Leave A Reply

Your email address will not be published.