Before Header

ପିଲା କିଏ?

0 1,064

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ଶରତ କରଙ୍କ ଦେହାନ୍ତ ପରେ ବି ତାଙ୍କୁ ନେଇ ରାଜନୈତିକ ଚର୍ଚ୍ଚା ଲାଗି ରହିଛି। ସୋମବାର ଶରତଙ୍କ ଦେହାନ୍ତ ପରେ ତାଙ୍କୁ କାହିଁକି ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଗଲା ନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ ଉଠାଇଥିଲେ। ଏପରିକି ସ୍ୱର୍ଗଦ୍ୱାରରେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକେ ଅନୁମତି ମାଗିଥିଲେ ମଧ୍ୟ ଅନୁମତି କାହିଁକି ଦିଆଗଲା ନାହିଁ ବୋଲି ନିରଞ୍ଜନ ପ୍ରଶ୍ନ କରିଥିଲେ। ପୂର୍ବତନ ତିର୍ତ୍ତୋଲ ବିଧାୟକ ସ୍ୱର୍ଗତ ବିଷ୍ଣୁ ଦାସ ଏବଂ ପୂର୍ବତନ ପିପିଲି ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପାଇଁ ସ୍ୱର୍ଗଦ୍ୱାର ଖୋଲାଯାଇଥିବାବେଳେ ଶରତଙ୍କୁ କାହିଁକି ବାରଣ କରାଗଲା ବୋଲି ପ୍ରଶ୍ନ କରି ବୁଧବାର ନିରଞ୍ଜନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ତେବେ ଏହି ଚିଠିର ଜବାବ ନିରଞ୍ଜନଙ୍କୁ ମୁଖ୍ୟମନ୍ତ୍ରୀ ଦେବା ପରିବର୍ତ୍ତେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଦେଇଛନ୍ତି। ପ୍ରତାପ କହିଛନ୍ତି ଯେ ଶରତ କରଙ୍କ ଅନ୍ତିମ ସଂସ୍କାର ସମ୍ପର୍କରେ ନିରଞ୍ଜନ ମୁଖ୍ୟମନ୍ତ୍ରୀଙ୍କୁ ଏପରି ଚିଠି ଲେଖି ପିଲାଳିଆମିର ପରିଚୟ ଦେଇଛନ୍ତି।

ଶରତଙ୍କ ପରିବାରର ଇଚ୍ଛା ଏବଂ କୋଭିଡ୍ କଟକଣା ମାନି ସବୁକିଛି କରାଗଲା। କୋଭିଡରେ ଆକ୍ରାନ୍ତ ଥିବାରୁ ମରଶରୀରକୁ ବିଧାନସଭାକୁ ନିଆଯାଇ ପାରିଲା ନାହିଁ। ଗାର୍ଡ ଅଫ୍ ଅନର ପାଇଁ ପ୍ରସ୍ତୁତି ସରିଥିଲା କିନ୍ତୁ ସନ୍ଧ୍ୟା ଯୋଗୁ ଦିଆଯାଇ ପାରିଲା ନାହିଁ। ତାଙ୍କୁ ଶେଷ ସମ୍ମାନ ଜଣାଇବାକୁ ମଧ୍ୟ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ପଠାଇଥିଲେ ବୋଲି ପ୍ରତାପ ଜେନା କହିଛନ୍ତି। ପ୍ରତାପଙ୍କ ଏପରି ମନ୍ତବ୍ୟ ପରେ ମନ୍ତବ୍ୟ ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି ପ୍ରତାପ ମୋ ଆଗରେ ପିଲା। ସେ ମୋ ପୁଅ କିମ୍ବା ସାନଭାଇ ବୟସର। ମୁଁ ତାଙ୍କୁ କ’ଣ ଉତ୍ତର ଦେବି। ସରକାରଙ୍କ ନିୟମ କାନୁନ୍ ମତେ ବେଶ୍ ଜଣାଅଛି। ଓଡ଼ିଶାରେ ଯେତେ ମୁଖ୍ୟମନ୍ତ୍ରୀ ହେଇଛନ୍ତି ବିଶ୍ୱନାଥ ଦାସଙ୍କଠାରୁ ଆରମ୍ଭ କରି ଜାନକୀ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଶାବଦାହ ବେଳେ ମୁଁ ଉପସ୍ଥିତ ରହିଛି। କେବଳ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓ ଓ ସ୍ୱର୍ଗତ ସଦାଶିବ ତ୍ରିପାଠୀଙ୍କ ଶବଦାହ ବେଳେ ଉପସ୍ଥିତ ନ ଥିଲି।

ଏତଦବ୍ୟତୀତ ବିଭିନ୍ନ ରାଜନୈତିକ ଦଳର ନେତା ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଶବଦାହ ବେଳେ ଉପସ୍ଥିତ ରହିଛି। ସନ୍ଧ୍ୟା ସମୟରେ ମଧ୍ୟ ନେତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦିଆଯାଇଛି। ସେ ବିବାଦକୁ ମୁଁ ଯିବାକୁ ଚାହେଁନାହିଁ। ଗତ ନିର୍ବାଚନରେ ପ୍ରତାପଙ୍କ ବିଜୟ ପାଇଁ ଶରତବାବୁ ଉଦ୍ୟମ କରିଥିଲେ। ଆଜି ତା’ର ପ୍ରତିଦାନ ସ୍ୱରୂପ ପ୍ରତାପ ବାବୁ କ’ଣ ଏପରି ମନ୍ତବ୍ୟ ଦେଉଛନ୍ତି କି? ମୁଁ ମୋର ପ୍ରତିକ୍ରିୟା ଓ ଦୁଃଖ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲି। ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କିମ୍ବା ଘରୋଇ ବିଭାଗ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମନ୍ତବ୍ୟ ଦେଇଥିଲେ ସୁନ୍ଦର ହୋଇଥାନ୍ତା। ପ୍ରତାପ ବାବୁ କିଏ? ଯଦି ସରକାରଙ୍କ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି ଏ ସବୁ ପ୍ରଶ୍ନଗୁଡ଼ିକର ଉତ୍ତର ବି ସରକାର ଦେଇଦିଅନ୍ତୁ।

ଶରତବାବୁ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଅପରାହ୍ଣ ୩ଟା ୧୫ରେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ମୃତ ଘୋଷଣା କରିଥିଲେ। ମରଶରୀରକୁ ପରିବାର ଲୋକଙ୍କୁ ଦିଆଯାଇ ନ ଥିଲା। ହସ୍ପିଟାଲ ତରଫରୁ ମରଶରୀରକୁ ଶ୍ମଶାନକୁ ଅଣାଗଲା। ନିୟମ ଅନୁସାରେ ସୂର୍ଯ୍ୟାସ୍ତ ପୂର୍ବରୁ ଅଣାଗଲା ନାହିଁ କାହିଁକି?

ଶରତବାବୁଙ୍କ ସାନ ପୁଅ ପ୍ରତାପବାବୁଙ୍କୁ ଅନୁରୋଧ କରିଥିଲେ, ବାପାଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ସ୍ୱର୍ଗଦ୍ୱାର ନେବାକୁ। ଅନ୍ୟମାନଙ୍କୁ ପୁରୀ ନେବାପାଇଁ ଅନୁମତି ମିଳିଥିବାବେଳେ ଶରତବାବୁଙ୍କ କ୍ଷେତ୍ରରେ ଅନୁମତି ଦିଆଗଲା ନାହିଁ କାହିଁକି?

ବଡ଼ପୁଅ ବିଧାନସଭା କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା କରି ମରଶରୀରକୁ ବିଭାନସଭା ନେବାପାଇଁ ସମୟ ନିର୍ଦ୍ଧାରଣ କରିଥିଲେ କିନ୍ତୁ ଠିକ୍ ୩୦ ମିନିଟ୍‌ ବ୍ୟବଧାନରେ ବିଧାନସଭାକୁ ମରଶରୀର ଆଣିବାକୁ ମନା କରିଦେଇଥିଲେ। ଯଦି ସନ୍ଧ୍ୟା ହେଲା ବୋଲି ରାଷ୍ଟ୍ରୀୟ ମର୍ଯ୍ୟାଦା ଶ୍ମଶାନରେ ଦିଆଗଲାନାହିଁ, ଅନ୍ୟ କୌଣସି ସ୍ଥାନରେ ଦିଆଯାଇ ପାରିଥାନ୍ତା। ଶ୍ମଶାନରେ ରାଷ୍ଟ୍ରୀୟ ସମ୍ମାନ ଦିଆ ନ ଯାଇ ଅନ୍ୟ ଜାଗାରେ ଦେବାର ଦୃଷ୍ଟାନ୍ତ ଅଛି। ଶରତବାବୁଙ୍କ କ୍ଷେତ୍ରରେ ଏହା କରାଗଲା ନାହିଁ କାହିଁକି?

ଶରତବାବୁଙ୍କ ଅମର ଆତ୍ମା ପ୍ରତି ଏହି ଯେଉଁ ଅବିଚାର ହୋଇଛି ସେ ବିଷୟରେ ଆଉ ଅଧିକ ଆଲୋଚନା ନ କରି ଦୟାକରି ଏ ତ୍ରୁଟିପାଇଁ ସରକାର କ୍ଷମା ମାଗନ୍ତୁ ଏବଂ ଏଥିପାଇଁ କିଏ ଦାୟୀ ମୁଖ୍ୟମନ୍ତ୍ରୀ ଏହାର ବିଚାର କରନ୍ତୁ ବୋଲି ନିରଞ୍ଜନ କହିଛନ୍ତି।

Leave A Reply

Your email address will not be published.