ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ତରଳୁଛି ଗ୍ଲାସିଅର, ଫୁଲୁଛି ସମୁଦ୍ର । ଦୁର୍ବଳ ହେଉଛି ପୂର୍ବ ଆଣ୍ଟାର୍କଟିକାର କବଚ । ତରଳୁଛି ସର୍ବବୃହତ ବରଫ ଚାଦର । ୧୭୦ ଫୁଟ ବଢିଯିବ ସମୁଦ୍ର ଜଳସ୍ତର । ଡୁବିଯିବେ ଅନେକ ତଟୀୟ ଦେଶ । ଜଳବାୟୁ ପରିବର୍ତ୍ତନର ଭୟଙ୍କର ପରିଣାମ ଦେଖିବ ବିଶ୍ୱ । ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ସ୍ତର ବୃଦ୍ଧି ବିଶାଳକାୟ ହିମବାହ ଆଣ୍ଟାର୍କଟିକାର ଗ୍ଲାସିଅର ଉପରେ ପଡ଼ୁଛି । ପରିଣାମ ସ୍ୱରୂପ ‘ସ୍ଲିପିଂ ଜାଏଣ୍ଟ’ ବୋଲାଉଥିବା ପୂର୍ବ ଆଣ୍ଟାର୍କଟିକ୍‌ ବରଫ ଚାଦର ବା ଆଇସ୍‌ ସିଟ୍‌ ଦ୍ରୁତ ଗତିରେ ତରଳିବାରେ ଲାଗିଛି । ଏହା ଭବିଷ୍ୟତରେ ବଡ଼ ଧରଣର ପ୍ରଳୟ ଆଣିବ ବୋଲି ବୈଜ୍ଞାନିକମାନେ ଚେତାବନି ଦେଇଛନ୍ତି । ଯଦି ଅଙ୍ଗାରକାମ୍ଳ ସ୍ତର ବୃଦ୍ଧିରେ ବ୍ରେକ୍‌ ନ ଲାଗେ ତେବେ ଏହି ଇଷ୍ଟ ଆଣ୍ଟାର୍କଟିକ୍‌ ଆଇସ୍‌ ସିଟ୍‌ ସମ୍ପୂର୍ଣ୍ଣ ତରଳିଯିବ ।

ଆଣ୍ଟାର୍କଟିକାର ବିଶାଳ ଗ୍ଲାସିଅରକୁ ରୋକି ଜୀବଜଗତ ପାଇଁ ସୁରକ୍ଷା କବଚ ସାଜିଥିବା ‘ଆଇସ୍‌ ସେଲ୍‌ଫ୍‌’ ବା ବରଫ ଖଣ୍ଡ ଏବେ ବିପଦମୁଖୀ । ଜଳବାୟୁ ପରିବର୍ତ୍ତନରୁ ତାପମାତ୍ରା ବୃଦ୍ଧି ଯୋଗୁ ଏହା ତରଳୁଛି । ଦ୍ରୁତ ଗତିରେ ଦୁର୍ବଳ ହୋଇଚାଲିଛି । ଏତେ ଦୁର୍ବଳ ହେଉଛି ଯେ ଏହା ଗ୍ଲାସିଅରକୁ ଆଉ ସୁରକ୍ଷା ଦେଇପାରିବ ନାହିଁ । ଫଳରେ ଗ୍ଲାସିଅର ତରଳି ସମୁଦ୍ରକୁ ମାଡ଼ିଆସିବ । ବରଫ ତରଳି ସମୁଦ୍ରରେ ମିଶିବା ଦ୍ୱାରା ସମୁଦ୍ର ଜଳସ୍ତର ୫୨ ମିଟର (୧୭୦ ଫୁଟ) ଫୁଲିଉଠିବ । ଏହାଯୋଗୁ ତଟବର୍ତ୍ତୀ ଦେଶଗୁଡ଼ିକ ଉପରେ ସାଙ୍ଘାତିକ ପ୍ରଭାବ ପଡ଼ିବ । ବାଂଲାଦେଶ, ଶ୍ରୀଲଙ୍କା ଭଳି ଛୋଟ ଦ୍ୱୀପ ରାଷ୍ଟ୍ର ନିଶ୍ଚିହ୍ନ ହୋଇଯିବ । ସମୁଦ୍ର ତଟରେ ଗଢ଼ିଉଠିଥିବା ବଡ଼ ବଡ଼ ସହର ଓ ଜନବସତିର ଜଳସମାଧି ଘଟିବ ।

ଏକ ଉପଗ୍ରହ ଗବେଷଣାରୁ ଏହା ଜଣାପଡ଼ିଛି । ଗବେଷଣାରେ ଭାଗନେଇଥିବା ଅଷ୍ଟ୍ରେଲିଆସ୍ଥିତ ଭିକ୍ଟୋରିଆ ୟୁନିଭର୍ସିଟିର ଆଣ୍ଟାର୍କଟିକ୍‌ ରିସର୍ଚ୍ଚ ସେଣ୍ଟର ନିର୍ଦ୍ଦେଶକ ଟିମ୍‌ ନାଏସ୍‌ କହିଛନ୍ତି, ଅଙ୍ଗାରକାମ୍ଳ ସ୍ତର ୬୦୦ ପିପିପି (ପାର୍ଟ୍‌ସ ପର୍‌ ମିଲିୟନ) ଟପିଗଲେ ଏହି ଆଇସ୍‌ ସେଲ୍‌ଫ ବା ବରଫ ଚାଦର ତରଳିବାକୁ ରୋକିବା ସମ୍ଭବ ହେବନାହିଁ । ଯଦି ଆଣ୍ଟାର୍କଟିକ୍‌ ଆଇସ୍‌ ସିଟ୍‌ ସମ୍ପୂର୍ଣ୍ଣ ତରଳିଯାଏ ତେବେ ବୈଶ୍ୱିକ ସମୁଦ୍ର ସ୍ତର ପ୍ରାୟ ୫୨ ମିଟର ବଢ଼ିଯିବ । ପ୍ରାୟ ୫୨ ମିଟର ସମୁଦ୍ର ପତ୍ତନ ବୃଦ୍ଧି କରିବାର ଦକ୍ଷତା ଥିବା ଇଷ୍ଟ୍‌ ଆଣ୍ଟାର୍କଟିକ୍‌ ଆଇସ୍‌ ସିଟ୍‌ ସ୍ଥିର ଥିବା ଏବଂ ଏଥିରୁ ବିପଦ ଆଶଙ୍କା ନ ଥିବା ବୈଜ୍ଞାନିକମାନେ ଭାବେ ଭାବୁଥିଲେ । ପୃଥିବୀର ଏହା ସବୁଠୁ ଥଣ୍ଡା ସ୍ଥାନ ଏବଂ ବିଶ୍ୱତାପନକୁ ସହ୍ୟ କରିବାର କ୍ଷମତା ଏହା ନିକଟରେ ଅଛି ବୋଲି କୁହାଯାଉଥିଲା । ଏପରିକି ୨୦୧୨ରେ ପୂର୍ବ ଆଣ୍ଟାର୍କଟିକାରେ ବରଫ ଚାଦର ମାତ୍ରା ବଢ଼ିଥିଲା । କିନ୍ତୁ ସାମ୍ପ୍ରତିକ ସ୍ଥିତିରେ ପୂର୍ବ ଆଣ୍ଟାର୍କଟିକା ବରଫ ଚାଦର ତରଳିବା ଆରମ୍ଭ ହୋଇଛି, ଯାହା ଚିନ୍ତାର ବିଷୟ । ଗବେଷଣା ଅନୁସାରେ ପଶ୍ଚିମ ଆଣ୍ଟାର୍କଟିକ୍‌ ଆଇସ୍‌ ସିଟ୍‌ ତରଳିଲେ ୧୦ରୁ ୧୩ ଫୁଟ୍‌ ସମୁଦ୍ର ପତ୍ତନ ବୃଦ୍ଧି ପାଇପାରେ । କିନ୍ତୁ ପୂର୍ବ ଆଣ୍ଟାର୍କଟିକ୍‌ ସିଟ୍‌ ୧୭୦ ଫୁଟ୍‌ରୁ ବି ଅଧିକ ସମୁଦ୍ର ପତ୍ତନ ବଢ଼ାଇବାର କ୍ଷମତା ରଖିଛି । ପୂର୍ବ ଆଣ୍ଟାର୍କଟିକାରେ ପ୍ରଥମ ଥର ପାଇଁ ଏହି ଆଇସ୍‌ ସେଲ୍‌ଫର ବିଲୋପ ଘଟିବା ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *