ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତାକାଲି ଓଡ଼ିଶାରେ ରାଜ୍ୟର ପ୍ରଥମ ତଥା ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍‍ଗ୍ରହଣ ଅନୁଷ୍ଠିତ ହେବ । ମେ’ ୧୩ରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ପଡ଼ିବ ଭୋଟ୍ । ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ୍ ୭ହଜାର ୩୦୩ ମତଦାନ କେନ୍ଦ୍ର କରାଯାଇଛି ।

ଓଡ଼ିଶା ସମେତ ୧୦ ରାଜ୍ୟ ଓ କେନ୍ଦ୍ରଶାସନ ଅଞ୍ଚଳରେ ୯୬ ଆସନରେ ଭୋଟିଂ ହେବ । ଏହି ପର୍ଯ୍ୟାୟରେ ବହୁ ଭିଆଇପି ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା । ଚତୁର୍ଥ ପର୍ଯ୍ୟାୟରେ ୧୭୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଆନ୍ଧ୍ରପ୍ରଦେଶର ୨୫ଟି ଆସନ, ବିହାରର ୫, ଜାମ୍ମୁ କାଶ୍ମୀରର ଗୋଟିଏ, ଝାରଖଣ୍ଡର ୪, ମଧ୍ୟପ୍ରଦେଶର ୮, ମହାରାଷ୍ଟ୍ରରେ ୧୧, ଓଡ଼ିଶାରେ ୪, ତେଲେଙ୍ଗାନାରେ ୧୭, ଉତ୍ତରପ୍ରଦେଶର ୧୩, ପଶ୍ଚିମବଙ୍ଗର ୮ଟି ଆସନରେ ହେବ ମତଦାନ । ସେପଟେ ସାଧାରଣ ନିର୍ବାଚନ ଲାଗି ବିଭିନ୍ନ ବୁଥ ଅଭିମୁଖେ ପୋଲିଂ ଟିମ୍ । କେଉଁ ବୁଥରେ ଟିମ୍ ପହଞ୍ଚି ସାରିଛନ୍ତି ତ ଆଉ କେଉଁଠି ବୁଥ ମୁହାଁ ।

କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ୩୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେମାନଙ୍କ ମଧ୍ୟରେ ୩୦ଜଣ ପୁରୁଷ ଏବଂ ୭ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । କୋରାପୁଟ, କଳାହାଣ୍ଡି ଏବଂ ବ୍ରହ୍ମପୁର ଲୋକସଭା ଆସନ ପାଇଁ ୧୧ ଜଣ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ନବରଙ୍ଗପୁର ଲୋକସଭା ଆସନ ପାଇଁ ୪ ଜଣ ପ୍ରାର୍ଥୀ ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରୁଛନ୍ତି । ୨୮ଟି ବିଧାନସଭା ଆସନ ପାଇଁ ୨୪୩ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ମୋଟ୍‍ ୬୨ ଲକ୍ଷ ୮୭ ହଜାର ୨୨୨ ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ୭ ହଜାର ୨୮୯ଟି ଏବଂ ୧୪ଟି ଅତିରିକ୍ତ ବୁଥ୍‍ ପ୍ରସ୍ତୁତ କରାଯାଇଛି ।

ସେଥିମଧ୍ୟରୁ ୭୪୮ଟି ସହରାଞ୍ଚଳ ଓ ୬ ହଜାର ୫୫୫ଟି ବୁଥ୍‍ ଗ୍ରାମାଞ୍ଚଳରେ ରହିଛି । ମତଦାତାଙ୍କ ମଧ୍ୟରେ ୩୦ ଲକ୍ଷ ୯୭ ହଜାର ୫୨୭ ଜଣ ପୁରୁଷ, ୩୧ ଲକ୍ଷ ୮୯ ହଜାର ୬୦ ଜଣ ମହିଳା ଏବଂ ୬୩୫ ଜଣ ତୃତୀୟ ଲିଙ୍ଗୀ ମତଦାତା ଅଛନ୍ତି । ସମ୍ଭାବ୍ୟ ଅଂଶୁଘାତ ମୁକାବିଲାପାଇଁ ପ୍ରତିଟି ମତଦାନ କେନ୍ଦ୍ରରେ ଆଶାକର୍ମୀ ରହିବେ । ଅଂଶୁଘାତର ଜରୁରୀ ଚିକିତ୍ସା ପାଇଁ ସେଠାରେ ଆଶୁଚିକିତ୍ସା ବ୍ୟବସ୍ଥା ସହ ଓ.ଆର୍‍.ଏସ୍‍. ମହଜୁଦ ରଖାଯିବ । ପ୍ରତି ସେକ୍ଟର ଅଫିସରଙ୍କ ସହ ଜଣେ ପାରା-ମେଡିକାଲ୍‍ ଷ୍ଟାଫ୍‍ ଜରୁରୀ ଔଷଧପତ୍ର ସହ ଉପସ୍ଥିତ ରହିବେ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି । ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କପାଇଁ ଘରୁ ବୁଥ୍‍କୁ ଯିବାଆସିବାପାଇଁ ନିଃଶୁଳ୍କ ଯାନର ବ୍ୟବସ୍ଥା କରାଯାଇଛି । ଏଥିସହିତ ସମ୍ବେଦନଶୀଳ ବୁଥ୍‍ଗୁଡ଼ିକରେ ସି.ସି.ଟି.ଭି. ଓ ୱେବ୍‍କାଷ୍ଟିଂର ବ୍ୟବସ୍ଥା କରାଯାଇଥିବା ଶ୍ରୀ ଧଳ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *