Before Header

ଏଥର ଢେଙ୍କାନାଳ କାହାର?

0 1,056

ଢେଙ୍କାନାଳ (ବଡ଼ ଖବର ବ୍ୟୁରୋ): ରାଜ୍ୟ ରାଜନୀତିରେ ଢେଙ୍କାନାଳ ନିର୍ବାଚନମଣ୍ଡଳି ଏକ ସ୍ୱତନ୍ତ୍ର ସ୍ଥାନ ବହନ କରି ଆସିଛି । ଏହି ନିର୍ବାଚନମଣ୍ଡଳି ବିଜେଡିର ଗଡ ଭାବେ ଦବଦବା ରଖିଛି । ବିଜେଡିର ଏହି ଗଡରେ ପଦ୍ମ ଫୁଟାଇବାକୁ ବିଜେପି କରୁଛି ସ୍ୱତନ୍ତ୍ର ରଣନୀତି । ଅନ୍ୟପଟେ କଂଗ୍ରେସ ଜଣେ ମହିଳା ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇ ବିଜେଡି ଗଡ ହାତେଇବାକୁ ଅଛି ଆଶାବାଦୀ। ଆଉ ଏହି ସବୁ ଭିତରେ କାହା ଉପରେ ଭରସା କରିବେ ଭୋଟର । କାହାର ହେବ ଗଡ ତାକୁ ନେଇ ଚାଲିଛି ବିଭିନ୍ନ ଦଳ ପକ୍ଷରୁ ଅଙ୍କକଷା । ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳିରେ ଗନ୍ଦିଆ ବ୍ଳକର ୨୯ଟି ଗ୍ରାମ ପଞ୍ଚାୟତ ଏବଂ ସଦର ବ୍ଳକର ୨୧ଟି ଗ୍ରାମ ପଞ୍ଚାୟତ ମୋଟ ୫୦ଟି ପଞ୍ଚାୟତ ରହିଛି ।

ସେହିପରି ଢେଙ୍କାନାଳ ପୌରାଞ୍ଚଳର ୨୩ଟି ୱାର୍ଡ ରହିଛି । ପୂର୍ବରୁ କଂଗ୍ରେସ ଗଡ଼ କୁହା ଯାଉଥିବାବେଳେ ୧୪ ଏବଂ ୧୯ ସାଧାରଣ ନିର୍ବାଚନରେ ଢେଙ୍କାନାଳ ଆସନରୁ ବିଜେଡି ଦଳର ପ୍ରାର୍ଥୀମାନେ ବିଜୟ ହୋଇ ବିଜେଡି ଦଳ ତାର ଦବଦବା ବଜାୟ ରଖିଛି । ପୂର୍ବ ନିର୍ବାଚନକୁ ଦେଖିବା ୨୦୦୦ ନିର୍ବାଚନରେ ବିଜେପି ବିଜେଡ଼ି ମେଣ୍ଟ ସମୟରେ ବିଜେପି ଦଳର କୃଷ୍ଣଚନ୍ଦ୍ର ପାତ୍ର ବିଜୟ ହୋଇ ଥିଲେ ୨୦୦୪ ନିର୍ବାଚନ କଂଗ୍ରେସ ଦଳରୁ ସୁଧିର କୁମାର ସାମଲ ବିଜୟ ହୋଇ ଥିଲେ । ୨୦୦୭ ରେ ଢେଙ୍କାନାଳ ୧୧୮, ଗଦିଆ ୧୧୯ ନିର୍ବାଚନୀ ମଣ୍ଡଳୀ ମିଶ୍ରମ ହୋଇ ଢେଙ୍କାନାଳ – ୫୫ ନିର୍ବାଚନ ମଣ୍ଡଳୀ ହେଲା । ପରେ ୨୦୦୯ ନିର୍ବାଚନରେ ଏନସିପି ବିଜେଡି ମେଣ୍ଟ ଏନସିପି ଦଳରୁ ନବୀନ ନନ୍ଦ ବିଜୟ ହୋଇ ଥିଲେ । ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ଦଳର ସରୋଜ କୁମାର ସାମଲ ବିଜୟୀ ହୋଇଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଦଳରୁ ସୁଧିର କୁମାର ସାମଲ ୮୯୫୩୬ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇ ଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ବିଜେପି ଦଳର ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର ୬୮୮୯୬ ଖଣ୍ଡ ଭୋଟ ପାଇଁ ଦ୍ୱିତୀୟ ସ୍ଥାନ ଏବଂ କଂଗ୍ରେସ ଦଳରୁ ନବୀନ ନନ୍ଦ ୨୪୭୮୮ ଖଣ୍ଡ ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଥିଲେ ।

ବିଜେପି ପକ୍ଷରୁ ଦଳ ଫୁଣିଥରେ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଉପରେ ଭରସା କରି ଟିକେଟ ଦେଇଛି । ପୂର୍ବରୁ କେବଳ ୨୦୦୦ ମସିହାକୁ ଛାଡିଦେଲେ ବିଜେପି ପକ୍ଷରୁ ଲଗାତାର ଚାରୋଟି ନିର୍ବାଚନରେ ଏଠାରୁ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରାର୍ଥୀ ହୋଇ ଆସୁଥିବା ବେଳେ ଆଉ ଦ୍ୱିତୀୟ ଥର ପାଇଁ ସେ ବିଜୟର ସ୍ୱାଦ ଚାଖି ପାରି ନାହାନ୍ତି । ଏଥର ମଧ୍ୟ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ବାର୍ତ୍ତା ନେଇ ବିଜୟୀ ଆଶା ରଖିଛନ୍ତି । ଅନ୍ୟପଟରେ ବିଜେପି ବିଜେଡି ଦଳର ଅଘୋଷିତ ମେଣ୍ଟ ଯୋଗୁ କଂଗ୍ରେସ ଫାଇଦା ନେବ ବୋଲି କଂଗ୍ରେସ ପ୍ରାର୍ଥୀନୀ ସୁଶ୍ମୀତା ସିଂଦେଓ ପ୍ରକାଶ କରିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷାପ୍ରସାଦ ସିଂଦେଓଙ୍କ ପୁତୁରା ବୋହୂ ପ୍ରଥମ ଥର ପାଇଁ ରାଜନୀତିକୁ ଓଲ୍ହାଇଛନ୍ତି ।

ବିଜୁ ଜନତା ଦଳ ଏଥର ପୁଣି ଥରେ ସୁଧୀର ସାମଲଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଏବଂ ପୁନର୍ବାର ତାଙ୍କୁ ଟିକେଟ ପ୍ରଦାନ କରିଛି । ବିଗତ ପାଞ୍ଚ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନେକ ଜନକଲ୍ୟାଣକାରୀ ଯୋଜନା, ବିଶେଷ କରି ଟିଞ ମାଧ୍ୟମରେ ଶୈବପିଠ କପିଳାସ, ଯୋରନ୍ଦା ମହିମା ଗାଦି, ଶପ୍ତସର୍ଯ୍ୟା, ଅନନ୍ତ ଶୟନ ପର୍ଯ୍ୟଟନ ସ୍ଥଳ ମାନଙ୍କର ଉନ୍ନତୀକରଣ , ବିଦ୍ୟାଳୟ ଗୁଡ଼ିକର ଉନ୍ନତୀକରଣ ସହ ରାସ୍ତାଘାଟ ପାନୀୟ ଜଳ ଯୋଗାଣଠୁ ନେଇ ଲୋକଙ୍କ ମୌଳିକ ସମସ୍ୟା ଦୂର ହୋଇପାରିଛି। ତେଣୁ ବିକାଶର ଧାରାକୁ ବଜାୟ ରଖିବାକୁ ନିର୍ବାଚନମଣ୍ଡଳିର ଭୋଟର ପୁଣି ଥରେ ସୁଯୋଗ ଦେବେ ବୋଲି ସେ ଆଶାବାଦୀ ଅଛନ୍ତି। ୨୦୨୪ ନିର୍ବାଚନ ସବୁ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା କେଉଁ ଦଳ ବିଜୟୀ ହେବ , କାହା ମୁଣ୍ଡରେ ଭୋଟର ମାନେ ବିଜୟ ଟିକା ଲଗାଇବେ ଓ କିଏ ହାତେଇବେ ଢେଙ୍କାନାଳ ତାହା ଆଗାମୀ ସମୟ କହିବ ।

Leave A Reply

Your email address will not be published.