ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀରେ ହୋଟେଲ ମାଲିକଙ୍କୁ ହତ୍ୟା। ବଳିଆପଣ୍ଡା ଥାନା ଅଞ୍ଚଳରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ମୃତ ହୋଟେଲ ମାଲିକ ପବିତ୍ର ନାୟକ। ପବିତ୍ର ନାୟକଙ୍କ ବଳିଆପଣ୍ଡା ଅଞ୍ଚଳରେ ମନୋରମା ନାମକ ଏକ ହୋଟେଲ ରହିଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ହତ୍ୟାକାଣ୍ଡ। ପୋଲିସ ମୃତଦେହକୁ ଜବତ୍ କରି ହସ୍ପିଟାଲରେ ଭର୍ତ୍ତି କରିଛି। ଘଟଣାକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ୍। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ଅଭିଯୁକ୍ତ ଚନ୍ଦନର ଘର ପୁରୀ ଚକ୍ରତୀର୍ଥ ରୋଡ୍ ଅଞ୍ଚଳରେ ।
ଗତକାଲି ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟାଇବା ପରେ ସେ ଫେରାର ହେବାକୁ ଚେଷ୍ଟା କରୁଥିଲା । ତେବେ ବଳିଆପଣ୍ଡା ପୁଲିସ ତାକୁ ଗୋଡ଼ାଇଥିବା ବେଳେ ମତାମଠ ନିକଟସ୍ଥ ଜଙ୍ଗଲରେ ଅଭିଯୁକ୍ତ ଏବଂ ପୁଲିସ ମଧ୍ୟରେ ସାମ୍ନାସାମ୍ନି ହୋଇଥିଲା । ସେଠାରୁ ଚନ୍ଦନ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ତାକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲା । ଚନ୍ଦନର ବାମ ଗୋଡ଼ରେ ଗୁଳି ବାଜିବା ଫଳରେ ସେ ସେ ତଳେ ପଡ଼ିଯାଇଥିଲା । ପରେ ପୁଲିସ ତାକୁ କାବୁ କରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଛି ।ମୃତ ପବିତ୍ର ନାୟକଙ୍କର ବଳିଆପଣ୍ଡା ଅଞ୍ଚଳରେ ‘ମନୋରମା’ ନାମକ ଏକ ହୋଟେଲ ରହିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ହୋଟେଲ ବ୍ୟବସାୟ ଏବଂ ବ୍ୟାବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ ପବିତ୍ରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା ।
ଏହି ହତ୍ୟାକାଣ୍ଡରେ ଚନ୍ଦନର ସିଧାସଳଖ ସଂପୃକ୍ତି ଥିବା ନେଇ ପୁଲିସ ସ୍ପଷ୍ଟ ହୋଇଥିଲା । ଅଭିଯୁକ୍ତ ଚନ୍ଦନକୁ ଏନକାଉଣ୍ଟର କରାଯାଇ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯିବା ଖବର ପାଇ ମୃତକ ପବିତ୍ରଙ୍କ ସମ୍ପର୍କୀୟ ଓ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ । ଅଭିଯୁକ୍ତକୁ ସେମାନଙ୍କ ସାମ୍ନାରେ ଦେଖି ହସ୍ପିଟାଲ ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ପୁରୀ ଏସପି ନିଜେ ଡାକ୍ତରଖାନାରେ ପହଞ୍ଚିଥିଲେ । ସେ ମୃତ ପବିତ୍ରଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ବୁଝାସୁଝା କରି ଶାନ୍ତ ପଡ଼ିବାକୁ ଅନୁରୋଧ କରିଥିଲେ । ବର୍ତ୍ତମାନ ହସ୍ପିଟାଲ ଓ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଥିବା ବେଳେ ବଳିଆପଣ୍ଡା ଥାନା ପୁଲିସ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ।
