Before Header

ସାମ୍ବାଦିକତା ଦୁନିଆ ପାଇଁ ଅପୂରଣୀୟ କ୍ଷତି

0 178

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅଫେରା ବାଟରେ ଯୁବ ସାମ୍ବାଦିକ ଅରିନ୍ଦମ ଦାସ । ବୋଟ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୯ ବର୍ଷ ହୋଇଥିଲା । ସମ୍ବାଦିକତା ଦୁନିଆଁର ଏହା ଅପୂରଣୀୟ କ୍ଷତି । ଦୁଃସାହସୀ ସାମ୍ବାଦିକତା ପାଇଁ ସାରା ରାଜ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବରିଷ୍ଠ ସାମ୍ବାଦିକ ତଥାଗତ ଶତପଥୀ, ବିଜେଡି ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ତେବେ କାର୍ଯ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ ବିଷୟରେ ମୁଁ ଜାଣି ଦୁଃଖିତ ।

ଓଡ଼ିଶାର ସମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି । ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି । ସେହିପରି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ହାତୀ ଉଦ୍ଧାର ଘଟଣାର ରିପୋର୍ଟ କରିବା ସମୟରେ ଓଡ୍ରାଫ ବୋଟ ଦୁର୍ଘଟଣାରେ ଓଟିଭିର ଚିଫ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ସାବଧାନତା ସତ୍ତେ୍ୱ ତାଙ୍କ ଜୀବନ ଚାଲିଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଅରିନ୍ଦମଙ୍କ ମୃତ୍ୟୁରେ ଦୈନିକ ଖବର କାଗଜ ‘ଧରିତ୍ରୀ’ର ସଂପାଦକ ତଥାଗତ ଶତପଥୀ ଦୁଃଖ ପ୍ରକାଶ କରିଛନ୍ତି ।

ଏହି ଖବର କାଗଜରୁ ଅରିନ୍ଦମ ତାଙ୍କ ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କ ଛଡା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଟ୍ୱିଟ କରିଥିବାର ଦେଖିବାକୁ ମିଳିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଲେଖିଛନ୍ତି, ଓଟିଭିର ଯୁବ ସାମ୍ବାଦିକ ତଥା ମୋର ବନ୍ଧୁ ଅରିନ୍ଦମ ଦାସଙ୍କ ଏକ ଅଭାବନୀୟ ଘଟଣାରେ ଅକାଳ ବିୟୋଗ ଖବର ଶୁଣି ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ । ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଅରିନ୍ଦମଙ୍କ ସହ ବହୁ ଥର ଦେଖା ସାକ୍ଷାତ ହୋଇଛି । ବିଭିନ୍ନ ସମୟରେ ଦୁଃସାହାସିକ ରିପୋର୍ଟିଂ କରି ସେ ଓଡ଼ିଆ ଗଣମାଧ୍ୟମରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଥିଲେ । ତାଙ୍କର ଅକାଳ ବିୟୋଗରେ ଓଡିଶା ଗଣମାଧ୍ୟମ ଜଗତର ଅପୂରଣୀୟ ଶୂନ୍ୟସ୍ଥାନ ତିଆରି କରିଛି ।

ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ ବୋଲି ଶ୍ରୀ ପ୍ରଧାନ ଲେଖିଛନ୍ତି । ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଟ୍ୱିଟ କରି ଦୁଃଖ ପ୍ରକାଶ କରିବା ସହିତ ସାମ୍ବାଦିକତା ଜଗତରେ ସେ ସର୍ବଦା ଏକ ପ୍ରେରଣା ହୋଇ ରହିବେ ବୋଲି ଲେଖିଛନ୍ତି । ସେହିପରି ପ୍ରମେୟ ଗ୍ରୁପର ଏଡିଟର ଗୋପାଳ ମହାପାତ୍ର ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କର ସ୍ପଷ୍ଟ ରିପୋର୍ଟିଂ ବହୁତ ଭଲ ବୋଲି କହିଛନ୍ତି ।

 

 

Leave A Reply

Your email address will not be published.