ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶର ଶିକ୍ଷା ବ୍ୟବସ୍ଥାକୁ ନେଇ ମନ ଭିତରେ ଆନ୍ଦୋଳନ କ୍ରୋଧକୁ ନେଇ ଦିଲ୍ଲୀ ଜନ୍ତରମନ୍ତରରେ ୨୧ ଦିନ ଧରି ଅନଶନରେ ବସିଥିଲେ ସମାଜସେବୀ ସୋନମ୍ ୱାଙ୍ଗଚୁକ୍ । ଯାହ ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରେ ଲାଗିଥିଲା । ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ମାନ୍ୟବର ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଆଧାରରେ ସୋନମ୍ ୱାଙ୍ଗଚୁକଙ୍କୁ ଉଠାଇ ନେଇଛି ପୋଲିସ । ୱାଙ୍ଗଚୁକଙ୍କୁ ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛି ଦିଲ୍ଲୀ ପୋଲିସ । ନିଟ୍ ପ୍ରଶ୍ନପତ୍ର ଲିିକ୍ ନେଇ ଜୁନ୍ ୨୮ରୁ ଧାରଣା ଦେଇ ଆସୁଛି ସିଜେପି । ଏହି ଅନଶନର ମୁଖ୍ୟ ଉଦେଶ୍ୟ ରହିଛି ଦେଶର କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ।
ଆଉ ସିଜେପିର ଏହି ପ୍ରତିବାଦ ସଭାରେ ୱାଙ୍ଗଚୁକ୍ ସାମିଲ ହୋଇ ଅନଶନ କରିବା ଦ୍ୱାରା ତାଙ୍କର ୧୯ କିଲୋଗ୍ରାମ ଓଜନ ହ୍ରାସ ହୋଇଥିବା ଜଣାପଡିଛି । ଅନଶନ ସମୟରେ ସେ କିଛି ଖାଉ ନ ଥିଲେ । ଯାହାଫଳରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ସହ କଥା କହିବାରେ ସମସ୍ୟା ଉପୁଜିଥିଲା । ଦେଶର ବିଭିନ୍ନ ରାଜନେତାଙ୍କ ସହ ବିଭିନ୍ନ ବର୍ଗର ଲୋକ ତାଙ୍କୁ ଭେଟି ଆନ୍ଦୋଳନକୁ ସର୍ମଥନ ଜଣାଇଥିଲେ । ଏଭଳି ସ୍ଥିତିରେ ସୋନମ୍ ତାଙ୍କ ଜିଦ୍ ରେ ରହିଥିଲେ । ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସଂସଦ ଚାଲୋ ଆନ୍ଦୋଳନକୁ କିପରି ସଫଳ କରାଯିବ ସେଥି ପାଇଁ ସେ ଆହ୍ୱାନ ମଧ୍ୟ ଦେଇଥିଲେ । ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଡାକ୍ତରୀ ଦଳ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଆସୁଥିଲେ । ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଡାକ୍ତରଙ୍କ ପରାମର୍ଶ କ୍ରମେ ପୋଲିସ ତାଙ୍କୁ ଧାରଣା ସ୍ଥଳରୁ ଉଠାଇ ନେଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।
