ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ବଡ଼ ଖବର ପ୍ରତିନିଧି ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ । ରାଜଧାନୀର ରାଜରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ବିଳମ୍ବିତ ରାତିରେ କାର୍ଯ୍ୟସାରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ହୋଇଛି ଆକ୍ରମଣ । ସାମ୍ବାଦିକଙ୍କ ଉପରେ ଏପରି ଆକ୍ରମଣକୁ ସବୁଠି ହେଉଛି ନିନ୍ଦା ଓ ପ୍ରତିବାଦ । ଦୋଷୀକୁ ଶୀଘ୍ର ଧରି ଉପଯୁକ୍ତ ଦଣ୍ଡ ଦେବାକୁ ହେଉଛି ଦାବି ।

ଏହାକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ ରଖିଛନ୍ତି ବୁଦ୍ଧିଜୀବୀ । ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଏହାକୁ କଡ଼ା ନିନ୍ଦା କରିଛନ୍ତି ସେ ତାଙ୍କ ସୋସିଆଲ ମିଡିଆ ସାଇଟ ଫେସବୁକରେ ଲେଖିଛନ୍ତି “ରାଜ୍ୟରେ ସାମ୍ବାଦିକ ମାନେ ଅସୁରକ୍ଷିତ । ବଡ଼ ଖବରର ସାମ୍ବାଦିକ ଜ୍ୟୋତି ରଞ୍ଜନଙ୍କୁ କାଲି ରାତ୍ରୀରେ କିଛି ଦୁର୍ବୃତ୍ତ ମରଣାତ୍ମକ ଆକ୍ରମଣ କରିଛନ୍ତି । ଜ୍ୟୋତି ଭଲ ଅଛନ୍ତି । ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଆମ୍ଭେ ଏହି ଘଟଣା କୁ ନିନ୍ଦା କରିବା ସହ ତୁରନ୍ତ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ ।

ରାଜ୍ୟରେ ଯେଉଁ ମାନେ ନବୀନ ପଟ୍ଟନାୟକଙ୍କ କୁତ୍ସିତ ଶାସନ , ଦୁର୍ନୀତି , ଭ୍ରଷ୍ଟାଚାର, ହାରିଲୁଟ୍ ସଂପର୍କରେ ଖବର ପରିବେଷଣ କରିଛନ୍ତି ବା ବାସ୍ତବ ତଥ୍ୟକୁ ଲୋକଲୋଚନକୁ ଆଣିଛନ୍ତି , ସେମାନେ ସାମ୍ୱାଦିକ ହୁଅନ୍ତୁ ବା ସୂଚନା ଅଧିକାର କର୍ମୀ ହୁଅନ୍ତୁ ବା ମାନବ ଅଧିକାର କର୍ମୀ ହୁଅନ୍ତୁ , ସମସ୍ତେ ଶାସକ ଦଳର ପ୍ରଯୋଜିତ ଷଡ଼ଯନ୍ତ୍ର, ଆକ୍ରମଣ ର ଶିକାର ହୋଇଛନ୍ତି । ବାସ୍ତବ ତଥ୍ୟ କୁ ଲୋକଲୋଚନକୁ ଆଣୁଥିବା ସାମ୍ବାଦିକ ମାନେ ବାରମ୍ବାର ଶାସକ ଶ୍ରେଣୀ ର ବିଜେଡି ଗୁଣ୍ଡା , ମାଫିଆ, ସୂପାରି କିଳର ମାନଙ୍କ ଦ୍ଵାରା ଆକ୍ରମଣ ର ଶିକାର ହୋଇଛନ୍ତି ।

ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୪ବର୍ଷ ଶାସନରେ ଏହିପରି ଅନେକ ଘଟଣା ଘଟିଛି । କିନ୍ତୁ ସମସ୍ୟା ବଢ଼ିଛି ପଛେ କମିନି। ସମ୍ବାଦପତ୍ରର ମାଲିକ ମାନେ ସରକାରୀ କଳର ହାତବାରିଶି ହେବା , ବାସ୍ତବ ତଥ୍ୟ କୁ ଲୁଚେଇ ସରକାରୀ ପ୍ରଯୋଜିତ ଖବରକୁ ବାରମ୍ବାର ପରିବେଷଣ କରିବା , ଜନମତକୁ ବିଭ୍ରାନ୍ତି କରିବା , ସରକାରୀ ଚାନ୍ଦା ନେଇ ନବୀନ ପଟ୍ଟନାୟକ ଓ ପାଣ୍ଡିଆ ନଙ୍କ ସଂପର୍କରେ ପ୍ରକଳ କଳ୍ପିତ ଖବର ପ୍ରକାଶ କରିବା ଯୋଗୁଁ ଏହି ସବୁ ସମ୍ବାଦ ସଂସ୍ଥାରେ କାର୍ଯ୍ୟ କରୁଥିବା ନିତିନିଷ୍ଠ, ସମାଜପ୍ରେମୀ ସାମ୍ବାଦିକ ମାନେ ଏହି ଭଳି ଆକ୍ରମଣର ଶିକାର ହୋଇଛନ୍ତି । ଏହି ଭଳି ଆକ୍ରମଣ ଆହୁରି ବଢି ବଢି ଚାଲିଛି । ନବୀନ ପଟ୍ଟନାୟକଙ୍କ କୁତ୍ସିତ ୫-ଟି ଶାସନ ଚାଲିଥିବା ପର୍ଯ୍ୟନ୍ତ ଏହି ସବୁ ଘଟଣା ଆହୁରି ଭୟଙ୍କର ରୁପ ନେବ ଏଥିରେ ସନ୍ଦେହ ନାହିଁ ।”

Leave a Reply

Your email address will not be published. Required fields are marked *