Masthead

ଚାଲିଗଲେ ଡାକ୍ତର ବାବୁ

ସାରସକଣା, (ବଡ଼ ଖବର ବ୍ୟୁରୋ): ସେ ଡାକ୍ତର ନୁହନ୍ତି, କିନ୍ତୁ କରନ୍ତି ରୋଗୀସେବା । ଡାକ୍ତରଖାନା ନ ଯାଇ ତାଙ୍କ ଆସିବା ବାଟକୁ ଅନାଇ ରହିଥାନ୍ତି ଅଭାବୀ ରୋଗୀ । ଘର ଘର ବୁଲି ମାଗଣାରେ ରୋଗୀଙ୍କ ସେବା କରିବା ସହ ଔଷଧ ଦେଉଥିବା ଜଣେ ବ୍ୟକ୍ତି ହେଉଛନ୍ତି ମୟୂରଭଂଜ ଜିଲ୍ଲା ସାରସକଣା ବ୍ଲକ ବଡ଼ଚାଟରା ଗ୍ରାମର ଭୁବନେଶ୍ୱର ମହାନ୍ତି । ସେ ଜଣେ ସାଧାରଣ ଫାର୍ମାସିଷ୍ଟ । ବୟସର ଅପରାହ୍ନରେ ବି ‌ଷ୍ଟେଥୋସ୍‌କପ୍‌ ଧରି ଖାଲି ସେ ରୋଗୀ ସେବା କରୁନଥିଲେ, ମାଇକ୍‌ ଧରି ଜନସେବା କରିବାକୁ ମଧ୍ୟ ପାଦ କାଢ଼ିଥିଲେ।

ଭୁବନେଶ୍ୱରଙ୍କୁ ୧୪ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ବାପା ଚତୁର୍ଭୁଜ ଚିକିତ୍ସା ଅଭାବରୁ ଆରପାରିକୁ ଚାଲିଗଲେ। ଏହି ଘଟଣାଟି ଭୁବନେଶ୍ୱରଙ୍କ ମନକୁ ବେଶ୍‌ ଆନ୍ଦୋଳିତ କଲା। ଶପଥ ନେଲେ ଡାକ୍ତର ହେବେ, ଆଉ ରୋଗୀସେବା କରିବେ । ବାପାଙ୍କ ମୃତ୍ୟୁ ପରେ ଭୁବନେଶ୍ୱରଙ୍କୁ ପାନ୍ଧଡ଼ା ହାଇସ୍କୁଲ୍‌ ଶିକ୍ଷକ ତଥା ବାଲେଶ୍ୱର ଜିଲ୍ଲା ଶ୍ରୀରାମପୁର ଖପରାପଦାର ବଂଶୀଧର ପାତ୍ର ନିଜ ସାଙ୍ଗରେ ନେଇଗଲେ। ମାଆ ଦ୍ରୌପଦୀ ବି ପୁଅର ଭବିଷ୍ୟତ ପାଇଁ ନିଜକୁ ଦେବକୀ ସଜାଇଦେଲେ।

୧୯୬୮ ମସିହାରେ ଭୁବନେଶ୍ୱର ମାଟ୍ରିକ୍‌ ପାସ୍‌ କରି ବୁର୍ଲା ମେଡିକାଲ୍‌ କଲେଜରେ ଫାର୍ମାସୀ ପାଠ୍ୟକ୍ରମରେ ନାମଲେଖାଇଲେ। ଡାକ୍ତର ହୋଇ ନପାରିଲେ ବି ୧୯୭୦ ମସିହାରେ ଜଣେ ସଫଳ ଫର୍ମାସିଷ୍ଟ ଭାବେ ନିଜକୁ ଆବିଷ୍କାର କଲେ। ଫାର୍ମାସୀ ପାସ୍‌ ପରେ ଭୁବନେଶ୍ୱର ପ୍ରଥମ କରି କୋରାପୁଟର ରାବଣଗୁଡ଼ା ଡାକ୍ତରଖାନାରେ ଅବସ୍ଥାପିତ ହେଲେ। ସେଠାରେ କେହି ଡାକ୍ତର ନଥିବାରୁ ଉତ୍ସର୍ଗୀକୃତ ଭାବେ ଗରିବ ଆଦିବାସୀଙ୍କ ସେବା କଲେ । ବିନା ପଇସାରେ ଘରକୁ ଘର ରୋଗୀ ଦେଖି ଔଷଧ ଦେବା ସହ ଆର୍ଥିକ ସହାଯ୍ୟ ବି ଯୋଗାଉଥିଲେ । ତାଙ୍କ କାମର ପ୍ରଶଂସା ଜିଲ୍ଲା ସାରା ବ୍ୟାପିଗଲା। ଫଳରେ ସିଡିଏମ୍‌ଓ ଖୁସି ହୋଇ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ବଦଳି କରିନେଲେ।

ପରେ ତାଙ୍କର ବସ୍ତା ଡାକ୍ତରଖାନାକୁ ବଦଳି ହେଲା। ସେଠାରେ ସମାନ ଢଙ୍ଗରେ ଚାଲିଲା ତାଙ୍କର ସେବା । ସେ ନିଜ ବସାରେ ଏମିତି କି ଘରକୁ ଘର ଯାଇ ‌ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଲେ। ତାଙ୍କୁ ଇର୍ଷାନ୍ୱିତ ଡାକ୍ତରଙ୍କ ବିରୋଧ ସାମ୍ନା କରିବାକୁ ପଡ଼ିଲା। ଭୁବନେଶ୍ୱରଙ୍କୁ ବଦଳି କରିବାକୁ ଚାପ ପକାଗଲା। ହେଲେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ଶେଷରେ ସ୍ୱାସ୍ଥ୍ୟ ବିଭାଗ ବଦଳି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହେଲା। ଫଳରେ ସବୁ ଡାକ୍ତର ଡାକ୍ତରଖାନା ଛାଡ଼ି ଚାଲିଗଲେ।

ଏପରି ଏକ ବିଷମ ପରିସ୍ଥିତିରେ ବି ସେ ଡାକ୍ତରଖାନାର ଦାୟିତ୍ୱ ନେଇ ରୋଗୀସେବା କରିଥିଲେ। ୧୯୮୨‌ ମସିହାରେ ଭୁବନେଶ୍ୱରଙ୍କ ବାଲେଶ୍ୱର ଜିଲ୍ଲା ବସ୍ତା ଡାକ୍ତରଖାନାରୁ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଡାକ୍ତରଖାନା ଏବଂ ୧୯୮୩ ମସିହାରେ ରାସଗୋବିନ୍ଦପୁର ଡାକ୍ତରଖାନାରୁ ଶୀର୍ଷା ଡାକ୍ତରଖାନାକୁ ବଦଳି ହେଲା । ଶୀର୍ଷା ଡାକ୍ତରଖାନା ଓ ବାହାରେ ତାଙ୍କର ମାଗଣା ରୋଗୀସେବା ନିରବଚ୍ଛିନ୍ନ ଭାବେ ଚାଲିଲା। ଶେଷରେ ସେ ୨୦୦୮ ମସିହାରେ ଚାକିରିରୁ ଅବସର ନେଲେ।

ଭୁବନେଶ୍ୱର ଖାଲି ରୋଗୀସେବା କରୁନଥିଲେ।, ସରକାରୀ ଅବ୍ୟବସ୍ଥାର ସଂସ୍କାର ପାଇଁ ଜନସେବା କରିବାକୁ ମଧ୍ୟ ପାଦ କାଢ଼ିଥିଲେ । ସେ ୨୦୧୭ ପଞ୍ଚାୟତ ନିର୍ବାଚନରେ ୫୬ ନମ୍ବର ଜୋନ୍‌ ଜିଲ୍ଲାପରିଷଦ ଆସନରେ ସ୍ୱାଧୀନ ଭାବେ ଲଢ଼ିଥିଲେ। ସେ ୮ଜଣ ପ୍ରାର୍ଥୀଙ୍କୁ ପଛରେ ପକାଇ ବିଜୟୀ ହୋଇଥିଲେ। ୨୪ହଜାର ଭୋଟ୍‌ରୁ ସେ ଏକାକୀ ୧୪ହଜାର ଭୋଟ୍‌ ପାଇଥିଲେ। ଯାହା ତାଙ୍କର ଲୋକପ୍ରିୟତାର ଏକ ବଳିଷ୍ଠ ପ୍ରମାଣ ନିଶ୍ଚୟ।

ଭୁବନେଶ୍ୱର ଆଜି ଏ ଦୁନିଆ ଛାଡି ଚାଲିଯାଇଛନ୍ତି ସତ, ହେଲେ ସେ ଅଭାବୀ ମଣିଷ ହୃଦୟରେ ସବୁଦିନ ଅମର ରହିବେ । ଏହି ମହାନ ଆତ୍ମାକୁ ‘ବଡ଼ ଖବର’ର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା