Before Header

ଯଦି ବାପା ମନ୍ତ୍ରୀ, ତାହାଲେ ନିରପେକ୍ଷ ତଦନ୍ତ କେମିତି ସମ୍ଭବ: ରାହୁଲ

0 58

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଯଦି ବାପା ମନ୍ତ୍ରୀ, ତାହାଲେ ନିରପେକ୍ଷ ତଦନ୍ତ କେମିତି ସମ୍ଭବ? ପ୍ରଥମେ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ବିନା ଇସ୍ତଫାରେ ତଦନ୍ତ ସମ୍ଭବ ନୁହଁ । ଏହା କଂଗ୍ରେସର ଦାବି ନୁହେଁ । ମୃତ କୃଷକଙ୍କ ପରିବାରର କଥାକୁ ରଖିଛି କଂଗ୍ରେସ । ଏନେଇ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏକ ଦଳ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ଦେଶର ଅନେକ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ଏନେଇ ବିଭିନ୍ନ ରାଜନୈତିକ ଦଳ ତାଙ୍କର ରଣନୀତି ମଧ୍ୟ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ସାମ୍ନାକୁ ଆସିଥିଲା ଲଖିମପୁର ଖେରି ଘଟଣା । ଆନ୍ଦୋଳନରତ ଚାଷୀଙ୍କ ଉପରେ ବିଜେପି ନେତାଙ୍କ ଗାଡ଼ି ଚଢିଯାଇଥିଲା । ପରେ ଏନେଇ ସାରା ଦେଶରେ ପ୍ରତିବାଦ ଆରମ୍ଭ ହୋଇଯାଇଥିଲା । ଏପରିକି ବିରୋଧୀ ଦଳର ନେତାମାନେ ଘଟଣାସ୍ଥଳକୁ ପହଞ୍ଚିବା ପାଇଁ ଜିଦ ଧରି ବସିଥିଲେ । ସେପଟେ କୃଷକଙ୍କ ସମର୍ଥନରେ ଆମେ ରହିଛୁ କହି ନିଜ ନିଜର ରାଜନୈତିକ ଫାଇଦା ଉଠାଇବାରେ ଲାଗିଥିଲେ ବିରୋଧୀ ଦଳ ।

ଆଗକୁ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ । ତେଣୁ ଏହାକୁ ଏକ ରାଜନୈତିକ ମୁଦ୍ଦା କରିବା ଲକ୍ଷ୍ୟରେ ରହିଛି କଂଗ୍ରେସ ଦଳ । କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ତାଙ୍କ ପଦରୁ ହଟାଇବାର ଦାବି କରିଛି କଂଗ୍ରେସ । ଏନେଇ ରାଷ୍ଟପତିଙ୍କୁ ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବ୍ୟତୀତ କଂଗ୍ରେସ ପ୍ରତିନିଧୀମାନେ ରାଷ୍ଟ୍ରପତିଙ୍କୁ ଭେଟିଥିବାର ସୂଚନା ମିଳିଛି । କିଛିଦିନ ପୂର୍ବରୁ କଂଗ୍ରେସ ଏନେଇ ରାଷ୍ଟ୍ରପତିଙ୍କୁ ଏକ ଚିଠି ମଧ୍ୟ ଲେଖିଥିଲେ । ଲଖିମପୁର ଖେରୀ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କୁ ବରଖାସ୍ତ କରିବାକୁ କଂଗ୍ରେସ ନିରନ୍ତର ଦାବି କରିଆସୁଛି । ଅନ୍ୟପଟେ କେନ୍ଦ୍ର ରାଜ୍ୟମନ୍ତ୍ରୀଙ୍କ ଇସ୍ତଫା ବିନା ତାଙ୍କର ପୁଅର ନିରପେକ୍ଷ ତଦନ୍ତ ସମ୍ଭବ ନୁହେଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଏହା ସହ ମାନ୍ୟବର ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରନ୍ତୁ ବୋଲି ରାହୁଲ ଗାନ୍ଧୀ ରାଷ୍ଟ୍ରପତିଙ୍କ ଠାରେ ଦାବି କରିଛନ୍ତି ।

ସେପଟେ ଏନେଇ ରାଷ୍ଟ୍ରପତି ନିଜେ ସରକାରଙ୍କ ସହ ଆଲୋଚନା କରିବେ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି । ନେତାଙ୍କ ଇସ୍ତଫା ଦାବି କଂଗ୍ରେସର ନୁହେଁ ବରଂ ଏହା କୃଷକଙ୍କ ପରିବାରର ଦାବି ବୋଲି ପ୍ରିୟଙ୍କା କହିଛନ୍ତି । ଆଗକୁ ଉତ୍ତରପ୍ରଦେଶରେ ନିର୍ବାଚନ । ଚଳଚଞ୍ଚଳ ହୋଇଉଠିଛି ବିଭିନ୍ନ ରାଜନୈତିକ ଦଳ । ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ମଧ୍ୟ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ହେଲେ ଲଖିମପୁର ଘଟଣାକୁ ଏକ ବଡ଼ ରାଜନୈତିକ ମୁଦ୍ଦା କରିବା ଲକ୍ଷ୍ୟରେ ରହିଛି କଂଗ୍ରେସ । ବର୍ତ୍ତମାନ ଦେଖିବାର ବିଷୟ ଚାଷୀଙ୍କୁ ନ୍ୟାୟ କେବେ ମିଳୁଛି ।

 

Leave A Reply

Your email address will not be published.