ଯୋଡ଼ା, (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଯୋଡ଼ା ବ୍ଲକ କାରାଖେଣ୍ଡରା ପଞ୍ଚାୟତରେ ଚେକ୍‌ଡ୍ୟାମ୍ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି । ପୂର୍ବରୁ ହୋଇଥିବା କାମକୁ ମରାମତି କରି ନୂତନ ନିର୍ମାଣ ଦେଖାଇବା ସହ ଅତି ନିମ୍ନମାନର କାର୍ଯ୍ୟ କରାଯାଇଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । କାରାଖେଣ୍ଡରା ଗାଁର ଭୂୟାଁ ବସ୍ତି ନିକଟ ସୁଜୁନଝକିଆ ନାଳ ଓ ସିଙ୍କୁ ସାହି ନାଳ ଉପରେ ଏମଜିଏନଆରଇଜିଏସ ଯୋଜନାରେ ପୃଥକ ଭାବେ ୨ଟି ଚେକ୍‌ଡ୍ୟାମ୍ ନିର୍ମାଣ କରାଯାଇଛି । ସୁଜୁନଝକିଆ ନାଳ ଚେକ୍‌ଡ୍ୟାମ୍ ପାଇଁ ୯ ଲକ୍ଷ ୭୦ ହଜାର ଏବଂ ସିଙ୍କୁ ସାହି ଡ୍ୟାମ୍ ପାଇଁ ୯ଲକ୍ଷ ୮୦ ହଜାର ଟଙ୍କା ୨୦୧୮-୧୯ରେ ବ୍ୟୟବରାଦ କରାଯାଇ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ କରାଯାଇଛି । ଭୂୟାଁ ବସ୍ତି ନିକଟ ସୁଜୁନଝକିଆ ନାଳ ଉପରେ ଚେକ୍‌ଡ୍ୟାମ୍ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଠାରେ ଥିବା ପୁରୁଣା ସାଇଡ୍ ୱାଲ୍ ଓ ଫ୍ଲୋରକୁ ମରାମତି କରାଯିବା ସହ କେବଳ ଗାର୍ଡ ୱାଲ୍ ନିର୍ମାଣ କରି କାମ ସାରିଦେଇଛନ୍ତି ବିଭାଗୀୟ ଅଧିକାରୀ । ଯେତିକି କାମ ହୋଇଛି ତାହା ପୁଣି ଅତି ନିମ୍ନମାନର । ସେହିପରି ଡ୍ୟାମର ଉଭୟ ପାଶ୍ୱର୍ରେ ୨୦ ମିଟର ପଥର ପେକିଂ କରାଯାଇଥିବା ବେଳେ ଅନେକ ସ୍ଥାନରେ ପେକିଂ ପଥର ସବୁ ଖସିପଡ଼ିଛି । ଏନେଇ ଗ୍ରାମବାସୀ ଅଭିଯୋଗ କରିବା ପରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗ୍ରାମବାସୀଙ୍କ ଉପସ୍ଥିତିରେ ପ୍ରକଳ୍ପର କେତେକ ସ୍ଥାନକୁ ଖୋଳାଯାଇ ନିର୍ମାଣ କାର୍ଯ୍ୟର ଯାଞ୍ଚ କରାଯାଇଛି।

ଯାଞ୍ଚ ସମୟରେ ଅଭିଯୋଗର ସତ୍ୟାସତ୍ୟ ପଦାକୁ ଆସିଥିଲା। କଂକ୍ରିଟ୍ ଖୋଳାଯିବା ପରେ କାର୍ଯ୍ୟର ପ୍ରକୃତ ମାନ ଜଳଜଳ ହୋଇ ଦେଖାଯାଉଥିଲା। ସାଇଡ୍ ୱାଲ୍‌, ଗାର୍ଡ ୱାଲର ଫାଉଣ୍ଡେସନ୍ ନିର୍ଦ୍ଦିଷ୍ଟ ନିୟମ ମୁତାବକ କରାଯାଇ ନ ଥିବା ଦେଖିବାକୁ ମିଳିଥିଲା। ସେହିପରି ଫ୍ଲୋର କଂକ୍ରିଟ୍ କାମରେ ମଧ୍ୟ ହରେଫେର୍ ହୋଇଥିବା ଜଣାପଡ଼ିଥିଲା। ଏନେଇ ଆମେ ସେଠାରେ ଯାଞ୍ଚ କରିବାକୁ ଯାଇଥିବା ନିର୍ବାହୀ ସହକାରୀ ଯନ୍ତ୍ରୀ ଯଦୁନାଥ ମୁର୍ମୁଙ୍କ ପ୍ରତିକ୍ରିୟା ନେଇଥିଲୁ। ‘ଖୋଳା ହୋଇ ଯାଞ୍ଚ ହେଉଛି, ଅଧିକ କିଛି ପଚାରନ୍ତୁ ନାହିଁ, ଜେଇ କହିବେ, ମୁଁ କହିପାରିବି ନାହିଁ’ ଏତିକି କହି ପଳାଇଥିଲେ ନିର୍ବାହୀ ସହକାରୀ ଯନ୍ତ୍ରୀ। ସେପଟେ ସିଙ୍କୁ ସାହିରେ ନିର୍ମାଣ କରାଯାଇଥିବା ଚେକ୍‌ଡ୍ୟାମ ନିର୍ମାଣ କାର୍ଯ୍ୟ ମଧ୍ୟ ଅତି ନିମ୍ନମାନର କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଅନ୍ୟପକ୍ଷେ କନିଷ୍ଠ ଯନ୍ତ୍ରୀ ସୁବୋଧ ବେଉରିଆଙ୍କ ପ୍ରତିକ୍ରିୟା ପାଇଁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ସେ ଲୁଚକାଳି ଖେଳ ଖେଳି ଖସିଯିବାରେ ସଫଳ ହୋଇଥିଲେ । ଏନେଇ ଆମେ ଯୋଡ଼ା ବିଡିଓ ଯୋଗେଶ୍ୱର ନାଏକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତାଙ୍କ ପ୍ରତିକ୍ରୟା ନେବାକୁ ଚାହିଁଥିଲୁ। ହେଲେ ସେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ।

ଯଦି ବେଉରିଆ ଏ ବିଷୟ କିଛି ଜାଣିନାହାନ୍ତି ଦୁଇପଦ କହିବାକୁ ସାହସ ଜୁଟାଉନାହାନ୍ତି କାହିଁକି । ଦିନ ଦିନ ଧରି ଲୁଚକାଳି ଖେଳିବାର ଅର୍ଥ କଣ । ଚାଷୀଙ୍କୁ ପାଣି ଯୋଗଇବା ଉଦ୍ଦେଶ୍ୟରେ ସରକାର ବହୁ ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ତାହା ବସ୍ତବରେ କେତେ କାର୍ଯ୍ୟକାରୀ ହେଉଛି ଓ ଚାଷୀ କେତେ ଉପକୃତ ହେଉଛନ୍ତି ତା’ର ହିସାବ କିଏ ଦେବ । ସରକାରଙ୍କ ଏହି ଯୋଜନା ସବୁ ଚାଷୀଙ୍କ ପାଇଁ ଉପହାସ ପାଲଟି ନାହିଁ ତ। ଲକ୍ଷଲକ୍ଷ ଟଙ୍କା ବାଟମାରଣା ହୋଇଥିବା ଏହି ଡ୍ୟାମରୁ ଚାଷୀ କିଭଳି ଉପକୃତ ହେବେ ଓ ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କ’ଣ ପଦକ୍ଷେପ ଗ୍ରହଣ କରାଯାଉଛି ତାହାହିଁ ଏବେ ବଡ଼ପ୍ରଶ୍ନ।

Leave a Reply

Your email address will not be published. Required fields are marked *