Before Header

ଆସୁଛି ‘ସମାଲୋଚନା’

0 1,502

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆସୁଛି ‘ସମାଲୋଚନା’ । ‘ବଡ଼ ଖବର’ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ସମ୍ପାଦନାରେ ଆତ୍ମପ୍ରକାଶ କରିବାକୁ ଯାଉଛି ‘ସମାଲୋଚନା’ ସାପ୍ତାହିକ । ଏ ସଂପର୍କରେ ସୂଚନା ଦେଇ ସେ କହିଛନ୍ତି, ଏହି ପତ୍ରିକାର ନାଁ ଏହାର ଉଦ୍ଦେଶ୍ୟ ଜଣାଇବାକୁ ଯଥେଷ୍ଟ । ପ୍ରଜାତନ୍ତ୍ରରେ କ୍ଷମତା ଗୋଷ୍ଠୀର ଗୁଣଗାନ କରିବା ସାମ୍ବାଦିକତା ନୁହେଁ । ସତ୍ତା ପକ୍ଷର ତ୍ରୁଟି ବିଚ୍ୟୁତିକୁ ଲୋକଲୋଚନକୁ ଆଣି ଗଠନମୂଳକ ସମାଲୋଚନା ହିଁ ପ୍ରକୃତ ସାମ୍ବାଦିକତା । ଏଥିପାଇଁ କେଉଁଠି ବିଧିବଦ୍ଧ ଲେଖା ନ ଥିଲେ ବି ଗଣମାଧ୍ୟମକୁ ଲୋକେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ସମ୍ମାନ ଦେଉଛନ୍ତି । କିନ୍ତୁ ନିଷ୍ଠୁର ସତ୍ୟ ହେଉଛି, ଏବେ ମିଡିଆ ନିଜର କର୍ତ୍ତବ୍ୟକୁ ଭୁଲି ଶାସକ ଓ ଶାସନ ବ୍ୟବସ୍ଥା ଆଗରେ ଆଣ୍ଠେଇବାରେ ବେଶୀ ଖୁସି । ସାଧାରଣ ଲୋକଙ୍କ ଆଶା, ଆକାଂକ୍ଷା ଓ ନିରପେକ୍ଷତାକୁ ଛୋଟ କରିଦିଆଯାଉଛି । ଏଭଳି ସ୍ଥିତିରୁ ବାହାରିବାକୁ ରାଜ୍ୟରେ ଖୁବ୍ କମ୍ ଦିନ ହେବ ଏକ ଟିଭି ଚ୍ୟାନେଲ ‘ବଡ଼ ଖବର’ର ଜନ୍ମ ହୋଇଛି । ଅନେକ ଘାତ ପ୍ରତିଘାତ ମଧ୍ୟରେ ‘ବଡ଼ ଖବର’ ଲୋକଙ୍କ ଚ୍ୟାନେଲ ଭାବେ ନିଜର ଭୂମିକାକୁ ନିର୍ବାହ କରୁଛି । ମହତ ଲକ୍ଷ୍ୟର ଏ ଯାତ୍ରା ଏବେ ଆରମ୍ଭ ମାତ୍ର । ତେବେ ଏହି ଯାତ୍ରାକୁ ଅଧିକ ସଶକ୍ତ କରିବାକୁ ଏଥିରେ ଯୋଡ଼ିହେବ ‘ସମାଲୋଚନା’ । ନିଆଁଖୁଣ୍ଟା ଭଳି ଜଳି ଅନ୍ୟକୁ ଆଲୋକିତ କରିବ ‘ସମାଲୋଚନା’ । ନୂଆ କନସେପ୍ଟ ସହ ଏଥିରେ କିଛି ସ୍ୱତନ୍ତ୍ର ପ୍ରୟାସ ରହିବ । ଏହା ୧୨ ପୃଷ୍ଠାର ନ୍ୟୁଜଭିତ୍ତିକ ଟାବଲଏଡ ପତ୍ରିକା । ତେବେ ବଡ଼ କଥା ହେଉଛି, ଚିରାଚରିତ ପ୍ରଥାକୁ ଚିରି ବ୍ୟଙ୍ଗାତ୍ମକ ଢଙ୍ଗରେ ନିର୍ଭିକତାର ସହ ଶାଣିତ ସମାଲୋଚନା କରାଯିବ । ଏଥିରେ ଯାହା ବିଷୟବସ୍ତୁ ରହିବ ତାହା କାର୍ଟୁନ ମାଧ୍ୟମରେ ପରିବେଷିତ ହେବ ।

ସେ କହିଛନ୍ତି, ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକାକୁ ଉଚିତ୍ ଭାବେ ପାଳନ କରିବାକୁ ଜଣେ ସାମ୍ବାଦିକ ଭାବେ ଚେଷ୍ଟା ଜାରି ରଖିଛି । ‘ବଡ଼ ଖବର’ ଲୋକଙ୍କ ଚ୍ୟାନେଲ ଭାବେ କାର୍ଯ୍ୟ କରୁଛି । ତେବେ ସମାଲୋଚନାକୁ ନେଇ କିଛି ନୂଆ ଚିନ୍ତା କରାଯାଇଛି । ଏହାର ବିଷୟବସ୍ତୁ ସମସ୍ତଙ୍କଠାରୁ ଅଲଗା ହେବ । ନୂଆ ସ୍ୱାଦର ପତ୍ରିକା ପାଇବେ ଓଡ଼ିଶାବାସୀ । କାହାରି ଭୁଲକୁ ବରଦାସ୍ତ କରାଯିବ ନାହିଁ । ସାଧାରଣ ଲୋକଙ୍କ ସହଯୋଗରେ ହିଁ ଉଭୟ ‘ବଡ଼ ଖବର’ ଓ ‘ସମାଲୋଚନା’ ଆଗକୁ ବଢିବେ । ଚତୁର୍ଥ ସ୍ତମ୍ଭର ସଚ୍ଚୋଟ ସିପାହୀ ଭାବେ ଦାୟିତ୍ୱ ନିର୍ବାହର ଉଦ୍ୟମ ଆହୁରି ବଳିଷ୍ଠ ହେବ ବୋଲି ଶ୍ରୀ ଦାସ କହିଛନ୍ତି । ସମାଲୋଚନାର ଆତ୍ମପ୍ରକାଶ ତାରିଖ ଖୁବ୍ ଶୀଘ୍ର ଘୋଷଣା ହେବ ।

Leave A Reply

Your email address will not be published.