ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରବିବାର ପିପିଲି ଉପନିର୍ବାଚନର ଫଳ ଆସିଛି । ଆମେ ଅଭିନନ୍ଦନ ଜଣାଇବାକୁ ଚାହିଁବୁ ବିଜୁ ଜନତା ଦଳର ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କୁ । ପିପିଲିର ଜନାଦେଶ ତାଙ୍କ ସପକ୍ଷରେ ଯାଇଛି । ଏବେ ସେ ପିପିଲିର ବିଧାୟକ । କେବଳ ବିଜେଡି କର୍ମୀଙ୍କ ନୁହେଁ, ସେ ସେଠାକାର ସବୁ ଜନତାଙ୍କ ବିଧାୟକ । ତେଣୁ ସେ ସମଗ୍ର ପିପିଲିବାସୀଙ୍କ ଉନ୍ନତି ପାଇଁ କାମ କରିବେ ବୋଲି ଆଶା କରିବା । ତେବେ ଆମ ଚର୍ଚ୍ଚାର ପ୍ରସଙ୍ଗ ଆଜି ଏହା ନୁହେଁ, ବରଂ ଆମ ରାଜନୀତି ବ୍ୟବସ୍ଥାରେ ବଢୁଥିବା ଆଉ ଏକ ଦିଗ ଉପରେ । ସେ ଦିଗଟି ହେଉଛି ବଂଶବାଦ ରାଜନୀତିକୁ ନେଇ । ବଂଶବାଦ ରାଜନୀତି କହିଲେ, ଏ ଅଭିଯୋଗ ସବୁବେଳେ କଂଗ୍ରେସ ମୁଣ୍ଡରେ ଲାଗି ଆସିଛି । ବିଶେଷକରି, ଗାନ୍ଧି-ନେହେରୁ ପରିବାର ଦୃଷ୍ଟିରୁ । ଅବଶ୍ୟ ଏହା ସଂପୂର୍ଣ୍ଣ ଉଚିତ୍ ଆରୋପ । କଂଗ୍ରେସ ଭଳି ସବୁଠୁ ପୁରୁଣା ଦଳ ଯେଉଁଭଳି ଭାବେ ଗୋଟିଏ ପରିବାରର ପ୍ରାଇଭେଟ୍ କମ୍ପାନୀ ଭଳି ରହିଛି ତାହା ଆଦୌ ଉଚିତ୍ ନୁହେଁ । ତେବେ ଆମକୁ ଏବେ ଆଉ ଗୋଟିଏ ଦିଗ ଉପରେ ମଧ୍ୟ ଦୃଷ୍ଟି ଦେବାକୁ ହେବ । ସେ ଦିଗଟି ଏୟା, ବଂଶବାଦ ରାଜନୀତି କେବଳ ଆଉ କଂଗ୍ରେସରେ ସୀମିତ ହୋଇ ରହିନାହିଁ । ଏହା ଏବେ ସବୁ ଦଳକୁ ବ୍ୟାପୀ ସାରିଲେଣି । ଯେଉଁ ରାଜନୈତିକ ଦଳ କଂଗ୍ରେସ ବିରୋଧରେ ଏହି ଆରୋପ ଲଗାଇ ରାଜନୀତି କରୁଛନ୍ତି, ରାଜନୈତିକ ସଫଳତା ପାଉଛନ୍ତି, ସେମାନେ ମଧ୍ୟ ଏହି ବଂଶବାଦର ରାଜନୀତି କରଛନ୍ତି । ଜଣେ ନେତା ହେବ, ବର୍ଷ ବର୍ଷ ଧରି କ୍ଷମତା ଉପଭୋଗ କରିବ, ସେ ରାଜନୀତିରୁ ବାହାରିବା ପରେ ତାହା ପୁଅ ତାହା ଜାଗାରେ ରାଜନୀତି କରିବ । ପାର୍ଟିର ଟିକଟ ପାଇବ । ନେତା ହେବ । ଯେମିତି ସେ ଅଞ୍ଚଳରେ ଆଉ ଅନ୍ୟ କେହି ରାଜନୀତି କରିବେ ନାହିଁ । କିମ୍ବା ସେହି ପରିବାର ବାହାରେ ଆଉ କେହି ଯେମିତି ଯୋଗ୍ୟ କି ଦକ୍ଷ ନାହାନ୍ତି । ଜୀବନ ତମାମ ଯେଉଁମାନେ ପାର୍ଟି ପାଇଁ କାମ କରୁଛନ୍ତି, ପାର୍ଟି ପାଇଁ ନିଜକୁ ସମର୍ପିତ କରୁଛନ୍ତି, ସେମାନଙ୍କ ଭାଗ୍ୟରେ କେବଳ କର୍ମୀ ହୋଇ ରହିବା ହିଁ ଲେଖା ହୋଇଛି । ସବୁଠୁ ବଡ଼ କଥା ହେଉଛି, ପରିବାରବାଦ ରାଜନୀତି ବିରୋଧରେ ଏତେ ସଚେତନତା ବଢୁଛି, ଭୋଟର ସବୁକଥା ଜାଣୁଛନ୍ତି ତଥାପି ଏହି ସଂଖ୍ୟା ଆଗ ଅପେକ୍ଷା ବଢିବାରେ ଲାଗିଛି । ପୁରୁଣା କଥାକୁ ବେଶି ଯିବାକୁ ଚାହୁନାହିଁ, କାରଣ ବାପାଙ୍କ ଉତ୍ତରାଧିକାରୀ ସୂତ୍ରରେ ରାଜନୀତି କରିବା, ବାରମ୍ବାର ବାପାଙ୍କ ସ୍ୱପ୍ନ କଥା କହି କ୍ଷମତା ପାଇବାର ଅନେକ ଉଦାହରଣ ଆମ ଆଗରେ ରହିଛି । ଏ ଉଦାହରଣ ସାରା ଦେଶରେ ରହିଛି । ଖାଲି କଂଗ୍ରେସ କଥା ପ୍ରଚାର ହୁଏ, କିନ୍ତୁ ସବୁଦଳରୁ ଆପଣ ଏହି ଉଦାହରଣ ପାଇପାରିବେ । ଯଦି ଆମେ କେବଳ ୨୦୧୯ ପରଠାରୁ ଉଦାହରଣ ନେବା, ଆମ ରାଜ୍ୟ କଥା ହେବା, ତାହେଲେ ବି ଆପଣ ଜାଣିପାରିବେ କେମିତି ରାଜନୀତି ଓ କ୍ଷମତା ଗୋଟିଏ ପରିବାର ଭିତରେ ରଖିବାର ଧାରା ସମୟକ୍ରମେ କମିବା ବଦଳରେ ବଢୁଛି, ଯାହା ଅତ୍ୟନ୍ତ ଚିନ୍ତାର ବିଷୟ ।
ତାଲିକାର ଆରମ୍ଭ, ଏବେ ଏବେ ବିଧାୟକ ହୋଇଥିବା ରୁଦ୍ରପ୍ରତାପ ମହାରଥୀଙ୍କଠାରୁ କରି ପାରିବା । ରୁଦ୍ରପ୍ରତାପ ମହାରଥୀଙ୍କ ବାପା ପ୍ରଦୀପ ମହାରଥୀ ପିପିଲିରୁ ବିଧାୟକ ଥିଲେ । ଥରେ ନୁହେଁ, ସାତ ସାତ ଥର ବିଧାୟକ ଥିଲେ । ମନ୍ତ୍ରୀ ହୋଇଛନ୍ତି । ସବୁ କ୍ଷମତା ଉପଭୋଗ କରିଛନ୍ତି । ତାଙ୍କ ଦେହାନ୍ତ ପରେ ବିଜେଡି ତାଙ୍କରି ପୁଅକୁ ଟିକଟ ଦେଲା । ଯେମିତି ବିଜେଡିରେ ମହାରଥୀ ପରିବାରକୁ ବାଦ୍ ଦେଲେ ଅନ୍ୟ କୌଣସି ନେତା ବା କର୍ମୀଙ୍କୁ ବିଧାୟକ ହେବାର ସୁଯୋଗ ମିଳିବ ନାହିଁ । ଆମର ପ୍ରଶ୍ନ, ଏଭଳି କାହିଁକି? ବିଜେଡିରେ ପିପିଲିରେ ଅନେକ ନେତା ଅଛନ୍ତି । ଦଳ ପାଇଁ ବହୁତ କାମ ବି କରୁଛନ୍ତି । ଯେତେବେଳେ ଜଣେ ୩୦ ବର୍ଷରୁ ଅଧିକ ବିଧାୟକ ରହିସାରିଛନ୍ତି, ଯାହା କରିବା କଥା କରିସାରିଛନ୍ତି, ପୁଣି ସେହି ପରିବାରୁ ଆଉ ଜଣକୁ ଟିକଟ ନ ଦେଇ, ଦଳ ପାଇଁ ପରିଶ୍ରମ କରୁଥିବା ଆଉ କାହାକୁ ଆମେ କାହିଁକି ଜନପ୍ରତିନିଧି ହେବାର ସୁଯୋଗ ଦେଇପାରିବା ନାହିଁ? ଆମେ କଣ ରାଜତନ୍ତ୍ର ଶାସନରେ ଅଛେ? ଯେଉଁଠି ରାଜା ପରେ ରାଜାଙ୍କ ପୁଅ ରାଜା, ତାହା ପରେ ତାଙ୍କ ପୁଅ ରାଜା ହେବେ । ଖାଲି ପିପିଲି ନୁହେଁ, ଆପଣ ଯଦି ବାକି ନିର୍ବାଚନମଣ୍ଡଳୀର ବି ଅବସ୍ଥା ଦେଖିବେ, ସେଠି ବି ବଂଶବାଦ ରାଜନୀତି ଚାଲିଛି । କେହି କାହା ପାଇଁ ବାଟ ଛାଡିବାକୁ ପ୍ରସ୍ତୁତ ନୁହେଁ । ସେମାନେ ଗଲେ କେମିତି ତାଙ୍କ ପରିବାରରୁ କେହି ଗାଦିରେ ବସିବେ ଆମ ନେତାଙ୍କ ସେହି ଚିନ୍ତା । ଯିଏ ସାରା ଜୀବନ ପରିଶ୍ରମ କରି ଆନୁଗତ୍ୟ ଦେଖାଏ, ଜିନ୍ଦାବାଦ ପକାଏ, ଜୀ ଜାନ୍ ଲଗାଇ ଦିଏ, ତାକୁ କେବେ ବି ନେତା କରିବା କଥା ଆମ ନେତା ଭାବନ୍ତି ନାହିଁ । ଅନେକ ଏଭଳି ନେତା ହୋଇସାରିଛନ୍ତି, ନାଁ ଗଣିଲେ ଖୁବ୍ ଲମ୍ବା ହେବ । ତେଣୁ ଏବେ ଏବେ ନଗଦ ପରିବାରବାଦରୁ ନେତା ହୋଇଥିବା କିଛିଙ୍କ ଉପରେ ନଜର ପକାଇବା ।
ପିପିଲି ପରେ ଚୌଦ୍ୱାର ଯିବା । ଚୌଦ୍ୱାରରେ ବିଧାୟକ ଥିଲେ ପ୍ରଭାତ ବିଶ୍ୱାଳ । ସେ ଦୀର୍ଘ ଦିନ ବିଧାୟକ ରହିଲେ । ତାଙ୍କ ପରେ ବିଜେଡି ଟିକଟ ତାଙ୍କ ପୁଅ ସୌଭିକ ବିଶ୍ୱାଳକୁ ଧରାଇ ଦିଆଗଲା । ସେମିତି ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଓ ତାଙ୍କ ପୁଅ ଦେବୀ ରଂଜନ ତ୍ରିପାଠୀଙ୍କ ଉଦାହରଣ ବି ଦେଖିପାରନ୍ତି । କଟକ ରାଜନୀତିର ଏହି ଦୁଇ ପ୍ରଭାତ ୨୦୧୯ରେ ବିଧାୟକ ଟିକଟ ପାଇଲେନି, ବଦଳରେ ତାଙ୍କ ପୁଅଙ୍କ ପାଇଁ ପାର୍ଟି ଟିକଟ ନେଇଆସିଲେ । ମାନେ ସେ ବିଧାୟକ ହେବେ, ଯଦି ସେ ନହେଲେ ବଦଳରେ ତାଙ୍କ ପୁଅ ହେବେ । ଦଳ ଭିତରେ ଦ୍ୱିତୀୟ ସୁଯୋଗ କାହାକୁ ମିଳିବନି । ସେହିଭଳି ବାସୁଦେବପୁରର ବିଧାୟକ ଥିବା ସ୍ୱର୍ଗତଃ ବିଜୟଶ୍ରୀ ରାଉତରାୟ ଅନେକ ବର୍ଷ ରାଜନୀତିରେ ରହିବା ପରେ, ସବୁ କ୍ଷମତା ପାଇବା ପରେ ଯେତେବେଳେ ରାଜନୀତି ଛାଡିବାକୁ ଚାହିଁଲେ, ସେତେବେଳେ ଦଳର ଟିକଟ ତାଙ୍କ ପୁଅ ବିଷ୍ଣୁବ୍ରତଙ୍କୁ ମିଳିଲା । ଏଠି ତ ବିଷ୍ଣୁବ୍ରତ ତାଙ୍କ ପରିବାର ରାଜନୀତିର ତୃତୀୟ ପିଢି । ତାଙ୍କ ଜେଜେବାପା ନୀଳମଣି ରାଉତରାୟ ହେଉଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ।
ପାରାଦୀପ ବିଧାୟକ ଥିଲେ ପୁରୁଖା ନେତା ଦାମ ରାଉତ । ସେ ବି ଦୀର୍ଘ ବର୍ଷ ଧରି ରାଜନୀତିରେ । ବାରମ୍ବାର ମନ୍ତ୍ରୀ ହୋଇଛନ୍ତି । ଯେତେବେଳେ ବିଜେଡି ତାଙ୍କୁ ଦଳରୁ ବିଦାକଲା, ସେତେବେଳ ପାରାଦୀପରୁ ତାଙ୍କ ବଦଳରେ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ଟିକଟ ଦିଆଗଲା । ସେ ବି ବିଧାୟକ ଭାବେ ଜିତି ବାପା ବଦଳରେ ପୁଅ ରାଜନୀତିରେ ବିଧାନସଭାରେ ପହଞ୍ଚିଯାଇଛନ୍ତି ।
୨୦୧୯ରେ ଭଦ୍ରକ ଲୋକସଭା ଆସନରେ ମଧ୍ୟ ପରିବାରବାଦ ରାଜନୀତି ଦେଖିବାକୁ ମିଳିଥିଲା । ଅବଶ୍ୟ ଏଠି ବାପ-ପୁଅ ରାଜନୀତି ନୁହେଁ, ସ୍ୱାମୀ-ସ୍ତ୍ରୀ ରାଜନୀତି । ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଟିକଟ ମିଳିଲା ନାହିଁ ତ ତାଙ୍କ ପତ୍ନୀ ମଞ୍ଜୁଲତା ମଣ୍ଡଳଙ୍କୁ ପାର୍ଟି ଏମପି ଟିକଟ ଧରାଇଦେଲା ।
କଂଗ୍ରେସ ଓ ବିଜେପିରେ ବି ଏହାର ଉଦାହରଣ ଦେଖିବାକୁ ମିଳିଥିଲା । କିନ୍ତୁ ସେହି ଦଳର ପରିବାରବାଦ ରାଜନୀତିରେ ସଫଳତା ମିଳି ନ ଥିବା ବେଳେ ବିଜେଡିର ବଂଶବାଦ ରାଜନୀତି ସୂତ୍ରରେ ଅନେକ ବିଧାୟକ ହୋଇଗଲେ ।
୨୦୧୯ ନିର୍ବାଚନ ପରେ ଗୋଟିଏ ନିର୍ବାଚନ ଓ ୪ଟି ଉପନିର୍ବାଚନ ହୋଇସାରିଲାଣି । ଏଥିରେ ଏହି ଧାରା ଆହୁରି ତୀବ୍ର ହୋଇଛି । ଏହି ୫ଟି ନିର୍ବାଚନରେ ୬ ପ୍ରାର୍ଥୀ ବଂଶବାଦରୁ । ପ୍ରଥମେ ପାଟକୁରା ନିର୍ବାଚନ । ଏହି ନିର୍ବାଚନ ଅଟକିଥିଲା ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପାଇଁ । ପରେ ଯେତେବେଳେ ନିର୍ବାଚନ ହେଲା ସେତେବେଳେ ବିଜେଡି ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ଟିକଟ ଧରାଇଦେଲା ।
ଏବେ ୪ଟି ଉପନିର୍ବାଚନ ଉପରେ ନଜର ପକାଇବା ।
ବିଜେପୁରରେ ବିଧାୟକ ହୋଇଥିବା ରୀତା ସାହୁ, ତାଙ୍କ ସ୍ୱାମୀ ପୂର୍ବତନ ବିଧାୟକ ସ୍ୱର୍ଗତଃ ସୁବଳ ସାହୁଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବରେ ବିଧାନସଭାରେ ପହଞ୍ଚିଛନ୍ତି । ଏହାପରେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଏହି ଧାରା ବଂଶବାଦ ରାଜନୀତିର ସବୁ ସୀମା ଟପିଯାଇଛି । ବାଲେଶ୍ୱରରେ ବିଧାୟକ ଥିବା ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ଭାରତୀୟ ଜନତା ପାର୍ଟି ଟିକଟ ଦେଲା । ଏଠି ତିର୍ତ୍ତୋଲରେ ବିଷ୍ଣୁ ଦାସଙ୍କ ପୁଅ ବିଜୟଶଙ୍କରଙ୍କୁ ବିଜେଡି ଟିକଟ ଦେଲା । ଏହି ଦୁଇ ଦଳ କଂଗ୍ରେସକୁ ବେଶି ଗାଳି ଦିଅନ୍ତି ବଂଶବାଦ ରାଜନୀତି କଥା କହି । ଆଉ ଉଭୟ ସେହି ରାସ୍ତାରେ । ବାଲେଶ୍ୱରରେ ମଦନମୋହନଙ୍କ ପୁଅ ହାରିଲେ, ତିର୍ତ୍ତୋଲରେ ବିଷ୍ଣୁଙ୍କ ପୁଅ ଜିତିଲେ । ଏହାପରେ ଆପଣ ପିପିଲି ଉପନିର୍ବାଚନ କଥା ଦେଖୁଛନ୍ତି । ଗଣତନ୍ତ୍ର ଖୋଳପାରେ ଚାଲିଥିବା ରାଜତନ୍ତ୍ରକୁ ଆମେ ଦେଖୁଛେ । ଖାଲି ଦେଖୁ ନାହାନ୍ତି, ଆମ ଭୋଟର ବି ଏହି ରାଜତନ୍ତ୍ରକୁ ପ୍ରତ୍ୟାଖାନ ନ କରି ସମର୍ଥନ କରୁଥିିବା ଭଳି ଲାଗୁଛି । ଏପଟେ ଭୋଟ୍ ରାଜନୀତି ଯେଉଁସ୍ତରକୁ ଖସିଲାଣି ସେଠି ଦଳର ସୁପ୍ରିମୋଙ୍କ ନିଷ୍ପତ୍ତିକୁ ମାନିବା ଛଡା କର୍ମୀ ଓ ଅନ୍ୟ ଯୋଗ୍ୟ ନେତାଙ୍କ ପାଖରେ ଉପାୟ ବା କ’ଣ? ଏଭଳି ଅବସ୍ଥା ଦେଖି ଆମକୁ ସୁପର ଥାର୍ଟି ହିନ୍ଦୀ ଫିଲ୍ମରେ ଆନନ୍ଦ କୁମାରଙ୍କ ଚରିତ୍ର ନିଭାଉଥିବା ହ୍ରିତିକ ରୋଶନଙ୍କୁ ରିକ୍ସାରେ ନେଇ ଯାଉଥିବା ସେହି ବ୍ୟକ୍ତିଙ୍କ ସଂଳାପ ମନେ ପଡୁଛି, ଯେଉଁଠି ଗରିବ ରିକ୍ସାଚାଳକର ପୁଅ ମେଧାବୀ ହୋଇ ବି ସୁଯୋଗରୁ ବଂଚିତ ହେଉଥିବାରୁ ସେ କହୁଛନ୍ତି, ଏଠି ରାଜାର ପୁଅ ହିଁ ରାଜା ହୁଏ । ଅବଶ୍ୟ ସେହି ଡାଇଲଗ କାହାଣୀରେ ଆନନ୍ଦ କୁମାରଙ୍କ ଚରିତ୍ର ନିଭାଉଥିବା ହ୍ରିତିକଙ୍କ ପୂରା ଜୀବନକୁ ବଦଳାଇ ଦିଏ । ସେ ଲାଗିଯାନ୍ତି ଏକ ନୂଆ ଇତିହାସ ଲେଖିବାକୁ । ଯେଉଁଠି ରାଜାର ପୁଅ ରାଜା ନୁହେଁ ବରଂ ଯିଏ ଯୋଗ୍ୟ ସେ ରାଜା ହେବ । ସେ ତାହା କରିଦେଖାନ୍ତି ମଧ୍ୟ । ଆମେ ବି ସେହି ଆଶା ରଖୁଛୁ । ରାଜାର ପୁଅ ରାଜା ନୁହେଁ, ରାଜା ସେ ହେଉ ଯିଏ ରାଜା ହେବାକୁ ଯୋଗ୍ୟ । ଯେଉଁଦିନ ତାହା ହେବା ସମ୍ଭବ ହେବ, ଲୋକେ ପରିବାରବାଦକୁ ପ୍ରତ୍ୟାଖାନ କରି ଯୋଗ୍ୟ ନେତାଙ୍କୁ ବାଛିବା ଆରମ୍ଭ କରିବେ, ସେଦିନ ଏ ଦେଶର ଭାଗ୍ୟ ବଦଳି ଯିବ ।