Before Header

ମୋଦିଙ୍କ ଗସ୍ତ ପୂର୍ବରୁ ଭଦ୍ରକର ବଡ଼ ବଡ଼ ନେତା ଧରିବେ ପଦ୍ମ, ରାଜୁ କନଫର୍ମ ନରେନଙ୍କୁ ନେଇ ଚର୍ଚ୍ଚା

0 1,101

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜୁ ଜୟନ୍ତୀ ମାର୍ଚ୍ଚ ୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରୀରେ କରିବେ ରୋଡ ଶୋ’, ଚଣ୍ଡିଖୋଲରେ ଜନସମାବେଶ । ଏହା ପୂର୍ବରୁ ରାଜ୍ୟ ବିଜେପିରେ ହେବ ଏକ ବଡ଼ ଧରଣର ମିଶ୍ରଣ । ଯେଉଁଥିରେ ଭଦ୍ରକ ଜିଲ୍ଲାର କିଛି ଚର୍ଚ୍ଚିତ ରାଜନେତାଙ୍କ ନାଁ ଅଛି । ଆଉ ଏହି ଚର୍ଚ୍ଚାରେ ସବୁଠୁ ଆଗରେ ଅଛି ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ପୂର୍ବତନ ନେତା ରାଜେନ୍ଦ୍ର ଦାସଙ୍କ ନାଁ । ଯିଏ ରାଜୁ ଦାସ ନାଁରେ ଗତ ଧାନମନଗର ଉପ ନିର୍ବାଚନ ବେଳେ ଖୁବ ଚର୍ଚ୍ଚିତ ହୋଇଥିଲେ । ଯାହାଙ୍କ ବିଦ୍ରୋହ ପାଇଁ ୧୪ବର୍ଷ ଭିତରେ ପ୍ରଥମ ଥର ପାଇଁ ବିଜୁ ଜନତା ଦଳ କେଉଁ ଉପନିର୍ବାଚନରେ ହାରିଥିଲା । ଧାମନଗର ଉପନିର୍ବାଚନ ବେଳେ ଖୁବ ଚର୍ଚ୍ଚା ହୋଇଥିଲା । ଯାହା ଖବର ମିଳୁଛି ମାର୍ଚ୍ଚ ୪ରେ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ରାଜେନ୍ଦ୍ର ଦାସ । କେବଳ ରାଜେନ୍ଦ୍ର ଦାସ ନୁହେଁ ଭଦ୍ରକ ଜିଲ୍ଲାର ଆଉ ଜଣେ ପୂର୍ବତନ ବିଧାୟକଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ।

ବରିଷ୍ଠ କଂଗ୍ରେସ ନେତା ନରେନ ପଲେଇଙ୍କ ନାଁ । ତେବେ ନରେନ ପଲେଇଙ୍କୁ ନେଇ ଏଯାଏଁ ଚିତ୍ର ସ୍ପଷ୍ଟ ହୋଇପାରୁନାହିଁ । କୁହାଯାଉଛି ସେ ମଧ୍ୟ ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ରାଜୁ ଦାସ, ନରେନ ପଲେଇଙ୍କ ଭଳି ନେତା ବିଜେପିରେ ସାମିଲ ହେଲେ ବିଜୁ ଜନତା ଦଳ ଭଳି ଭାରତୀୟ ଜନତା ପାର୍ଟିରେ ମଧ୍ୟ ଭଦ୍ରକ ଜିଲ୍ଲାରେ ଟିକେଟ ଅଙ୍କ ଖୁବ ରୋଚକ ହେବାକୁ ଯାଉଛି । ଭଦ୍ରକ ଜିଲ୍ଲା ହେଉଛି ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିଜ ଜିଲ୍ଲା । ସେଠି ଏବେ ସବୁ ନିର୍ବାଚନମଣ୍ଡଳୀରେ ଅନେକ ଆଶାୟୀଙ୍କ ନାଁ ସାମ୍ନାକୁ ଆସୁଛି । ଧାମନଗରରେ ବିଧାୟକ ଅଛନ୍ତି ସୂର୍ଯ୍ୟବଂଶୀ ସୂରଜ । ରାଜୁ ଦାସ ଏବେ ଦଳକୁ ଆସୁଛନ୍ତି । ତେବେ ରାଜୁ ଦାସଙ୍କୁ କେଉଁଠୁ ଟିକେଟ ଦିଆଯିବ ତାକୁ ନେଇ ଚର୍ଚ୍ଚା ଚାଲିଛି । ଭଦ୍ରକରେ ପୂର୍ବରୁ ଡାକ୍ତର ପ୍ରଦୀପ ନାୟକ ଗତ ଥର ବିଜେପି ପ୍ରାର୍ଥୀ ହୋଇଥିଲେ । ଏବେ ସହିଦ ଭଗତସେନାର ମୁଖ୍ୟ ସିତାଂଶୁ ଶେଖର ମହାପାତ୍ର ଯୋଡ଼ି ହେବା ପରେ ତାଙ୍କ ନାଁକୁ ନେଇ ଚର୍ଚ୍ଚା ବଢୁଛି । ଆଉ ଯଦି ନରେନ ପଲେଇ ଆସନ୍ତି ପୁଣି ତାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ବଢିବ ।

ଅନ୍ୟପକ୍ଷରେ ଭଣ୍ଡାରିପୋଖରୀ ଓ ବାସୁଦେବପୁରକୁ ନେଇ ବିଜେପିରେ ଏବେ ବି ଗୋଟେ ଖାଲି ସ୍ଥାନ ଅଛି ବୋଲି କହିଲେ ଭୁଲ ହେବ ନାହିଁ । ଯଦିଓ ଭଣ୍ଡାରିପୋଖରୀରେ ଟିକେଟ ଲଢେଇ ଖୁବ ଜୋରଦାର ଅଛି । ବାସୁଦେବପୁରରେ ଦଳ ଏବେବି ଗୋଟେ ଟାଣୁଆ ପ୍ରାର୍ଥୀ ସନ୍ଧାନରେ ରହିଛି । ଏଭଳି ସ୍ଥଳରେ ମନମୋହନ ସାମଲ ଯିଏ ସାରା ରାଜ୍ୟ ବୁଲି ବୁଲି ବିଜେପି ସରକାର ଗଠନ ଦାୟିତ୍ୱ ନେଇଛନ୍ତି, ସିଏ କେଉଁଠୁ ପ୍ରାର୍ଥୀ ହେବେ ନାଁ ଏଥର ହେବେ ନାହିଁ, ସେ ନିଷ୍ପତ୍ତି ମଧ୍ୟ ଏଯାଏଁ ହୋଇପାରିନାହିଁ । ଯଦି ଶେଷ ମୁହୂର୍ତ୍ତରେ ନିଜେ ନଲଢି ସବୁ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିଷ୍ପତ୍ତି ନିଅନ୍ତି ହୁଏତ ରାଜୁ ଦାସଙ୍କୁ ଚାନ୍ଦବାଲି ଆସନ ମଧ୍ୟ ମିଳିପାରେ ବୋଲି କୁହାଯାଉଛି ।

ତାର ଆଉ ଏକ କାରଣ, ରାଜୁ ଦାସଙ୍କର ପୂର୍ବରୁ ଚାନ୍ଦବାଲିରେ ଲଢିବାର ଅଭିଜ୍ଞତା ରହିଛି । ୨୦୦୪ରେ ମେଣ୍ଟ ସରକାର ସମୟରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଚାନ୍ଦବାଲିରୁ ଲଢିଥିଲେ । ସେ ସ୍ୱାଧୀନ ପ୍ରାର୍ଥୀ ଲଢିଥିବାରୁ ସେତେବେଳେ ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀଙ୍କୁ ହାରିବାକୁ ପଡିଥିଲା । ଏହିଭଳି ଅନେକ ସମୀକରଣ ହୋଇଛି, ଯାହାର ସ୍ପଷ୍ଟ ଚିତ୍ର ଆସିବ ନିର୍ବାଚନ ପାଖେଇ ଆସିଲେ, ଟିକେଟ ଘୋଷଣା ହେଲେ । କେବଳ ଏତିକି ନୁହେଁ, କୁହାଯାଉଛି ଏବେ ତ କିଛି ନେତା ବିଜେପିରେ ସାମିଲ ହେବେ । ଆଗକୁ ଆହୁରି ଅନେକ ନେତା ସାମିଲ ହେବା ପାଇଁ ଅନେକ ବସିଛନ୍ତି । ଯେଉଁମାନେ ବିଜେଡି କିମ୍ବା କଂଗ୍ରେସରେ ଅସନ୍ତୁଷ୍ଟ ଅଛନ୍ତି ତାଙ୍କ ପାଇଁ ବିଜେପି ଠିକଣା ହେବାକୁ ଯାଉଛି ।

Leave A Reply

Your email address will not be published.