କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ସାପ୍ତାହିକ ବଜାରରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା କାରଣରୁ ବଜାର ପରିସରରେ ଆଣ୍ଠୁଏରୁ ଅଧିକ ପାଣି ଜମି ରହିଥିବାବେଳେ ଏହାର ପାର୍ଶ୍ୱବର୍ତ୍ତୀ ସ୍ଥାନଗୁଡ଼ିକର ଅବସ୍ଥା ମଧ୍ୟ ଅତି ସଙ୍ଗୀନ ହୋଇପଡ଼ିଛି। ବଜାର ନିକଟରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଗେଟ୍ ସମ୍ମୁଖରେ ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ସେଠାରେ ବର୍ଷା ଜଳ ପ୍ରବଳ ଭାବେ ଜମି ରହିଛି। ଫଳରେ ସ୍କୁଲର ଛାତ୍ରୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀମାନେ ବାଧ୍ୟ ହୋଇ ଆଣ୍ଠୁଏ ପାଣି ମାଡ଼ି ବିଦ୍ୟାଳୟକୁ ଯାତାୟାତ କରୁଛନ୍ତି।
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରବେଶପଥ ଜଳମଗ୍ନ ହୋଇଥିବାରୁ ପ୍ରତିଦିନ ବିଦ୍ୟାଳୟକୁ ଆସୁଥିବା କୁମାରୀ ଛାତ୍ରୀ ଓ ଶିକ୍ଷକମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବଜାର ଓ ସ୍କୁଲ ସମ୍ମୁଖ ରାସ୍ତା ଉପରେ ପାଣି ଜମିରହିବାରୁ ପିକଅପ୍ ଭ୍ୟାନ୍, ମୋଟରସାଇକେଲ୍ ଏବଂ ଅନ୍ୟାନ୍ୟ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସାପ୍ତାହିକ ବଜାରରେ ଜଳବନ୍ଦୀ ସ୍ଥିତି ଯୋଗୁଁ ଦୋକାନୀ ଓ ବ୍ୟବସାୟୀମାନଙ୍କ ବ୍ୟବସାୟିକ କାର୍ଯ୍ୟକଳାପ ମଧ୍ୟ ପ୍ରଭାବିତ ହୋଇଛି। ନିଷ୍କାସନ ବ୍ୟବସ୍ଥାର ଅଭାବ ଏବଂ ଡ୍ରେନେଜ୍ ସମସ୍ୟାର ସମାଧାନ ହୋଇପାରୁ ନଥିବାରୁ ସାମାନ୍ୟ ବର୍ଷାରେ ମଧ୍ୟ ଭବାନୀପାଟଣା ସାପ୍ତାହିକ ବଜାର ଏବଂ ସ୍କୁଲ୍ ଅଞ୍ଚଳରେ ଏଭଳି ଦୟନୀୟ ପରିସ୍ଥିତି ସୃଷ୍ଟି ହେଉଛି। ତୁରନ୍ତ ଏହି ସମସ୍ୟାର ସାମାଧାନ କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ, ଅଭିଭାବକ ଏବଂ ବ୍ୟବସାୟୀମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।
