Before Header

ପ୍ରତିଶ୍ରୁତି ଦେଇ ଭୁଲିଗଲେ ବିଧାୟିକା, ଅଧାପନ୍ତାରିଆ ହୋଇପଡିରହିଛି ରାସ୍ତା

0 71

ବରୀ(ବଡ଼ ଖବର ବ୍ୟୁରୋ): ସ୍ୱାଧୀନତାର ୭୭ ବର୍ଷ ପରେ ଆଜି ବି ଗାଁ ଓ ବିଦ୍ୟାଳୟକୁ ନାହିଁ ସ୍ଥାୟୀ ରାସ୍ତା। ଦୀର୍ଘ ବର୍ଷ ହେବ ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଛି ରାସ୍ତା । ଅଙ୍ଗନୱାଡି ଓ ବିଦ୍ୟାଳୟକୁ ପାଠ ପଢିବାକୁ ଯିବାକୁ ବିଲ ରାସ୍ତାରେ ପଡୁଛି ଆଣ୍ଠୁଏ ପାଣି। ପ୍ରତିଶୃତି ଦେଇ ଭୁଲିଗଲେ ବରୀ ବିଧାୟିକା । ଜୀବନକୁ ବାଜି ଲଗାଇ ଭବିଷ୍ୟତ ଗଢ଼ିବା ଆଶାରେ ଆଣ୍ଠୁଏ ପାଣିରେ ପଶି ଅଙ୍ଗନୱାଡ଼ି ଓ ବିଦ୍ୟାଳୟକୁ ଆସନ୍ତି ଛାତ୍ରଛାତ୍ରୀ ।

ବର୍ଷକୁ ୬ ମାସ ନାହିଁ ନଥିବା ହିନସ୍ଥା ଭୋଗୁଛନ୍ତି ଗ୍ରାମବାସୀ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ସୁଣୁନି ପ୍ରଶାସନ। ନିର୍ବାଚନ ଆସିଲେ ମିଳେ କେବଳ ପ୍ରତିଶ୍ରୁତି । ଏ କେଉଁ ଉପାନ୍ତ ଅଞ୍ଚଳର କଥା ନୁହେଁ ଏ ହେଉଛି ଉପକୂଳବର୍ତ୍ତୀ ଯାଜପୁର ଜିଲ୍ଲା ବରୀ ବ୍ଲକର କଥା । ବରୀ ପଞ୍ଚାୟତ ଅଧୀନ ବାଗଦା – ଠାକୁର ପାଟଣାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଦୀର୍ଘ ୧୦ ବର୍ଷ ତଳେ ଆରମ୍ଭ ହୋଇ ଅସମ୍ପୂର୍ଣ୍ଣ ଭାବେ ଅଧାରେ ଅଟକି ରହିଛି।

ଯାହାକୁ ନେଇ ନାହିଁ ନଥିବା ହଇରାଣ ହେଉଛନ୍ତି ବାଗଦା ଠାକୁର ପାଟଣା ଗାଁର ଶହ ଶହ ଲୋକେ। ଏହି ରାସ୍ତା ଉପରେ ୧୦୦ରୁ ଉର୍ଦ୍ଧ ପରିବାର ନିର୍ଭର କରୁଥିବା ବେଳେ ଏହି ରାସ୍ତା କଡରେ ରହିଛି ବାଗଦା ଠାକୁରପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ତାକୁ ଲାଗି ରହିଛି ଅଙ୍ଗନୱାଡ଼ି କେନ୍ଦ୍ର ।

ଏଠାରେ ସରକାର ବିଦ୍ୟାଳୟ କଲେ ମାତ୍ର ସେଠାକୁ ଯିବା ଆସିବା ପାଇଁ ରାସ୍ତା କାର୍ଯ୍ୟ ଆରମ୍ଭ କରି ଅଧାରେ ବନ୍ଦ କରି ରଖିଦେଲେ। ଯାହାକି ଗ୍ରାମବାସୀଙ୍କ ପାଇଁ କାଳ ହୋଇ ରହିଛି ବୋଲି କହିଛନ୍ତି ଗ୍ରାମ ବାସୀ।ପ୍ରତ୍ୟେକ ବର୍ଷ ବର୍ଷା ଦିନ ଆସିଲେ ଆଣ୍ଠୁଏ କାଦୁଅ ପାଣିରେ ପଶି ପାଠ ପଢିବା ପାଇଁ ବିଦ୍ୟାଳୟ ଆସିଥାନ୍ତି ବାଗଦା ଠାକୁର ପାଟଣା ଗାଁର ଛାତ୍ର ଛାତ୍ରୀ । ଯଦି ବନ୍ୟା ହୁଏ ତେବେ ୩ ମାସ ବିଦ୍ୟାଳୟକୁ ଆସିପାରନ୍ତି ନାହିଁ ଛାତ୍ର ଛାତ୍ରୀ। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ସବୁଠାରୁ ବଡ କଥା ହେଉଛି ବରୀ ବିଧାୟିକା ସୁନନ୍ଦା ଦାସଙ୍କ ନିଜ ପୈତୃକ ଘର ପଛ ପଟର ଗାଁ ବରୀ ବାଗଦା। ନିର୍ବାଚନ ସମୟରେ ମୁଁ ବିଧାୟିକା ହେଲେ ଗାଁ ରାସ୍ତା ସମ୍ପୂର୍ଣ କରିଦେବି ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ବିଧାୟିକା ହୋଇ ସରିବା ପରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ବସିଲାଣି ମାତ୍ର ଆଜି ବି ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଛି ରାସ୍ତା। ଯାହାକୁ ନେଇ ଛାତ୍ର ଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଣିରେ ପଶି ଯାତାୟାତ ଦ୍ଵାରା ସାପର ଭୟ ଥିବା ବେଳେ ଥଣ୍ଡା ଜ୍ଵରରେ ଆକ୍ରାନ୍ତ ହେଉଛନ୍ତି ଛାତ୍ର ଛାତ୍ରୀ।

ଅସମ୍ପୂର୍ଣ୍ଣ ଥିବା ରାସ୍ତାକୁ ସମ୍ପୂର୍ଣ୍ଣ କରିବା ପାଇଁ ବିଦ୍ୟାଳୟର ଶିକ୍ଷକ ଅଙ୍ଗନୱାଡି କର୍ମୀ ଓ ଗ୍ରାମବାସୀମାନେ ବହୁଥର ବିଧାୟିକାଙ୍କୁ ମୌଖିକ ଓ ଲିଖିତ ଗୁହାରି ମଧ୍ୟ କରିଛନ୍ତି । ବିଧାୟିକା ମଧ୍ୟ ଏହି ରାସ୍ତା ପରିଦର୍ଶନ କରି ଦେଖିବା ପରେ ଖୁବ୍ ଶୀଘ୍ର ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତି ହୋଇ ରହି ଯାଇଛି। ଏଠି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଅନେକ ଅଭିଭାବକ ମାନେ ଅନ୍ୟ ବିଦ୍ୟାଳୟ ମୁଂହା ହେଉଛନ୍ତି।

ଏଠି ଖାଲି ଛାତ୍ର ଛାତ୍ରୀଙ୍କ ଅସୁବିଧାର କଥା ନୁହେଁ ଏଠି କିଛି ଦଳିତ ବସ୍ତିର ଲୋକମାନେ ମାନେ ମଧ୍ୟ ରାସ୍ତା ନ ଥିବାରୁ ବର୍ଷା ଦିନେ ପାଣି କାଦୁଅରେ ପସି ଯାତାୟାତ କରନ୍ତି। ତେଣୁ ଯଥା ଶୀଘ୍ର ଏହି ବିଦ୍ୟାଳୟକୁ ରାସ୍ତା ନିମନ୍ତେ ଯାଜପୁର ଜିଲ୍ଲା ପ୍ରଶାସନ ଓ ବରୀ ବିଧାୟିକା ଦୃଷ୍ଟି ଦେବାକୁ ଗ୍ରାମବାସି ଦାବି କରିଛନ୍ତି ।

Leave A Reply

Your email address will not be published.