Before Header

ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି, ‘ଭାରତ ଯୋଡ଼ ନ୍ୟାୟ ଯାତ୍ରା’ରେ ହେବେ ସାମିଲ

0 1,342

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ପ୍ରଥମେ ସୁନ୍ଦରଗଡ଼ ବୀରମିତ୍ରପୁରରେ ପହଞ୍ଚିବେ ରାହୁଲ । ୬ ଓ ୭ ତାରିଖ ଦୁଇ ଦିନ ସୁନ୍ଦରଗଡ଼ ଜିଲ୍ଲାରେ ରହିବା କାର୍ଯ୍ୟକ୍ରମ ରହିଛି । ଏହି ଯାତ୍ରା ଝାଡ଼ଖଣ୍ଡ ଅତିକ୍ରମ କରି ମଙ୍ଗଳବାର ଅପରାହ୍ନ ୨ଟା ୩୦ରେ ଝାଡ଼ଖଣ୍ଡ-ଓଡ଼ିଶା ସୀମାରେ ପହଞ୍ଚିବ । ଓଡ଼ିଶା-ଝାଡ଼ଖଣ୍ଡ ସୀମା ବାସଜୋଲଠାରୁ ୪୨ କି.ମି. ଦୂର ଅତିକ୍ରମ କରି ଓଡ଼ିଶାର ବୀରମିତ୍ରପୁରଠାରେ ମଙ୍ଗଳବାର ପହଞ୍ଚିବେ। ସେଠାରେ ପିସିସି ଓ ଜିଲା କଂଗ୍ରେସ କମିଟି କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବ। ସେଠାରୁ ୧୧ କି.ମି. ଯାତ୍ରା କରି ରାହୁଲ ରାମପାଲର ବିଜାବାହାଲଠାରେ ରାତ୍ରଯାପନ କରିବେ।

ବୁଧବାର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ୮ଟା ୪୫ରେ ଆରମ୍ଭ ହେବ। ସକାଳ ୯ଟା ୩୦ରେ ରାଉରକେଲାର ଉଦିତ୍‌ନଗର (ଏସ୍‌ପି ଅଫିସ) ଠାରୁ ଯାତ୍ରା ଆରମ୍ଭ ହୋଇ ସାଢ଼େ ୩ କି.ମି. ଦୂର ପାନପୋଷ ଛକଠାରେ ସକାଳ ୧୦ଟାରେ ରାହୁଲ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ଏହାପରେ ୨୫ କି.ମି. ଦୂର ରାଣୀବନ୍ଧ ନିକଟ ବିର୍ସା ମୁଣ୍ଡା ପଡ଼ିଆଠାରେ ପହଞ୍ଚି ମଧ୍ୟାହ୍ନଭୋଜନ କରିବେ। ଅପରାହ୍ନ ୨ଟାରେ ରାଣୀବନ୍ଧଠାରୁ ପୁଣି ଯାତ୍ରା ଆରମ୍ଭ ହେବ। ସେଠାରୁ ୧୪ କି.ମି. ଦୂର କୁତ୍ରାଠାରେ ରାହୁଲ ଉଦ୍‌ବୋଧନ ଦେବେ। ସେଠାରୁ ୩୨ କି.ମି. ଦୂର ବାରଗାଁ ଠାରେ ମଧ୍ୟ ସେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପରେ  ୬୦ କି.ମି. ଦୂର ସୁନ୍ଦରଗଡ଼ ବସଷ୍ଟାଣ୍ଡ ଛକରେ ଅପରାହ୍ନ ୪ଟା ୩୦ରେ ପଦଯାତ୍ରା ପହଞ୍ଚିବ।

ଷ୍ଟାଡିୟମ ଛକ ଓ ସୁନ୍ଦରଗଡ଼ ଏସ୍‌ବିଆଇ ଛକ ହୋଇ ପଦଯାତ୍ରା ଚାଲିବ। ପରେ ଝାରସୁଗୁଡ଼ା ଆମଲିପାଲିଠାରେ ରାହୁଲ ରାତ୍ର ରହଣି କରିବେ। ଗୁରୁବାର ସକାଳ ୮ଟାରୁ ଝାରସୁଗୁଡ଼ାର ମହାତ୍ମା ଗାନ୍ଧୀ ଛକ ପୁରୁଣା ବସ୍‌ଷ୍ଟାଣ୍ଡଠାରୁ ଯାତ୍ରା ଆରମ୍ଭ ହେବ। ଝାରସୁଗୁଡ଼ା ଟାଉନ ବେହେରାମାଳ କିଷାନ ଛକ ହୋଇ ମଧ୍ୟାହ୍ନ ୧୨ଟାରେ ୪୫ କି.ମି. ଦୂର ଗୋବିନ୍ଦପୁର ନିକଟ ମଧୁବନ ଢାବା ନିକଟରେ ଯାତ୍ରା ପହଞ୍ଚିବ। ସେଠାରୁ ୭ କି.ମି. ଦୂର କୁରେଇମାଳଠାରେ ରାହୁଲ ମଧ୍ୟାହ୍ନଭୋଜନ କରିବେ। ପୁଣି ଅପରାହ୍ନ ୨ଟାରେ ପଦଯାତ୍ରା ଆରମ୍ଭ ହୋଇ ୧୮କି.ମି. ଦୂର ଝାରସୁଗୁଡ଼ାର କନକତୋରାଠାରେ ପହଞ୍ଚିବ।

ଅପରାହ୍ନ ୩ଟା ୪୫ରେ ଓଡ଼ିଶା-ଛତିଶଗଡ଼ ସୀମା ରେଙ୍ଗାଲପାଲି, ରାଇଘରଠାରେ ଯାତ୍ରା ପହଞ୍ଚିବା ପରେ ଛତିଶଗଡ଼ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ପତାକା ହସ୍ତାନ୍ତର କରାଯିବ । ଏହାର ପ୍ରଭାବ ସାରା ରାଜ୍ୟରେ ପଡ଼ିବ ବୋଲି କଂଗ୍ରେସ ଆଶା ରଖିଛି । ସେପଟେ ରାହୁଲଙ୍କ ଗସ୍ତକୁ ନେଇ ପୂରା ଚଳଚଞ୍ଚଳ ରାଜ୍ୟ କଂଗ୍ରେସ । ରାହୁଲଙ୍କ ଗସ୍ତକୁ ନେଇ ରାଜ୍ୟର ସମସ୍ତ ବରିଷ୍ଠ ନେତା ଏବେ ରାଉରକେଲାରେ ଡେରା ପକାଇଛନ୍ତି । ଅନ୍ୟପଟେ ଗତ ଜାନୁଆରୀ ୧୪ରେ ମଣିପୁରର ଥୋବୁଲ ଜିଲ୍ଲା ଖୋନଗଜୋମରୁ ଆରମ୍ଭ ହୋଇଥିବା ଯାତ୍ରା ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ । ୬୬ ଦିନ ଯାତ୍ରା ଚାଲିବ । ୧୫ ରାଜ୍ୟର ୧୧୦ ଜିଲ୍ଲା, ୧୦୦ ଲୋକସଭା ଓ ୩୩୭ ବିଧାନ ସଭା କ୍ଷେତ୍ର ଦେଇ ପ୍ରାୟ ୬ ହଜାର ୭୦୦ କିଲୋମିଟର ଅତିକ୍ରମ କରିବ ।

Leave A Reply

Your email address will not be published.