Before Header

ନୋବେଲ ପୁରସ୍କାର ଓ କ୍ୟୁରି ପରିବାର

0 77

ଷ୍ଟକହୋମ୍, (ବଡ଼ ଖବର ବ୍ୟୁରୋ): ନୋବେଲ ପୁରସ୍କାର ବିଶ୍ୱର ସର୍ବୋଚ୍ଚ ପୁରସ୍କାର। ଚିକିତ୍ସା, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଶାନ୍ତି, ଅର୍ଥନୀତି ଏବଂ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶ୍ୱର ଶ୍ରେଷ୍ଠ ବ୍ୟକ୍ତିଙ୍କୁ ଦିଆଯାଏ ଏହି ପୁରସ୍କାର। ସ୍ୱିଡେନର ବୈଜ୍ଞାନିକ ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ଏହି ପୁରସ୍କାର ୧୮୯୫ ମସିହାରୁ ପ୍ରଦାନ କରାଯାଉଛି। ବିଶ୍ୱର ଏହି ସମ୍ମାନଜନକ ପୁରସ୍କାର ବାବଦରେ ମନୋନୀତ ବ୍ୟକ୍ତିତଙ୍କୁ ୧ ମିଲିୟନ୍ ଆମେରିକୀୟ ଡଲାର୍ ପ୍ରଦାନ କରାଯାଇଥାଏ। ଚିକିତ୍ସା ଓ ପଦାର୍ଥ ବିଜ୍ଞାନ ବିଜେତାଙ୍କ ନାମ ଚଳିତ ବର୍ଷ ଘୋଷଣା କରାଯାଇଛି। କିନ୍ତୁ ରସାୟନ ବିଜ୍ଞାନ, ଶାନ୍ତି, ଅର୍ଥନୀତି ଏବଂ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇ ନାହିଁ। ଆମେ ଆପଣଙ୍କୁ ଏକ ପରିବାର କଥା କହୁଛୁ, ଯାହାର ନୋବେଲ ପୁରସ୍କାର ଜିତିବାର ବିଶ୍ୱ ରେକର୍ଡ ଅଛି। ଏହି ପରିବାର ସର୍ବାଧିକ ନୋବେଲ ପୁରସ୍କାର ପାଇ ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି।

ମ୍ୟାରି କ୍ୟୁରି (ମାଡାମ୍ କ୍ୟୁରି) ଓ ତାଙ୍କ ସ୍ୱାମୀ ପି.ଆର୍. କ୍ୟୁରିଙ୍କଠାରୁ ଆରମ୍ଭ ହୋଇଥିଲା ଏହି ପରିବାରର ନୋବେଲ ପୁରସ୍କାର ପାଇବାର ଜୟଯାତ୍ରା। ମ୍ୟାରି କ୍ୟୁରି ଫ୍ରାନ୍ସର ନାଗରିକ ଥିଲେ। ସେ ୧୮୬୭ ନଭେମ୍ବର ୭ରେ ପୋଲାଣ୍ଡରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଗଣିତ ଓ ପଦାର୍ଥ ବିଜ୍ଞାନର ଶିକ୍ଷକ ଥିଲେ। ୯ ବର୍ଷ ବୟସରେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା। ଉଚ୍ଚଶିକ୍ଷା ପାଇଁ ୧୮୯୧ ମସିହାରେ ମାରି ପ୍ୟାରିସ ଚାଲିଆସିଥିଲେ। ସେ ଦିନସାରା ବିଶ୍ୱବିଦ୍ୟାଳୟର ଲ୍ୟାବରେ ଗବେଷଣା କରି ବିଳମ୍ବିତ ରାତି ପର୍ୟ୍ୟନ୍ତ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ୧୮୯୪ରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ, ସେ ଦକ୍ଷ ଫ୍ରେଞ୍ଚ ରସାୟନ ବିଜ୍ଞାନୀ ପି.ଆର୍. କ୍ୟୁରିଙ୍କୁ ବିବାହ କରିଥିଲେ। ସ୍ୱାମୀ-ସ୍ତ୍ରୀ ଗବେଷଣାରତ ଥିବା ବେଳେଫ୍ରାନ୍ସର ଜଣେ ପଦାର୍ଥ ବିଜ୍ଞାନୀ ବେକେରେଲ ୟୁରାନିୟମ ଲୁଣର କିଛି କିରଣର ନିର୍ଗମନକୁ ଚିହ୍ନଟ କରିଥିଲେ। ଏହି ଖବର ପାଇ ମ୍ୟାରି ଏବଂ ତାଙ୍କ ସ୍ୱାମୀ ଉତ୍ସାହିତ ହୋଇ ଏ ଦିଗରେ କାମ ଆରମ୍ଭ କଲେ।

ସେମାନେ ୟୁରାନିୟମ୍ ଅପେକ୍ଷା ୧୦୦ ଗୁଣ ଅଧିକ ରେଡିଓଆକ୍ଟିଭ୍ ଉପାଦାନ ଆବିଷ୍କାର କରିଥିଲେ। ଚାରିବର୍ଷର ନିରନ୍ତର ପରୀକ୍ଷଣ ପରେ ଉଭୟ ୧୯୦୨ ମସିହାରେ ୧/୧୦ ଗ୍ରାମ ରେଡିୟମ୍ ବାହାର କରିବାରେ ସକ୍ଷମ ହୋଇଥିଲେ। ୧୯୦୩ ମସିହାରେ ମ୍ୟାରି ଏବଂ ପି.ଆର୍. କ୍ୟୁରିଙ୍କୁ ମିଳିତ ଭାବେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୦୬ ମସିହାରେ ଏକ ସଡ଼କ ଦୁର୍ଘଟଣାରେ ପି.ଆର୍. କ୍ୟୁରିଙ୍କର ମୃତ୍ୟୁ ହୋଇଥିଲା। ସ୍ୱାମୀହରା ମ୍ୟାରି ସାହସ ଜୁଟାଇ ତାଙ୍କର ଅନୁସନ୍ଧାନ ଜାରି ରଖିଥିଲେ। ୧୯୧୧ରେ ରସାୟନ ବିଜ୍ଞାନ କ୍ଷେତ୍ରରେ ଆବିଷ୍କାର ପାଇଁ ତାଙ୍କୁ ପୁନର୍ବାର ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। କିନ୍ତୁ କ୍ରମାଗତ ରେଡିଓଆକ୍ଟିଭ୍ ଉପାଦାନ ହେତୁ ସେ ଲ୍ୟୁକେମିଆ (ରକ୍ତକର୍କଟ) ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ନୋବେଲ ଜିତିବା ପାଇଁ ଏହି ପରିବାରର ଯାତ୍ରା ସେଇଠି ଅଟକି ନ ଥିଲା।

ଗବେଷଣା କରି ବିଶ୍ୱକୁ କିଛି ନୂଆ ଉପହାର ଦେବା ପାଇଁ ମ୍ୟାରି ଓ ପି.ଆର୍. କ୍ୟୁରିଙ୍କ ଝିଅ ଆଇରେନ୍ କ୍ୟୁରିଙ୍କର ପ୍ରବଳ ଇଚ୍ଛା ଥିଲା। ମାତ୍ର ତାଙ୍କର ଆନୁଷ୍ଠାନିକ ଶିକ୍ଷା ଅଧିକ ନ ଥିଲା। ପଦାର୍ଥ ବିଜ୍ଞାନରେ ତାଙ୍କର ଥିଲା ପ୍ରବଳ ଦୁର୍ବଳତା। ନିଜ ଚେଷ୍ଟାରେ ସେ ଏହି ବିଦ୍ୟାକୁ ଆୟତ୍ତ କରିଥିଲେ। ପରେ ସେ ତାଙ୍କ ମା’ଙ୍କ ରେଡିୟମ୍ ପ୍ରତିଷ୍ଠାନରେ ଗବେଷଣା ଆରମ୍ଭ କରିଥିଲେ। ୧୯୨୬ ମସିହାରେ ଆଇରେନ୍ କ୍ୟୁରି ଫ୍ରେଡେରିକ୍ ଜୋଲିଓଟଙ୍କୁ ବିବାହ କରିଥିଲେ। ମନୁଷ୍ୟ ଦ୍ୱାରା ସୃଷ୍ଟି ହୋଇଥିବା ରେଡିଓଆକ୍ଟିଭ୍ ଉପାଦାନ ସମ୍ପର୍କରେ ଉଭୟ ସ୍ୱାମୀ-ସ୍ତ୍ରୀ ମିଳିତ ଭାବରେ ଏକ ଆବିଷ୍କାର କରିଥିଲେ। ଦୀର୍ଘଦିନ ଧରି ଗବେଷଣାଗାରରେ ବ୍ୟସ୍ତ ରହିବାରୁ ସେ ଲ୍ୟୁକେମିଆରେ ମୃତ୍ୟୁବରଣ କରିଥିଲେ। ୧୯୩୫ ମସିହାରେ ଜୋଲିଏଟ୍ କ୍ୟୁରି ଆଇରେନ୍ ଏବଂ ଫ୍ରେଡେରିକ୍ ଜୋଲିଅଟଙ୍କୁ ରସାୟନ ବିଜ୍ଞାନ ପାଇଁ ନୋବେଲ ପ୍ରଦାନ କରାଯାଇଥିଲା। ଫ୍ରେଡେରିକ୍ ଜଣେ ପ୍ୟାରିସ ବ୍ୟବସାୟୀଙ୍କ ପୁଅ ଥିଲେ। ଇସ୍ପାତ କମ୍ପାନୀରେ ଉତ୍ପାଦନ ଇଞ୍ଜିନିୟର ଭାବରେ କିଛିମାସ କାମ କରିବା ପରେ ସେ ରସାୟନ ବିଜ୍ଞାନ ଅଧ୍ୟୟନ କରିଥିଲେ। ପରେ ସେ ମ୍ୟାରୀ କ୍ୟୁରିଙ୍କ ରେଡିୟମ୍ ଇନଷ୍ଟିଚ୍ୟୁଟରେ ଅନୁସନ୍ଧାନ ସହଯୋଗୀ ଭାବରେ କାର୍ୟ୍ୟ କରିବା ଆରମ୍ଭ କରିଥିଲେ। ଏହି ସମୟରେ ସେ ମ୍ୟାରି କ୍ୟୁରିଙ୍କ ଝିଅ ଆଇରେନ୍ କ୍ୟୁରିଙ୍କୁ ବିବାହ କରିଥିଲେ।

Leave A Reply

Your email address will not be published.