Before Header

ଶୁଖିଯିବ ଚିରସ୍ରୋତା କାରୋ ନଦୀ

0 40

କୋଇଡ଼ା (ବଡ଼ ଖବର ବ୍ୟୁରୋ): ଶୁଖିଯିବ ଚିରସ୍ରୋତା କାରୋ ନଦୀ । ଇତିହାସରେ ରହିବ । ଭୁଗୋଳରୁ ଲୋପ ପାଇଯିବ । ହଜାର ହଜାର ଟନ୍ ଲୁହାପଥର ଗୁଣ୍ଡରେ କାରୋ ନଦୀର ଉତ୍ପତ୍ତିସ୍ଥଳ ପୋତି ହେବାରେ ଲାଗିଛି । ବାରମ୍ବାର ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ । ବିଭାଗୀୟ ଅଧିକାରୀଙ୍କ ଖଣି ପ୍ରୀତି ଯୋଗୁଁ କେବଳ ନୋଟିସ କରି ଚୁପ୍ ବସିଛି ପ୍ରଶାସନ । ରାଇକଳା ଅଞ୍ଚଳର ଚାଷଜମି ପୋତି ହେବା ଘଟଣାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ବନବିଭାଗ, ଖଣି ବିଭାଗ ନା ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ କେହି କର୍ଣ୍ଣପାତ କରୁନାହାନ୍ତି । ଏ ସବୁ ବିଭାଗ ଦ୍ଵାରା କୌଣସି ପ୍ରାକୃତିକ ଝରଣାକୁ ନଷ୍ଟ ନକରିବାକୁ ଅନେକଗୁଡିଏ ଆଇନ୍ ଥିଲେ ମଧ୍ୟ ପେଙ୍ଗୁଇନ୍ ଟ୍ରେଡିଙ୍ଗ ଖଣି କମ୍ପାନୀ ଏଥିପ୍ରତି ଧ୍ୟାନ ଦେଉନାହିଁ ।

ଅନେକ ଦିନ ଧରି ଗ୍ରାମବାସୀ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରି ଥକି ପଡିଲେଣି । ୨୦୧୭ରୁ କୋଇଡା ବ୍ଲକ ଭାଇସ ଚେୟାରମେନ ତଥା ବର୍ତ୍ତମାନର ଡେଙ୍ଗୁଲା ସରପଞ୍ଚ ବାବୁଲି ମୁଣ୍ଡା ଲିଖିତ ଭାବେ ସାଂସଦ ଜୁଏଲ ଓରାମ, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସମେତ କୋଇଡା ବିଡିଓ, କୋଇଡା ଡିଡ଼ିଏମ୍ଙ୍କୁ ମଧ୍ୟ ଅବଗତ କରାଇଛନ୍ତି । କାରୋ ନଦୀ ଏବଂ ଚାଷଜମିରେ ନାଲିମାଟି ନ ପକାଇବାକୁ ପେଙ୍ଗୁଇନ୍ ଟ୍ରେଡିଂ ଖଣି କମ୍ପାନୀକୁ ମଧ୍ୟ ସେ ଚିଠି କରିଥିଲେ । କିନ୍ତୁ କେହି ଗୁରୁତ୍ୱ ଦେଉ ନଥିବା ବାବୁଲି ମୁଣ୍ଡା କହିଛନ୍ତି । ଇତି ମଧ୍ୟରେ ପ୍ରାକୃତିକ ଝରଣାଟି ସମ୍ପୂର୍ଣ୍ଣ ଖଣିମାଟିରେ ପୋତି ହୋଇଯାଇଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ମଧ୍ୟ ଚୁପ୍ ।

ଏ ସମ୍ପର୍କରେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ହେବାରୁ ପେଙ୍ଗୁଇନ୍ ଟ୍ରେଡିଂ ଖଣି କମ୍ପାନୀକୁ ୨୦୨୧ ଏବଂ ୨୦୨୨ରେ ପ୍ରଦୂଷଣ ବିଭାଗ କେବଳ ନୋଟିସ୍ କରି ଛାଡିଦେଇଛି । ଅନେକ ବର୍ଷ ଧରି ପେଙ୍ଗୁଇନ୍ ଟ୍ରେଡିଂ ଖଣି କମ୍ପାନୀ ପ୍ରଦୂଷଣ ନିୟମ ଉଲ୍ଲଘଂନ କରୁଥିବା ବେଳେ ଚତୁରତାର ସହ ପରିବେଶ ମଞ୍ଜୁରୀକୁ ମଧ୍ୟ ହାତେଇ ନେଇଛି । ଇତି ମଧ୍ୟରେ ଦୁଇଗୋଟି ପ୍ରାକୃତିକ ଝର ମରିଯାଇଛି । ଚାରୋ ନଦୀ କ୍ଷେତ୍ରରେ ବିଭାଗୀୟ ଅଧିକାରୀ କେବେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଲୋକେ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.