ଶିମିଳିପାଳ କାନ୍ଦି କାନ୍ଦି କହୁଛି.. ବଂଶୀ ବନ୍ଦ କର

0

ଭୁବନେଶ୍ୱର(କିଶନ ବାରାଇ): ଆତ୍ମା କାନ୍ଦେ । ମଣିଷର ଆତ୍ମା କାନ୍ଦେ । ଜଙ୍ଗଲର କାନ୍ଦେ । ଯେମିତି ଶିମିଳିପାଳର ଆତ୍ମା କାନ୍ଦୁଛି । ନିଆଁର ଆଁରେ ଶିମିଳିପାଳ ଭୋ ଭୋ ହୋଇ କାନ୍ଦୁଛି । ତା ଦେହରେ ନିଆଁ ଲାଗିଛି । ଲକ୍ଷ ଲକ୍ଷ ଗଛଲତା ଜଳି ଜଳି ପାଉଁଶ ହେଉଛନ୍ତି । ତାହା କୋଳରେ ଆଶ୍ରା ନେଇଥିବା ପଶୁପକ୍ଷୀ ଭୟରେ ଏଣେତେଣେ ଦୌଡୁଛନ୍ତି । ସେତେବେଳେ ସେ କାନ୍ଦିବ ତ ନିଶ୍ଚୟ । ହେଲେ ସେ ଆହୁରି ବେଶୀ କାନ୍ଦୁଛି । କେମିତି ବା ନ କାନ୍ଦିବ ? ତାକୁ ବଞ୍ଚାଇବାର ଦାୟିତ୍ୱ ଯେଉଁମାନଙ୍କ ସେମାନଙ୍କ ଆଚରଣ ତାକୁ ନିରନ୍ତର କନ୍ଦାଇ ଚାଲିଛି । ସେ ଯେତେବେଳେ ଆସ୍ତେ ଆସ୍ତେ ଜଳିଲା, ଭାବିଲା ନିଆଁ ବଢିବା ଆଗରୁ ସେମାନେ ପହଞ୍ଚି ଯିବେ । ନିଆଁରେ ପାଣି ଢାଳିଦେବେ । ଲିଭାଇ ଦେବେ । ତାହାର ଅସ୍ତିତ୍ୱକୁ ବଞ୍ଚାଇଦେବେ । କାହିଁକି ନା ସେ ନିତି ଅନେକ ଜୀବନ ବଞ୍ଚାଉଛି । ଜୀବଜଗତକୁ ଅମ୍ଳଜାନ ଦେଉଛି । କେତେ ବାଟରେ, କେତେ ଉପାୟରେ ସେବା କରୁଛି । ସେ ତ ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଅମ୍ଳଜାନ ପ୍ରଦାନକାରୀ ବିସ୍ତୀର୍ଣ୍ଣ ଜଙ୍ଗଲ । ଜାତୀୟ ସ୍ତରର ମାନ୍ୟତା ମିଳିଛି ତାକୁ । ୨୭୫୦ ବର୍ଗ କିଲୋମିଟରର ବିଶାଳ ବାହୁରେ ଭୟଙ୍କର ନିଆଁ ଲାଗିଛି । ନିଶ୍ଚୟ, ତାହା ଲାଗି ଉପରୁ ତଳ ସମସ୍ତେ ଚିନ୍ତିତ ଥିବେ । ତ୍ୱରିତ ପଦକ୍ଷେପ ନିଆଯିବ । ଏ ବିଶ୍ୱାସ ଥିଲା ଶିମିଳିପାଳର । ତାହାର ଅସ୍ତିତ୍ୱ ଜଳିବା ଅର୍ଥ, ଜୀବଜଗତ ଉପରେ ଘୋର ବିପତ୍ତି ।

ହେଲେ ୟେ କ’ଣ ହେଲା? ଆଖିରେ ଆଙ୍ଗୁଠି ଗେଞ୍ଜିବା ଭଳି ଲୋକଦେଖାଣିଆ ପ୍ରୟାସ କରି ଏସି ରୁମରୁ ଟ୍ୱିଟ ଆସିଲା ନିଆଁ ନିୟନ୍ତ୍ରଣରେ । ସେ ଆଶ୍ଚର୍ଯ୍ୟ । ନିଆଁ ଜଳୁଛି । ଛାତିଥରା ଧାସରେ ବଢୁଛି । ସେ ଆଉ ସହିପାରୁନି । କୋହ ଓ କ୍ରୋଧଭରା ଆଖିରେ ତାହାର ଗୋଟିଏ ପ୍ରଶ୍ନ, ଲିଭେଇବାକୁ ଆସିଲ କେତେବେଳ ଯେ ନିୟନ୍ତ୍ରଣ ବୋଲି କହିଦେଲ? ତାହା ଦେହ ପାଉଁଶ ହେବାରେ ଲାଗିଛି, ଏଡେ ବଡ଼ ଶରୀରରୁ ପ୍ରାଣ ସରିବାରେ ଲାଗିଛି । ଆଉ ଏମାନେ କହୁଛନ୍ତି ନିଆଁ ନିୟନ୍ତ୍ରଣରେ । କେମିତି ଶିମିଳିପାଳର ଆତ୍ମା କାନ୍ଦିବ ନାହିଁ? ତାହା ପରେ ବି ତାହାର ଆଶା ମରି ନ ଥିଲା । ଯେତେବେଳେ ଶୁଣିଲା ତାହା ଜିଲ୍ଲା ମୟୂରଭଂଜରେ ନେତା, ମନ୍ତ୍ରୀଙ୍କ ଭିଡ଼ ଜମିଛି । ଏଥର ତାହାର ପୂରା ଭରସା ଥିଲା । ନିଶ୍ଚୟ ଏ ନିଆଁ ଲିଭିଯିବ । ତାହାରି ଚିନ୍ତାରେ ହିଁ ଏତେ ବଡ଼ ବଡ଼ ଲୋକ ଏକାଠି ହୋଇଥିବେ । ସଂକଟ ଟଳିବା ଥୟ ।

କିନ୍ତୁ ୟେ କ’ଣ? ବଣ ଜଳୁଛି, ଆଉ ଏମାନେ ବଣଭୋଜି କରୁଛନ୍ତି । କ୍ରିକେଟ ଚାଲିଛି । ନେତା, ମନ୍ତ୍ରୀ ନାଚ ଦେଖଛନ୍ତି । ମଉଜ ମଜଲିସ କରୁଛନ୍ତି । କେହି ଥରୁଟେ ବି ତାହା କଥା ବୁଝିଲେ ନାହିଁ କି ପଚାରିଲେ ନାହିଁ । ସେ ଆଉ କାହାକୁ ଭରସା କରିବ? ସେ କାନ୍ଦୁଛି । କମିଟିର ରିପୋର୍ଟ ଭେଳିକିରେ ମରୁଛି । ଜୋର୍ ଜୋର୍ । ଦିନ ରାତି । ଜଳିପୋଡ଼ି ପାଉଁଶ ହେଉଛି ।

ଶିମିଳିପାଳର କାନ୍ଦ ଦେଖି ଆମକୁ ସେହି ସମ୍ରାଟଙ୍କ କଥା ମନେପଡୁ଼ଛି । ସମ୍ରାଟ ନେରୋ । ଇତିହାସର ବେଶ୍ ପ୍ରସିଦ୍ଧ ନାଁ । ୟେ ସେହି ସମ୍ରାଟ ଯିଏ ବୈଭବଶାଳୀ ରୋମ୍ ନଗରୀର ରାଜା ଭାବେ ଖ୍ୟାତ । ତାଙ୍କର ଖ୍ୟାତି ରୋମ ତିଆରିରେ ନୁହେଁ । ଆଉ କିଛିରେ । ବଂଶୀ ବଜାଇବାରେ । ୟେ ସେତେବେଳେ ବଂଶୀ ବଜାଉଥିଲେ ଯେତେବେଳେ ରୋମ୍ ନଗରୀ ଜଳୁଥିଲା । ଜଳି ପାଉଁଶ ହେଉଥିଲା । ଠିକ୍ ସେମିତି ଜଳୁଥିଲା ଯେମିତି ଏବେ ଶିମିଳିପାଳ ଜଳୁଛି । ଅଧା ମାସରୁ ଅଧିକ ହେବ ଜଳୁଛି । ଖାଲି ଶିମିଳପାଳ ନୁହେଁ, ସାଥୀରେ ରାଜ୍ୟର ୩୦୦ରୁ ଅଧିକ ଜଙ୍ଗଲ ଜଳୁଛି । ସେତେବେଳେ ଆମ ନେତାଙ୍କ ମଜଲିସ ଆମ କାନକୁ ସେହି ବଂଶୀର ସ୍ୱର ଭଳି ଶୁଭୁଛି । ଶିମିଳିପାଳକୁ ବି ଠିକ୍ ଏମିତି ଶୁଭୁଥିବ । ଆଉ ସେ କହୁଥିବ, କିଛି କରି ନପାରୁଛ ଯଦି ନିକ୍କମା ଭଳି ବଂଶୀ ବଜାଇବା ବନ୍ଦ କର ।

 

Leave a Reply

Your email address will not be published. Required fields are marked *