Before Header

ବାଥୁଡି ସମ୍ପ୍ରଦାୟର ନିଆରା ରଜ ଓ ଦୋଳି ଗୀତ

0 1,444
ଲେଖକ- ଆଦିତ୍ୟ କୁମାର ନାଏକ

ଗ୍ରୀଷ୍ମ ଋତୁର ବିଦାୟ ଓ ବର୍ଷା ଋତୁର ଆଗମନ ହିଁ ସମଗ୍ର ପ୍ରାଣୀ ଜଗତ ପାଇଁ ଅତି ମହତ୍ତ୍ୱପୂର୍ଣ୍ଣ ଓ ଗୁରୁତ୍ୱପୂର୍ଣ୍ଣ ସମୟ ଅଟେ । ପୌରାଣିକ ତଥ୍ୟ ଅନୁସାରେ ଏହାକୁ ମିଥୁନ ସଂକ୍ରାନ୍ତି ବା ରଜ ସଂକ୍ରାନ୍ତି ଭାବରେ ପାଳନ କରାଯାଏ । ଓଡିଶାର ପୁରପଲ୍ଲୀରେ ଏହାକୁ ଖୁବ ହର୍ଷ ଉଲ୍ଲାସରେ ତିନି ଦିନ ଧରି ପାଳନ କରାଯାଏ । ଓଡିଶାର ଗଣ ପର୍ବ ହିସାବରେ ଏହି ପର୍ବର ସ୍ୱତନ୍ତ୍ର ସ୍ଥାନ ରହି ଅଛି । ଓଡିଶାରେ ବସବାସ କରୁ ଥିବା ବିଭିନ୍ନ ଜନଜାତିର ଲୋକେ ମଧ୍ୟ ଏହି ରଜ ପର୍ବକୁ ଖୁବ ନିଆରା ଢଙ୍ଗରେ ପାଳନ କରିଥାନ୍ତି । ଓଡିଶାର ଉତ୍ତରାଞ୍ଚଳ ଜିଲ୍ଲାମାନଙ୍କରେ ବହୁଳ ଭାବରେ ବସବାସ କରୁଥିବା ଆଦିବାସୀ ବାଥୁଡି ସମ୍ପ୍ରଦାୟର ଲୋକେ ଏହି ରଜ ପର୍ବକୁ ନିଜସ୍ୱ ଶୈଳୀରେ ଖୁବ ନିଆରା ଢଙ୍ଗରେ ପାଳନ କରିଥାନ୍ତି ।

ଶାସ୍ତ୍ରବାଣୀ ମତେ ରଜ ପର୍ବର ତିନି ଦିନ କୃଷକ ପରିବାର ସମସ୍ତ କୃଷି କାର୍ଯ୍ୟରୁ ବିରତ ରହି ପୃଥିବୀ ମାତାଙ୍କୁ ବିଶ୍ରାମ ଦେଇଥାନ୍ତି । କୃଷିଜୀବୀ ବାଥୁଡି ଜନଜାତିର ଲୋକେ ନିଜକୁ ବାସୁକୀ ବସୁମାତାଙ୍କ ଵଂଶଜ ବୋଲି ବିଶ୍ୱାସ କରିଥାନ୍ତି । ବାଥୁଡି ଜନଜାତିର ଲୋକେ ଶକ୍ତି ବା ଦେବୀ ଉପାସକ ଅଟନ୍ତି। କୃଷିର ଦେବୀ ମାତା ଲଷ୍ମୀ ଓ ଉତ୍ପାଦକାରିଣୀ ଭୂ ଅର୍ଥାତ ବସୁ ମାତା ଉଭୟ ଶକ୍ତି ସ୍ୱରୂପିଣୀ ହୋଇ ଥିବାରୁ ଏହି ରଜ ପର୍ବ ବାଥୁଡି ସମ୍ପ୍ରଦାୟର ଲୋକଙ୍କ ପାଇଁ ବିଶେଷ ମହତ୍ତ୍ୱ ରଖେ । ବାଥୁଡି ସମ୍ପ୍ରଦାୟ ପକ୍ଷରୁ ରଜ ପର୍ବକୁ ଅତି ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥାଏ । ପାଣି ବୁହା ରଜ, ରଜ, ରଜ ବାସୀ, ଏଭଳି ତିନି ଦିନ ରଜ ପାଳନ କରାଯାଇଥାଏ । ଏହି ତିନି ଦିନ ସମସ୍ତେ କୃଷି କାର୍ଯ୍ୟରୁ ନିଜକୁ ନିବୃତ୍ତ ରଖିଥାନ୍ତି ।

ବାଥୁଡ଼ି ସମ୍ପ୍ରଦାୟର ଆଦିଉପାସନା ପୀଠ ଅଠର ଦେଉଳର ଅଂଶ ବିଶେଷ ଭାବେ ପରିଚିତ ମୟୂରଭଞ୍ଜର ଦେବକୁଣ୍ଡ ଜଳପ୍ରପାତ ନିକଟସ୍ଥ ମା ବିରାଟପାଟ ଠାକୁରାଣୀଙ୍କ ଆସ୍ଥାନରେ ରଜ ସଂକ୍ରାନ୍ତିରେ ବାଥୁଡି ସମ୍ପ୍ରଦାୟର ଲୋକେ ବିଶେଷ ପୂଜାର୍ଚ୍ଚନା କରିବା ସହ ହୋମ ଯଜ୍ଞ ଆଦି ଆୟୋଜନ କରିଥାନ୍ତି । ଏହାବାଦ ପ୍ରତ୍ୟେକ ବାଥୁଡି ଘରେ ଇଶାଣ ଗୃହରେ ନିଜର ଇଷ୍ଟ ଦେବତାଙ୍କୁ ପୂଜା କରି ପିତୃପୁରୁଷଙ୍କୁ ମନେ ପକେଇବା ସହ ପିଠା ପଣା ଓ ନୂତନ ବସ୍ତ୍ର ଆଦି ଲାଗି କରିଥାନ୍ତି । ଏ ଜାତି କୃଷି କାର୍ଯ୍ୟ ବ୍ୟତୀତ ରାଜତନ୍ତ୍ର ସମୟରେ ଯୋଦ୍ଧାର ଦାଇତ୍ୱ ନିର୍ବାହ କରୁଥିବାରୁ ଏମାନେ ନିଜର ପୂର୍ବଜ ବୀରଙ୍କ ସ୍ମୃତିରେ ଅସ୍ତ୍ର ପୂଜା ମଧ୍ୟ କରିବାର ଦେଖାଯାଏ ।

ରଜ ପର୍ବର ଅନ୍ୟତମ ଆକର୍ଷଣ ହେଉଛି ଦୋଳି ଖେଳ । ଦୋଳି ଖେଳକୁ ଆହୁରି ମଧୁରତାରେ ଭରି ଦିଏ ରଜ ଦୋଳି ଗୀତ । ଓଡିଶାର କୋଣାନୁକୋଣରେ ବିଭିନ୍ନ ରଚନାତ୍ମକ ଦୋଳି ଗୀତ ପ୍ରଚଳିତ ଥିବା ବେଳେ ବାଥୁଡି ସମ୍ପ୍ରଦାୟ ପକ୍ଷରୁ ଗାନ କରାଯାଉଥିବା ରଜ ଦୋଳି ଗୀତର ମାଧୁର୍ଯ୍ୟତା ଓ ନିଆରାପଣ ସ୍ୱତଃ ଭାବେ ବାରି ହୋଇପଡେ ।

ବାଥୁଡ଼ି ସମ୍ପ୍ରଦାୟର ଦୋଳି ଗୀତ:-
ରଜ ପର୍ବରେ ଗ୍ରାମର ଯୁବକ ଯୁବତୀମାନେ ନୂତନ ପୋଷାକ ପିନ୍ଧି ସିନ୍ଦୁର, ଅରୁଆ ଚାଉଳ, ଦୁବ ଘାସ, ଦୀପ ସଳିତା ଆଦି ପୂଜା ସାମଗ୍ରୀ ଧରି ଗାଁ ମୁଣ୍ଡରେ କିମ୍ବା ଗାଁ ମଝିରେ ତିଆରି ହୋଇ ଥିବା ଦୋଳି ଖଳାକୁ ଯାଇଥାନ୍ତି । ପ୍ରଥମେ ଗ୍ରାମର ଦେହୁରୀଙ୍କ ଦ୍ଵାରା ଦୋଳିକୁ ପୂଜା କରେଇ ସାରିବା ପରେ ଦୋଳିରେ ଝୁଲିଥାନ୍ତି । ଦୋଳି ଝୁଲିବା ବେଳେ ଏହି ଜନଜାତିର ଯବକଯୁବତୀମାନେ ଦୋଳି ଗୀତ ଗାନକରି ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନକୁ ଏକ ପ୍ରତିଯୋଗିତା ଭାବରେ ଉପସ୍ଥାନ କରିଥାନ୍ତି । ଦୋଳି ଗୀତକୁ ସାଧାରଣତଃ ପ୍ରକାର ଭେଦରେ ତିନି ଭାଗରେ ବିଭକ୍ତ କରାଯାଇଥାଏ ଯଥା, ବନ୍ଦନା, ଡାଳଭଙ୍ଗା ଓ ପ୍ରଶ୍ନଉତ୍ତର

ବନ୍ଦନା ଦୋଳି ଗୀତ:-
ଏହା ଦୋଳି ପଟାକୁ ବନ୍ଦନା କରାଯିବା ସମୟରେ ବା ଦୋଳିର ପ୍ରାରମ୍ଭରେ ଗାନ କରାଯାଇଥାଏ । ଏହି ଦୋଳିଗୀତ ମାଧ୍ୟମରେ ବିଭିନ୍ନ ଦେବାଦେବୀଙ୍କୁ ସ୍ମରଣକରି ଆଶୀର୍ବାଦ ଭିକ୍ଷା କରାଯାଇଥାଏ । ଯେପରି ବନ୍ଦନା କରୁଥିବା ଯୁବକ ବା ଯୁବତୀ ଅନ୍ୟଗୋଷ୍ଠିର ବା ଗାଁର ଯୁବକଯୁବତୀଙ୍କୁ ପରାଜିତ କରିପାରିବେ । ଯେପରି:-

ଘୋଡା ଗୋଡ ଟାପୁ ଟାପୁ
ପ୍ରଥମେ ବନ୍ଦିଲି ଦୋଳି ପଟାକୁ
ଦୋଳି ପଟାକୁ ହୋ
ଦୋଳି ଗୀତ ଗାଇବାକୁ ।

କାଟିଲି ବାଉଁଶ କୁଣି
ଦ୍ୱିତୀୟେ ବନ୍ଦିଲି ଦୁଆରଶେଣି
ଦୁଆରଶୁଣି ହୋ
ଗୀତ ଆଣିଦବ ଛିଣି ॥

ଗରିଆ ଘୁଞ୍ଚା ତେଣିକି
ବନ୍ଦାଣ କରୁଛି ଧାନବେଣିକି,
ଧାନବେଣିକି ହୋ
ଦୋଳି ଗୀତ ଆସୁ ଏଣିକି ॥

କୋପତା ଚଳେଇ ଭୁକୁ
ବନ୍ଦାଣ କରୁଛି ରଘୁନାଥଙ୍କୁ
ରଘୁନାଥଙ୍କୁ ହୋ
ଦୋଳି ଗୀତ ଗାଇବାକୁ ॥

କଦିଳ ପତର ଚିରା
ବନ୍ଦାଣ କରୁଛି ବାରହାଟିକିରା
ବାରହାଟିକିରା ହୋ
ମୋ ଗୀତ ହଇବ ଧିରା ॥

ଭାଙ୍ଗିନି ଭାଲିଆ ଡାଳ,
ବନ୍ଦାଣ କରୁଛି ପୁରୀ ଦେଉଳ
ପୁରୀ ଦେଉଳ ହୋ
ମୋ ଗୀତ ହେବ ଚହଳ ॥

ବାଡିରେ ଭାଙ୍ଗିନି ବେତ
ମାଆ କାଳୀକି ଏ ଦଣ୍ଡବତ
ଏ ଦଣ୍ଡବତ ତୋ
ଆଜିକି ପହିଲି ଗୀତ ॥

ବନ୍ଦାଇଲି ବନ ଗଣ୍ଡି
ଗାଁ ଚାରିପାଖ ସାଇଲି ବନ୍ଦି
ସାଇଲି ବନ୍ଦି ହୋ,
ଗୀତରେ ନହେମି ଛନ୍ଦି ॥

କୁମ୍ଭାର ଘରେ ଆଟିକା
ବନ୍ଦାଣ କରୁଛୁ ସର୍ବ ଦେବତା
ସର୍ବ ଦେବତା ହୋ
ତଳେ ଛନ୍ତି ବାସୁକୀ ମାତା ॥

ଏହିପରି ବନ୍ଦନା ମାଧ୍ୟମରେ ବିଭିନ୍ନ ଦେବାଦେବୀଙ୍କର ଆଶୀର୍ବାଦ ନେଇ ଦୋଳିଗୀତ ଗାଇବା ଆଉ ଝୁଲିବାର ଆରମ୍ଭ କରିଥାନ୍ତି । ଏହି ବନ୍ଦନା ଗୁଡିକରୁ ଜଣାଯାଏ ଯେ, ବାଥୁଡିମାନେ ନିଜ ଇଷ୍ଟ ଦେବାଦେବୀଙ୍କୁ ପୂଜା କରିବା ସହ ଶୈବ, ବୈଷ୍ଣବ ଓ ଶାକ୍ତ ପରମ୍ପରାର ମତବାଦକୁ ମାନିନେଇ ସମ୍ମାନ ଜଣେଇଥାନ୍ତି ।

ଡାଳଭଙ୍ଗା ଗୀତ:-
ଏହି ପ୍ରକାର ଦୋଳିଗୀତ ମୁଖ୍ୟତଃ ଗୋଟିଏ ଗ୍ରାମର ଯୁବକ ବା ଯୁବତୀ ଗୋଷ୍ଠୀ ଅନ୍ୟ ଏକ ଗ୍ରାମର ଯୁବକ ବା ଯୁବତୀ ଗୋଷ୍ଠୀଙ୍କର ମଧ୍ୟରେ ପ୍ରତିଯୋଗିତା ଭାବରେ ଗାନ କରାଯାଇଥାଏ । ଯୁବକ ଯୁବତୀର ମନ କିଣିବା ପାଇଁ ଓ ଯୁବତୀ ଯୁବକର ଧର୍ୟ୍ୟ ଓ ଭଲପାଇବାକୁ ପରୀକ୍ଷା କରିବା ପାଇଁ ଏପରି ଗୀତ ଗାନ କରିଥାଆନ୍ତି । ନିମ୍ନରେ ଏହିପ୍ରକାର କେତେକ ଗୀତର ଉଦାହରଣ ଦିଆଗଲା

ସାଙ୍ଗହେ ସୋରିଷା ମୁଠେ
ମନେ କୁଥିବ ହୋ ଗାଧୁଆ ଘାଟେ,
ଗାଧୁଆ ଘାଟେ ହୋ
ରଜ ପରବ ନିକଟେ ।
ନୁଆ ସୁରା ଖିଏ ଖିଏ
ଭାତ ରାନ୍ଧିଥିବ ହୋ ପଇଲେ ଛିଏ,
ପଇଲେ ଛିଏ ହୋ
ଆସିହେବ ଇଏ ସିଏ ॥

ନଈବାଲି ରଜ ମଜ
ଆଣିଦବ ହୋ ମୋତେ ସାୟା ବ୍ଲାଉଜ
ସାୟା ବ୍ଲାଉଜ ହୋ
ପାଦକୁ ସରୁ ପାଉଁଜ ।

ସଜନା ଗଛର ଅଠା
ତତେ ଘେନି ଦେବିଲ ଟସର ମଠା,
ଟସର ମଠାଲୋ
ଭାଙ୍ଗି ଚାଲୁଥିବୁ ଅଣ୍ଟା ।

ସୋଜନା ଗଛର ଅଠା
ତତେ ମିଳେନାହିଁ ଛିଡା କପଟା
ଛିଡା କପଟା ହୋ
ମତେ ଯାଚୁଅଛୁ ମୋଠା।

ହିଡ ଡେଇଁଗଲି ଗାର,
ଯଉପିଲା ଦବ ସୁନାର ହାର,
ସୁନାର ହାର ହୋ
ସେଇପିଲା ଦରକାର ॥

ତୁ ଯଦି ହବୁ ମୋହର
ତତେ ଘେନିଦେବି ମଠା ଚାଦର
ମଠା ଚାଦର ହୋ
କେତେ ମାରୁ ଆଖି ଠାର ॥

ତେନ୍ତୁଳି କାଟିଲା ଟିହା
ଉଡିଯାଉ ତୋର ମଜୁରି ଖିଆ
ମଜୁରି ଖିଆ ହୋ
ଯାଉଛୁ ଏତେ ଧୁରିଆ

ପ୍ରଶ୍ନତ୍ତର ଗୀତ:-
ଏହି ଗୀତରେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ବା ଦୋଳର ଜ୍ଞାନ ଓ ବୁଦ୍ଧି ପରୀକ୍ଷା ପାଇଁ ଗାନ କରାଯାଇ ଥାଏ ଯାହାର ପ୍ରତିଉତ୍ତର ଅପର ଗୋଷ୍ଠିର ଯୁବକଯୁବତୀମାନେ ଗୀତ ଆକାରରେ ଗାନ କରିଥାନ୍ତି । ଏହି ଗୀତ ସାଧାରଣତଃ ପୌରାଣିକ ବିଷୟ ବସ୍ତୁ ଉପରେ ଆଧାରିତ ହୋଇଥାଏ ।

ପ୍ରଶ୍ନ- ନୂଆ ତଟିଆରେ ଘିଅ
ସୀତା ଠାକୁରାଣୀ ହୋ କାହାର ଝିଅ ..
କାହାର ଝିଅ ହୋ
ଏହାର ଜବାବ ଦିଅ ।

ଉତ୍ତର- ଅଡ଼ୁଆ ସୁତାର ଖିଅ
ସୀତା ଠାକୁରାଣୀ ହୋ ଜନକ ଝିଅ
ଜନକ ଝିଅ ହୋ
ଏହାର ଉତ୍ତର ନିଅ ।

ପ୍ରଶ୍ନ- କାଳୀ ଗାଈ ମାରେ ନାତ
ବୀର ରାମଚନ୍ଦ୍ର ହୋ କାହାର ପୁତ
କାହାର ପୁତ ହୋ
ନ କହିଲେ ହେବ ଭୂତ ।

ଉତ୍ତର- ପାଣିରେ ଟାଣିଲି ଗାର
ରାମଚନ୍ଦ୍ର ସୁତ ହୋ ଦଶରଥର
ଦଶରଥର ହୋ
ଶୁଣୁଥା ମୋର ଉତ୍ତର ।

ଏହି ପରି ଭାବରେ ଦୁଇ ଗୋଷ୍ଠି ମଧ୍ୟରେ ପ୍ରଶ୍ନ ଉତ୍ତରକୁ ଗୀତ ମାଧ୍ୟମରେ ଗାନ କରି ଜ୍ଞାନ ପରୀକ୍ଷା କରି ଥାନ୍ତି ଓ ଗୋଟିଏ ଗୋଷ୍ଠି ଜିତିଥାଏ । ଜିତିବା ଗୋଷ୍ଠି, ହାରିବା ଗୋଷ୍ଠିକୁ ଏହିପରି ଗୀତ ମାଧ୍ୟମରେ ନିଜର ପରାଜୟ ସ୍ୱୀକାର କରିବା ପାଇଁ ଆହ୍ୱାନ ଦେଇଥାନ୍ତି ।

ପଵର୍ତେ ନାଚେ ମୟୂର
ହାରିଗଲ ବୋଲି ହୋ ସ୍ୱୀକାର କର
ସ୍ୱୀକାର କର ହୋ
ଆପେ ଚାଲି ଯିବ ଘର ।।

ଏହି ରଜ ଦୋଳି ଗୀତ ମାଧ୍ୟମରେ ବାଥୁଡି ସମ୍ପ୍ରଦାୟର ଲୋକେ ନିଜର ଶ୍ରମ ଲାଘବ କରି ନିଜେ ଆମୋଦିତ ହେବା ସହ ଶ୍ରୋତାମାନଙ୍କୁ ମଧ୍ୟ ଆମୋଦିତ କରିଥାନ୍ତି । ଏହି ଗୀତ ମାଧ୍ୟମରେ ବାଥୁଡି ସମାଜର ଗୋଷ୍ଠି ଗୋଷ୍ଠି ମଧ୍ୟରେ ଗ୍ରାମ ଗ୍ରାମ ମଧ୍ୟରେ ନିଜର ସାମାଜିକ ସଂସ୍କୃତି ପରମ୍ପରା ଆଦିକୁ ଉଜ୍ଜୀବିତ ରଖିବା ସହ ସମାଜରେ ସ୍ନେହ , ପ୍ରେମ, ଭାତୃଭାବ ଓ ଏକତା ବଜାୟ ରଖିଥାନ୍ତି । ବାସ୍ତବରେ ଏହି ସବୁ ଦୋଳି ଗୀତ ଓଡ଼ିଆ ଲୋକ ସାହିତ୍ୟ ପାଇଁ ଅମୂଲ୍ୟ ସମ୍ପଦ ଅଟେ, ବର୍ତ୍ତମାନ ଯାହାର ପ୍ରଚାର ପ୍ରସାର ଓ ସଂରକ୍ଷଣ ଅତ୍ୟନ୍ତ ଜରୁରୀ ହୋଇ ପଡିଛି ।

ଟିଙ୍ଗିରିଆ, ମୟୂରଭଞ୍ଜ
ଯୋଗାଯୋଗ
୭୦୦୮୦୮୭୩୭୩

Leave A Reply

Your email address will not be published.