Before Header

ମନ୍ତ୍ରୀ ବଦଳାଇବେ ମୋଦି, ଓଡ଼ିଶାରୁ କିଏ?

0 20,422

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଖୁବଶୀଘ୍ର କେନ୍ଦ୍ରମନ୍ତ୍ରୀମଣ୍ଡଳରେ ହେବାକୁ ଯାଉଛି ଅଦଳବଦଳ । ଏବେ ଦିଲ୍ଲୀ ଦରବାରରେ ଜୋର୍ ଧରିଛି ଏହି ଚର୍ଚ୍ଚା । ଶାହା ଓ ନଡ୍ଡାଙ୍କ ସହ ପିଏମଙ୍କ ମିଟିଂ ପରେ କୁହାଯାଉଛି, ମୋଦି ବଦଳାଇବାକୁ ଯାଉଛନ୍ତି କିଛି କେନ୍ଦ୍ର ମନ୍ତ୍ରୀଙ୍କ ପୋଜିସନ । କିଛିଙ୍କ ବିଭାଗ ବଦଳିବ, ଆଉ କିଛି ଆଉଟ୍ ହେବେ, କିଛିି ଇନ୍ ବି ହେବେ । ମୋଦିଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ନିକଟରେ ସରିଥିବା ରାଜ୍ୟଗୁଡିକର ନିର୍ବାଚନ ସମୀକରଣର ପ୍ରଭାବ ରହିବ । ଆଗକୁ ହେବାକୁ ଥିବା ୟୁପି ଭଳି ରାଜ୍ୟର ନିର୍ବାଚନ ବି ନଜରରେ ରହିବ । ତେଣୁ ମୋଦିଙ୍କ ଟିମରେ ଏଥର ତାକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ତେଣୁ ୟୁପି ପାଇଁ ସେ ଲବି କରିଥିବେ ନିଶ୍ଚୟ । ସେପଟେ ଆସାମ ମୁଖ୍ୟମନ୍ତ୍ରୀ ପଦ ଛାଡିଥିବା ସର୍ବାନନ୍ଦ ସୋନୱାଲଙ୍କୁ କ୍ୟାବିନଟ୍ ବର୍ଥ ପକ୍କା ବୋଲି କୁହାଯାଉଛି ।

ତେବେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଓଡିଶାର ଭାଗ କଣ ରହିବ, ତାକୁ ନେଇ ବି ଆକଳନ ଆରମ୍ଭ ହୋଇଛି । ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଏବେ ୨ ଓଡିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ରହିଛନ୍ତି । ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟରେ ସ୍ଥାନ ମିଳିଥିବା ବେଳେ ପ୍ରତାପଙ୍କୁ ରାଷ୍ଟ୍ରପାହ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି । ଏହି ୨ ମନ୍ତ୍ରୀଙ୍କ ବିଭାଗର ସମୀକ୍ଷା ବି କରିଛନ୍ତି ମୋଦି । ଉଭୟ ମୋଦିଙ୍କ ଗୁଡବୁକରେ ଥିବାରୁ ମନ୍ତ୍ରିମଣ୍ଡଳରେ ସ୍ଥାନ ବଜାୟ ରଖିବା ପକ୍କା ହୋଇଥିବା ବେଳେ ସେମାନଙ୍କ ବିଭାଗକୁ ନେଇ କିଛି ଫେର୍ ବଦଳ ହୋଇପାରେ । ବିଶେଷକରି, ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ ଦେଶରେ ଅସନ୍ତୋଷ ଥିବାରୁ ସେଥିରୁ ନଜର ହଟାଇବାକୁ ବିଭାଗର ମନ୍ତ୍ରୀ ମୋଦି ବଦଳାଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଆକଳନ କରାଯାଉଛି । ସେପଟେ ମୋଦିଙ୍କ ଟିମରେ ସାମିଲ ନେଇ ଆଉ ୨ ଓଡିଆ ଅଛନ୍ତି ଷ୍ଟ୍ରଙ୍ଗ ରେସରେ । ଜଣେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଅନ୍ୟଜଣେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ । ଗତ ଆସାମ ନିର୍ବାଚନରେ ପ୍ରଭାରୀ ଭାବେ ବୈଜୟନ୍ତଙ୍କ ପ୍ରଭାବୀ ପ୍ରଦର୍ଶନ ତାଙ୍କ ଦାବିଦାରୀଙ୍କୁ ଜୋର୍ କରିଛି ।

ତେବେ ସେ ସଂସଦର କୌଣସି ସଦନର ସଦସ୍ୟ ନ ଥିବାରୁ ତାଙ୍କୁ ମନ୍ତ୍ରୀ କରାଗଲେ, କେଉଁ ରାଜ୍ୟରୁ ରାଜ୍ୟସଭାକୁ ଦଳ ପଠାଇପାରେ । ସେପଟେ ଅଶ୍ୱିନୀ ବୈଷ୍ଣବ ପାର୍ଟିରେ ନିଜ ଲବିକୁ ବଢାଇଛନ୍ତି । ତେଣୁ ତାଙ୍କୁ ନେଇ ବି ପାୱାର କରିଡରରେ ଚର୍ଚ୍ଚା ରହିଛି । ଅନ୍ୟପକ୍ଷରେ, ଗତଥର ଭଳି ଏଥର ବି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାଁ ଉଠୁଥିଲେ ବି ତାଙ୍କ ଚାନ୍ସ ପ୍ରାୟତଃ ଶୂନ୍ ବୋଲି କୁହାଯାଉଛି । ସେପଟେ ପୂର୍ବଥର ଭଳି ଏଥର ବି ବରଗଡ ସାଂସଦ ସୁରେଶ ପୂଜାରୀ ରେସରେ ଥିଲେ ମଧ୍ୟ ତାଙ୍କୁ ବି ଏଥର କନଫର୍ମ ନ କରି ବରଂ ୱେଟିଂରେ ରଖିପାରନ୍ତି ମୋଦି । ସାରା ଦେଶରେ ଏବେ କୋଭିଡ ପରିଚାଳନାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠୁଛି । ଠିକ୍ ଏତିକି ବେଳେ ଟିମରେ ପରିବର୍ତ୍ତନ କରି ଖବରର ମୋଡ଼ ବଦଳାଇବାକୁ ଚେଷ୍ଟା କରିଛନ୍ତି ପିଏମ୍ ।

Leave A Reply

Your email address will not be published.