ମାଆଙ୍କ ଆବାହନରେ କମ୍ପୂଛି ପୂଜାମଣ୍ଡପ । ଦୁର୍ଗାପୂଜାରେ ଉତ୍ସବମୁଖର ଗାଁ ଠୁ ସହାର । ପୂଜାରେ ବିଭିନ୍ନ ମଣ୍ଡପରେ ଆକର୍ଷଣ ସାଜିଥାଏ ଭିନ୍ନ ଭିନ୍ନ ପ୍ରସାଦ । ଯାହାକୁ ଭକ୍ତମାନେ ପାଇବା ପାଇଁ ମଣ୍ଡପ ନିକଟରେ ଗହଳି ଜମାନ୍ତି । ତେବେ କଟକ ସହରର ଥିବା ୧୭୦ଟି ପୂଜା କମିଟି ମଧ୍ୟରେ କିଛି ପୁରାତନ ମଣ୍ଡପରେ ଏଭଳି ପରମ୍ପରା ଆଜିବି ଦେଖିବାକୁ ମିଳେ । ପ୍ରାଚୀନ ପରମ୍ପରା ଅନୁଯାୟୀ ଆମିଷ, ନିରାମିଷ ଏବଂ ବିନା ପିଆଜ ରସୁଣରେ ତିଆରି ବ୍ୟଞ୍ଜନ ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତ କରାଯାଏ । ଯେଉଁମାନେ ଏହି ପ୍ରସାଦ ଖାଇବାକୁ ଇଚ୍ଛା ପ୍ରକାଶ କରନ୍ତି ସେମାନଙ୍କୁ କିଛି ଟଙ୍କା ଦେବାକୁ ପଡିଥାଏ । ଅନ୍ୟ କିଛି ମଣ୍ଡପରେ ବିନା ଅର୍ଥରେ ପ୍ରସାଦ ବଣ୍ଟନ କରାଯାଏ ।

ସହରରେ ଥିବା ୧୦ରୁ ଉଦ୍ଧ୍ୱର୍ ପୂଜା ମଣ୍ଡପରେ ଦହି ପଖାଳକୁ ପ୍ରସାଦ ଭାବେ ବଣ୍ଟାଯାଏ । ଏହି ପ୍ରସାଦ ବିଶେଷ କରି ନବମୀ ଓ ଦଶମୀ ଦିନ ହୋଇଥାଏ । ରାଣୀହାଟ, ମଙ୍ଗଳାବାଗ, ଉପର ତେଲେଙ୍ଗା ବଜାର, ହରିପୁର-ଦୋଳମୁଣ୍ଡାଇ, ଶିଖରପୁର-ଗଣ୍ଡରପୁର-ମହାନଦୀ ବିହାର, ନୂଆପାଟଣା ପୂଜା କମିଟି, କଲେଜ ଛକ, ଖାନନଗର-ଖପୁରିଆ, ଯୋବ୍ରା ପୂଜା କମିଟି, ଛତ୍ରବଜାର, କାଠଗଡା ସାହି ଆଦି ପ୍ରମୁଖ ପୂଜା ମଣ୍ଡପରେ ନବମୀ ଓ ବିଜୟା ଦଶମୀରେ ଦହି ପଖାଳ ପ୍ରସାଦ ଭାବରେ ବଣ୍ଟାଯାଏ । ସେହିପରି ୨୦ଟି ପୂଜା କମିଟିରେ ଖେଚଡି ଓ ଡାଲମା ପ୍ରସାଦ ଭାବେ ଦିଆଯାଇଥାଏ ।

ଅନ୍ୟପକ୍ଷରେ ଚୌଧୁରୀ ବଜାର ଓ ରୋର୍ଭସ ଷ୍ଟ୍ରିଟ ପୂଜା କମିଟିରେ କେଉଁ କାଳରୁ ଜହ୍ନି ପୋଡା ଭୋଗ କରାଯାଏ । ଏହା ସହ ଚୌଧୁରୀ ବଜାର ପୂଜା କମିଟିରେ ଆଳୁବାଇଗଣ ଭଜା ମଧ୍ୟ ପ୍ରସାଦ ଭାବେ ବଣ୍ଟା ଯାଇଥାଏ । ଚାନ୍ଦିନଚୌକ ପୂଜା ମଣ୍ଡପରେ ରାଜା ରାଜୁଡା ଅମଳରୁ ପୂଜା ସମୟରେ ମାଛ ଘାଣ୍ଟର ପ୍ରସାଦ ଚାଲି ଆସିଛି । ନବମୀରେ ଏହି ପ୍ରସାଦ ବଣ୍ଟାଯାଏ । ତେବେ କୈବର୍ତ୍ତମାନେ କିଛି ମାଛ ପୂଜା ମଣ୍ଡପରେ ପ୍ରଦାନ କରିଥାନ୍ତି । ମାରୱାଡି ପଟ୍ଟି ଓ ଚୌଧୁରୀ ବଜାରରେ ମଧ୍ୟ ସ୍ୱତନ୍ତ୍ର ଲଡୁ ଭୋଗ କରାଯାଇ ବଣ୍ଟାଯାଏ । ମାରୱାଡି ପଟ୍ଟିରେ ରାଜସ୍ଥାନୀ ଲଡୁ ଭୋଗ କରାଯାଏ । ସେପଟେ ପିରିଙ୍ଗିବଜାର ପୂଜା କମିଟିରେ ଦଶମୀରେ ମା’ଙ୍କ ନିକଟରେ ମଣ୍ଡା ପିଠା, ବରା, ପକୁଡି ଓ ବାଇଗଣୀ ଭୋଗ କରାଯାଏ । କାଳୀୟ ଦଳନ ପୂଜା କମିଟି ପିଠାପୁରରେ ମା’ଙ୍କ ପାଖରେ ସ୍ୱତନ୍ତ୍ର ରାବିଡି ଭୋଗ କରାଯାଏ ।

ଗଣ୍ଡରପୁର-ଶିଖରପୁର-ମହାନଦୀ ବିହାର ପୂଜା କମିଟିରେ ମଧ୍ୟ ସ୍ୱତନ୍ତ୍ର ଭୋଗ ଭକ୍ତଙ୍କୁ ପରସା ଯାଏ । ଖାନନଗର-ଖପୁରିଆ ପୂଜା କମିଟି ପକ୍ଷରୁ ଅଷ୍ଟମୀରେ କ୍ଷୀରି ଭୋଗ ଓ ଦଶମୀରେ ଦହି ପଖାଳ ଭୋଗ ହୋଇଥାଏ । ବିନୋଦ-ବିହାରୀ-ବାଲୁବଜାରରେ ମା’ଙ୍କ ପାଖରେ ଚାରିଦିନ ଧରି ବିନା ପିଆଜ ରସୁଣରେ ତିଆରି ଅନ୍ନ ପ୍ରସାଦ ଭୋଗ ହୁଏ । ଅନ୍ୟପକ୍ଷରେ ଭକ୍ତଙ୍କ ପାଇଁ ଖାଦ୍ୟର ମାନ ବେଶ ଉଚ୍ଚକୋଟୀର ହୋଇଥିବାବେଳେ ମା’ଙ୍କ ପୂଜା ମଧ୍ୟ ଅତି ମନଲୋଭ ହୋଇଥାଏ । କାଜିବଜାର ପୂଜା କମିଟିରେ ସିନ୍ଦୂର ଖେଳ ହୋଇଥାଏ । ଦୁର୍ଗପୂଜାରେ ନବମୀ ଦିନ ପୂଜା ମଣ୍ଡପରେ ୯ ଜଣ କୁଆଁରୀ ଝିଅଙ୍କୁ ପୂଜାରେ ବସାଯାଇ ପୂଜା କରାଯିବାର ପରମ୍ପରା ହରିପୁର-ଦୋଳମୁଣ୍ଡାଇ ପୂଜା କମିଟିରେ ଚାଲି ଆସୁଛି ।

Leave a Reply

Your email address will not be published. Required fields are marked *