Before Header

ଏମିତି ରାଜନୀତି…ନିଜେ ନେତା ହେଲେ, ପୁଅକୁ ନେତା କଲେ

0 1,161

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୦୨୪ ନିର୍ବାଚନ ପାଇଁ ସରଗରମ ମାହୋଲ। ସେଥିରେ ପୁଣି ନେତାଙ୍କ ‘ଟିକେଟ୍‌’ ତାତି ରାଜ୍ୟ ରାଜନୀତିରେ ଆଣିଛି ଗ୍ରୀଷ୍ମପ୍ରବାହ । ଖାସ୍ କରି ଟିକେଟକୁ ନେଇ ଟେନସନ୍‌। ଯିଏ ଯେଉଁଠୁ ପାଇଲେ ଖଣ୍ଡେ ଖଣ୍ଡେ ଟିକେଟ୍‌ ନେଇ ପ୍ରଚାରରେ ଲାଗିଗଲେଣି। ଘୋଷଣା ହୋଇ ନ ଥିବା ପ୍ରାୟ ସବୁ ବିଧାନସଭା ଆସନରେ ବିଜେଡିର ବିଦ୍ରୋହ ତେଜୁଛି । ଆମଦାନୀ ନେତାଙ୍କୁ ବିରୋଧ କରୁଛନ୍ତି ଦଳୀୟ ନେତା ଓ କର୍ମୀ । ସେପଟେ ପଲିଟିକାଲ୍ ମୈଦାନରେ ଫ୍ୟାମିଲି ଫାଇଟ୍ ଦେଖିବାକୁ ମିଳିଛି । କେଉଁଠି ସାନ ଭାଇ ବନାମ୍ ବଡ଼ଭାଇ ମଧ୍ୟରେ ବଳ କଷାକଷି ତ ଆଉ କେଉଁଠି ଖୁଡ଼ୀ-ପୁତୁରାଙ୍କ ମଧ୍ୟରେ ହେବ କାଣ୍ଟେ କା ଟକ୍କର୍। କିନ୍ତୁ ସବୁ ଦଳରେ ଏଥର ପିଲାଙ୍କ ରାଜନୈତିକ ଭବିଷ୍ୟତ ଗଢିବାକୁ ବାପାମାନେ ନିଜ ରାଜନୈତିକ ଜୀବନରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।

ଅନେକ ବାପା ରାଜନୈତିକ ମଇଦାନରେ ଅଛନ୍ତି ସତ କିନ୍ତୁ ନିର୍ବାଚନ ଲଢୁନାହାନ୍ତି । ପୁଅଙ୍କ ଲାଗି ପ୍ରଚାର କରୁଛନ୍ତି । ସବୁ ଦଳରେ ବାପାମାନଙ୍କର ଏହି ନିଷ୍ପତ୍ତି ଏଥର ଦେଖାଦେଇଛି । କଂଗ୍ରେସର ଦୁଇ ବର୍ଷିୟାନ ନେତା ନରସିଂହ ମିଶ୍ର ଓ ସୁର ରାଉତରାୟ ବିଧାୟକ ଥାଇ ନିର୍ବାଚନ ଲଢୁ ନାହାନ୍ତି । ନରସିଂହଙ୍କ ପୁଅ ସମରେନ୍ଦ୍ର ବଲାଙ୍ଗୀର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । ଆଉ ନରସିଂହ ତାଙ୍କ ପୁଅ ପାଇଁ ପ୍ରଚାର କରୁଛନ୍ତି । ଜଟଣୀ ବିଧାୟକ ସୁର ରାଉତରାୟ ନିର୍ବାଚନରୁ ଓହରି ଯାଇଛନ୍ତି । ତାଙ୍କ ପୁଅ ମନ୍ମଥ ଯିଏ କି ଭୁବନେଶ୍ୱରରୁ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ଆଉ ସୁର ତାଙ୍କ ପୁଅ ପାଇଁ ଅଣ୍ଟା ଭିଡିଛନ୍ତି । ପୁଅ ଲାଗି ଦଳର ପତାକା ଧରି ନପାରିଲେ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଏଥର ନିର୍ବାଚନ ଲଢୁନାହାନ୍ତି ।

ବୀରମିତ୍ରପୁର ଆସନରେ ପୁଅ ଯୋଶେଫ ତିର୍କୀଙ୍କ ପାଇଁ ପ୍ରଚାର କରୁଛନ୍ତି । ସେହିପରି ରାଜଗାଙ୍ଗପୁର ଆସନରେ ବିଜେଡିର ବର୍ଷିୟାନ ନେତା ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ ମଧ୍ୟ ପୁଅ ପାଇଁ ନିର୍ବାଚନ ଲଢୁନାହାନ୍ତି । ତାଙ୍କ ପୁଅ ଅନୀଲ ବରୁଆଙ୍କ ପାଇଁ ପ୍ରଚାର କରୁଛନ୍ତି । ବିଜେଡିର ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଏଥର ପୁଅର ଭବିଷ୍ୟତ ପାଇଁ ନିଜେ ନିର୍ବାଚନର ଅବସର ନେଇଛନ୍ତି । ମାହାଙ୍ଗା ଆସନରୁ ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନା ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଅଙ୍କିତ ବିଜେଡିରୁ ପ୍ରାର୍ଥୀ ଅଛନ୍ତି । କଳାହାଣ୍ଡି ବିଜେପି ସାଂସଦ ତଥା ଦଳର ବରିଷ୍ଠ ନେତା ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନଙ୍କ ପାଇଁ ନିର୍ବାଚନ ମଇଦାନରୁ ଓହରିଯାଇଛନ୍ତି ।

ସେ ଏଥର ପ୍ରାର୍ଥୀ ହୋଇନାହାନ୍ତି । ନୂଆପଡ଼ା ଆସନରୁ ପୁଅ ଅଭିନନ୍ଦନ କୁମାର ପଣ୍ଡାଙ୍କୁ ବିଜେପି ପ୍ରାର୍ଥୀ କରିଛି । ବିଜେପିର ଆଉ ଜଣେ ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ରାଜନୈତିକ ଲଢେଇରୁ ନିଜକୁ ଓହରାଇ ପୁଅ ପାଇଁ ଅଣ୍ଟା ଭିଡିଛନ୍ତି । ସେ ପ୍ରାର୍ଥୀ ନହୋଇ ପୁଅ ଅରବିନ୍ଦଙ୍କୁ ବିଜେଡିରୁ ପ୍ରାର୍ଥୀ କରାଇଛନ୍ତି । ବିଜେପିରେ ଥାଇ ମଧ୍ୟ ବିନା ପତାକାରେ ପୁଅ ପାଇଁ ପ୍ରଚାର ଅଭିଯାନ ଚଳାଇଛନ୍ତି । ସେହିପରି ପୂର୍ବତନ ବରିଷ୍ଠ ମନ୍ତ୍ରୀ ଉଷା ଦେବୀ ତାଙ୍କ ପୁଅ ପାଇଁ ରାଜନୀତି ଛାଡିଛନ୍ତି । ପୁଅ ଚିନ୍ମୟାନନ୍ଦ ଶ୍ରୀରୂପଦେବଙ୍କୁ ପ୍ରାର୍ଥୀ କରାଇଛନ୍ତି । ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରାୟ ମଧ୍ୟ ନିର୍ବାଚନୀ ରାଜନୀତିରୁ ଅବସର ନେଇ ଦୁଇ ପୁଅଙ୍କ ଭବିଷ୍ୟତ ନକ୍ସା ଆଙ୍କୁଛନ୍ତି । ଗୋଡିଏ ପୁଅ କଂଗ୍ରେସ ଓ ଆଉ ଗୋଟିଏ ପୁଅ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ।

ବାଙ୍କୀ ଆସନର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ଇଚ୍ଛା ଥାଇ ମଧ୍ୟ ଲଢିବାରୁ ବଞ୍ଚିତ ହୋଇଛନ୍ତି । ପୁଅ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି । ଚୌଦ୍ୱାର-କଟକ ଆସନରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ପୁଅ ସୌଭିକ ବିଶ୍ୱାଳ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି । ବଲାଙ୍ଗୀର ଆସନରେ ପୂର୍ବତନ ମନ୍ତ୍ରୀ ଅନଙ୍ଗଉଦୟ ସିଂଦେଓ ପୁଅ କଳିକେଶ ସିଂଦେଓଙ୍କ ପାଇଁ ନିର୍ବାଚନ ରାଜନୀତିରୁ ଓହରି ପୁଅ ପାଇଁ ପ୍ରଚାର ଅଭିଯାନରେ ଲାଗିଛନ୍ତି । ଯାଜପୁର ଜିଲ୍ଲା ସୁକିନ୍ଦାର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଡାଇ ପୁଅ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ।

Leave A Reply

Your email address will not be published.