Before Header

ଆଦର୍ଶ ପଞ୍ଚାୟତରେ ମହାଦୁର୍ନୀତି

0 108

ଯାଜପୁର(ବଡ଼ ଖବର ବ୍ୟୁରୋ): ଦୁର୍ନୀତିର ଗନ୍ତାଘର ପାଲଟିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ଆଦର୍ଶ ପଞ୍ଚାୟତ ପାଲଟପୁର । ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନିର୍ବାଚନମଣ୍ଡଳୀରେ ହୋଇଛି ଏଭଳି ଦୁର୍ନୀତି । ସ୍ୱଚ୍ଛ ଶାସନ ଓ ଦୁର୍ନୀତିମୁକ୍ତ ସରକାର କଥା କହୁଥିବା ପ୍ରମିଳା ମଲ୍ଲିକଙ୍କ ନିର୍ବାଚନମଣ୍ଡଳୀରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅର୍ଥକୁ ଚଳୁ କରିଛନ୍ତି ସରପଞ୍ଚଙ୍କ ସ୍ୱାମୀ ଏବଂ ପଞ୍ଚାୟତର କିଛି ମାଫିଆ ।

ରାଜ୍ୟ ସରକାର ପିଠା ଯୋଜନାରେ ପାଲଟପୁର ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ଭାବେ ମନୋନୀତ କରିଥିଲେ । ଏହି ପଞ୍ଚାୟତର ଉନ୍ନତି ପାଇଁ ସରକାର ୮ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । କିନ୍ତୁ ପାଠାଗାର ନିର୍ମାଣ ପାଇଁ ପଞ୍ଚାୟତ ଏବଂ ବ୍ଲକ କାର୍ୟ୍ୟାଳୟରେ କୌଣସି ଫାଇଲ ଖୋଲାଯାଇନାହିଁ । ପ୍ଲଟ ନମ୍ବର ୧୦୭୧ରେ ପାଠାଗାର ନିର୍ମାଣ ଦର୍ଶାଇ ହନୁମାନ କମ୍ୟୁନିଟି ସେଣ୍ଟର ନିର୍ମାଣ କରାଯାଇଥିଲା । ବେଆଇନ ଭାବେ କମ୍ୟୁନିଟି ସେଣ୍ଟର ନିର୍ମାଣ କରାଯାଉଥିବାରୁ ପଞ୍ଚାୟତବାସୀଙ୍କ ତରଫରୁ ହାଇକୋର୍ଟରେ ୨୦୧୯ରେ ମାମଲା ରୁଜୁ କରାଯାଇଛି ।

ଏହି ପଞ୍ଚାୟତରେ ଦୁଇଟି କମ୍ୟୁନିଟି ଶୌଚାଳୟ ପାଇଁ ୧୭ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । କିନ୍ତୁ ଦୁଇଟି ସ୍ଥାନରେ ମାତ୍ର ୮ଟି ପାଇଖାନା ତିଆରି କରାଯାଇଛି । ସରକାରୀ ଅର୍ଥକୁ ଠିକାଦାର, ଜେଇ ଏବଂ ପିଇଓ ହରିଲୁଟ କରିଛନ୍ତି । କମାରସାହି ନିକଟରେ ହୋଇଥିବା ଶିଶୁ ଉଦ୍ୟାନ ନିର୍ମାଣ ପାଇ ୨୮ଲକ୍ଷ ୨୦ ହଜାର ଟଙ୍କା ଆସିଥିଲା । ନାକୁ ମାତ୍ର ପାର୍କ କରି ସରକାରୀ ଅର୍ଥକୁ ହରିଲୁଟ କରାଯାଇଛି ।

ଏହି ଦୁର୍ନୀତି ବିରୋଧରେ ପଞ୍ଚାୟତବାସୀଙ୍କ ତରଫରୁ ଜିଲ୍ଲପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଭିଜିଲାନ୍ସ ବିଭାଗ ଏବଂ ପଞ୍ଚାୟତିରାଜ ମୁଖ୍ୟଶାସନ ସଚିବ,୫ଟି ସଚିବଙ୍କୁ ଏହି ଦୁର୍ନୀତି ସମ୍ପର୍କରେ ଅବଗତ କରାଇଛନ୍ତି । ମାତ୍ର ସମସ୍ତେ ନିରବ ରହିବାରୁ ଅଭିଯୋଗକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୯୦ଦିନ ମଧ୍ୟରେ ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେଣେ ଜିଲ୍ଲାପାଳ କହିଛନ୍ତି ତଦନ୍ତ ହେବ ।

କଥା କଥାରେ ସ୍ୱଚ୍ଛ ଶାସନ, ଦୁର୍ନୀତିମୁକ୍ତ ସରକାର ରାଜ୍ୟରେ ଚାଲିଥିବା କହୁଛନ୍ତି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ନିଜ ନିର୍ବାଚନ ମଣ୍ଡଳୀ ଦଶରଥପୁର ବ୍ଲକ ପାଲଟପୁର ପଞ୍ଚାୟତରେ ହୋଇଥିବା ଦୁର୍ନୀତିକୁ ସେ ସହିଛନ୍ତି କିପରି? ନିଜ ସମର୍ଥକଙ୍କ ଅସଲ ଚେହେରା ପଦାରେ ପଡିଯିବାର ଭୟ ତାଙ୍କୁ ଘାରୁଛି କି? ନିଜ ନିର୍ବାଚନମଣ୍ଡଳୀରେ ଚାଲିଥିବା ହରିଲୁଟକୁ ସେ କ’ଣ ସ୍ୱଚ୍ଛ ଶାସନ ବୋଲି କହିବେ?

Leave A Reply

Your email address will not be published.