ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆସୁଛି ମୌସୁମୀ । ଆସନ୍ତା ୩ରୁ ୪ ଦିନ ଭିତରେ ଓଡ଼ିଶା ଛୁଇଁପାରେ । ରାଜ୍ୟରେ ଆସନ୍ତା ୨ ଦିନ ପରେ ତାପମାତ୍ରା ୨ରୁ ୪ଡିଗ୍ରୀ ସେଲସିୟସ୍ ଖସିପାରେ । ପାଣିପାଗ ବିଭାଗଏଭଳି ପୂର୍ବାନୁମାନ କରିଛି । ଗତ କିଛି ଦିନ ହେବ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ବଙ୍ଗୋପସାଗରରେ ଧୀରେ ଧୀରେ ଆଗକୁ ବଢ଼ୁଛି। ମୌସୁମୀର ଗତିକୁ ଅତି ଦ୍ରୁତକରିବା ଭଳି କୌଣସି ଶକ୍ତିଶାଳୀ ଲଘୁଚାପ କ୍ଷେତ୍ରକିମ୍ବା ଅବପାତ ଏପର୍ଯ୍ୟନ୍ତ ବଙ୍ଗୋପସାଗରରେ ସୃଷ୍ଟି ହୋଇନାହିଁ । ନିକଟରେ ସୃଷ୍ଟି ହେବାର ସଙ୍କେତ ମଧ୍ୟ ମିଳୁନାହିଁ ।
ପାଣିପାଗ ବିଭାଗର ସୂଚନା ଅନୁସାରେ ବଙ୍ଗୋପସାଗର ଓ ଆରବ ସାଗରରେ ମୌସୁମୀ ବାୟୁ ସକ୍ରିୟ ରହିଛି । ପାଗ ଅନୁକୂଳ ରହିଥିବାରୁ ମୌସୁମୀ ବାୟୁ ଦ୍ରୁତ ଗତିରେ ଉତ୍ତର ଓ ପୂର୍ବ ଭାରତ ଆଡ଼କୁ ଅଗ୍ରସର ହେଉଛି । ଫଳରେ ଖୁବ ଶୀଘ୍ର ଏହା ଓଡ଼ିଶାରେ ପ୍ରବେଶ କରିବ । ମୌସୁମୀ ଆଗମନ ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିବା ସହ ତାପମାତ୍ରା ମଧ୍ୟ ହ୍ରାସ ପାଇବ । ମୌସୁମୀ ଆଗମନର ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାପ୍ରଭାବିତ ହେବେ ।
ତେବେ ଗଞ୍ଜାମ, ପୁରୀ ଏବଂ ଖୋର୍ଦ୍ଧାଜିଲ୍ଲା ଦେଇ ସାମୁଦ୍ରିକ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିବାର ସବୁଠାରୁ ଅଧିକ ସମ୍ଭାବନା ଅଛି । ଏହି ସମୟ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳରୁ ଆର୍ଦ୍ରତା ଉପରକୁ ଆସୁଥିବାରୁ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁରଏବଂ ମାଲକାନଗିରି ଜିଲ୍ଲାରେ ମଧ୍ୟ ମୌସୁମୀପ୍ରବେଶ କରିପାରେ ।
