Before Header

ରାଜାଙ୍କ ମୃତ୍ୟୁ ପଛରେ ଏହିମାନେ

0 3,375

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସ୍ମାର୍ଟ ସିଟି ଭୁବନେଶ୍ୱର । ଓଡ଼ିଶାର ରାଜଧାନୀ । ରାଜ୍ୟ ବିକାଶର ମଡେଲ୍ । ହେଲେ ଏହି ସହରରେ ୧୫ ବର୍ଷର ପିଲା ଡ୍ରେନ୍ ପାଣିରେ ଭାସିଯାଏ । ୧୮ ଘଣ୍ଟା ପରେ ଶବ ହୋଇ ଫେରେ । ଏହାଠାରୁ ଅଭାବନୀୟ, ହୃଦୟ ବିଦାରକ, ଲଜ୍ଜାଜନକ ଘଟଣା କ’ଣ ହୋଇପାରେ । ଏତେବଡ଼ ଭୟାନକ ଘଟଣା, କିନ୍ତୁ ଦୁର୍ଭାଗ୍ୟ ଦେଖନ୍ତୁ, ସରକାରଙ୍କ ନଜରରେ ଏହା କେବଳ ଏକ ଅଘଟଣ । ଜଣେ ନେତା, ଯିଏ ଏବେ ବିଧାୟକ, ୧୦ ବର୍ଷର ମେୟର, ତାଙ୍କ ନଜରରେ ଏଥିପାଇଁ ଦାୟୀ ଦୈବୀ ଦୁର୍ବିପାକ । ବାସ୍ତବରେ ଏଭଳି ସମ୍ବେଦନଶୀଳ ଘଟଣାକୁ ବିକାଶର ଭିଡ଼ ଭିତରେ କେବଳ ଏକ ଅଘଟଣ ବୋଲି ଭାବି ଭୁଲିଯିବା କି? ଉଜୁଡିଯାଇଥିବା କୋଳ, ବାପା-ମା’ଙ୍କ କାନ୍ଦବୋବାଳି, ରାଜା ପାଇଁ ଲୁହ କ’ଣ ଆମକୁ ବିଚଳିତ କରୁନାହିଁ କି? ବିଧିବ୍ୟବସ୍ଥାରେ ଏହାର ଉତ୍ତରଦାୟିତ୍ୱ କଣ କେହି ବି ନେବା ଉଚିତ୍ ନୁହେଁ? କୁହାଯାଏ, ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ନାଗରିକଙ୍କ ଧନ-ଜୀବନର ସୁରକ୍ଷା ସରକାରଙ୍କ ଦାୟିତ୍ୱ । କିନ୍ତୁ ସବୁଥର ଏମିତି ଘଟିବ, ଆଉ ଆମେ କେବଳ କେଇ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରି ଆମର ସାମ୍ବିଧାନିକ ଦାୟିତ୍ୱ ଠିକ୍ ନିର୍ବାହ କରିଦେଲେ କି? ଆମ ଉତ୍ତର ତାହା, ଯାହା ଆପଣ ଭାବୁଛନ୍ତି । ଏଥିପାଇଁ ଯେଉଁମାନେ ଦାୟୀ ସେ ସମସ୍ତେ ଏକ୍ସପୋଜ୍ ହେବା ଦରକାର । ଦଣ୍ଡ ପାଇବା ଦରକାର । ସେମାନଙ୍କ ଭିତରେ ଡର ପଶିବା ଦରକାର । କିଏ ଦାୟୀ ହୋଇପାରନ୍ତି? ସେହିମାନେ, ଯେଉଁମାନେ ବ୍ୟବସ୍ଥାରେ ଅଛନ୍ତି । ସାମ୍ବିଧାନିକ ପଦ ପଦବୀରେ ବସିଛନ୍ତି ।

ଦାୟୀ ନମ୍ବର ୧-  ଅନନ୍ତ ନାରାୟଣ ଜେନା
ଏବେ ଭୁବନେଶ୍ୱର ମଧ୍ୟର ବିଧାୟକ । କିନ୍ତୁ ୧୦ ବର୍ଷର ମେୟର । ଭୁବନେଶ୍ୱରର ସବୁ ଭଲର ଶ୍ରେୟ ହଡପ କରି ବିଧାନସଭାରେ ପହଞ୍ଚିଗଲେଣି । ତାହେଲେ ଭୁବନେଶ୍ୱର ଛାତି ଉପରେ ଘଟିଥିବା ଏହି ଛାତିଥରା ଅଘଟଣ ପାଇଁ ସେ କାହିଁକି ଦାୟୀ ହେବେ ନାହିଁ ? କାହିଁକି ତାଙ୍କୁ ଉତ୍ତରଦାୟୀ କରାଯିବ ନାହିଁ? ୨୦୧୫ରେ ଯେତେବେଳେ ନୟାପଲ୍ଲୀରେ ମା’ ହାତରୁ ଛୁଆ ନଳାପାଣିରେ ଭାସିଗଲା, ସାରା ରାଜ୍ୟ ଉଠିଲା ପଡିଲା, ସେତେବେଳେ ମେୟର ଏହି ଅନନ୍ତ ଜେନା ହିଁ ଥିଲେ । ସେତେବେଳେ ମିଡିଆରେ କହିଲେ, ଭୁବନେଶ୍ୱରରେ ଆଉ ମୁକୁଳା ଡ୍ରେନ୍ ରହିବନି । ସବୁଠି ସ୍ଲାବ୍ ପଡିଯିବ । ହେଲେ ହୋଇଛି କ’ଣ । ଖାଲି ୨୦୧୫ ନୁହେଁ, ଏହା ପରେ ବି ବାର୍ ବାର୍ ମୁକୁଳା ଡ୍ରେନ୍ ମୃତ୍ୟୁ ସାଜିଛି । କିନ୍ତୁ ସବୁଠି ସ୍ଲାବ୍ ପଡିପାରିନି । ଏ ମିଛ ଘୋଷଣା, ଏ ଅପାରଗତା ପାଇଁ କାହିଁକି ଆଜି ଅନନ୍ତ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବନି?

ଦାୟୀ ନମ୍ବର ୨- ଅଶୋକ ଚନ୍ଦ୍ର ପଣ୍ଡା 

ସ୍ଥାନୀୟ ବିଧାୟକ । ରାଜ୍ୟ ସରକାରରେ ମନ୍ତ୍ରୀ । ଲଗାତାର ଜିତୁଛନ୍ତି ଏକାମ୍ର ଆସନରୁ । କିନ୍ତୁ କାମ ଶୂନ୍ । ଦକ୍ଷତା ଜିରୋ । ଯେଉଁ ସହରରେ ୧୫ ବର୍ଷର ପିଲା ମୁକୁଳା ଡ୍ରେନରେ ଭାସି ଜୀବନ ହାରିଦିଏ, ସେଠାକାର ବିଧାୟକ ଆମ ନଜରରେ ସବୁଠୁ ବଡ ଦାୟୀ । ତାଙ୍କ ପାଇଁ କାହାର ଜୀବନ କେବଳ ସଂଖ୍ୟା ମାତ୍ର, କେଇ ଲକ୍ଷ ଟଙ୍କା, ଆଗକୁ କ’ଣ ହେବ ଗପ ଶୁଣାଇ, ନିଜ ଦାୟିତ୍ୱକୁ ସେ ଖସାଇପାରିବେ ନାହିଁ ।

ଦାୟୀ ନମ୍ବର ୩- ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର ଏମପି । ମାଡାମ୍ ଆଇଏଏସ ଚାକିରି ଛାଡି ରାଜନୀତିକୁ ଆସିଲେ । ଏପରିକି ଦିନେ ସେ ଭୁବନେଶ୍ୱର କମିସନର ବି ଥିଲେ । ନିର୍ବାଚନ ପ୍ରଚାରରେ କହିଲେ, ଜିତିଲେ ଭୁବନେଶ୍ୱର ଅମୁକ ସ୍ତରର କରିଦେବେ, ସମୁକ ସ୍ତରରେ ପହଞ୍ଚାଇ ଦେବେ । ଜିତିବାର ୨ ବର୍ଷ ଉପରେ ହେଲାଣି । ମାଡାମ୍ ପ୍ରତିବର୍ଷ ତାଙ୍କର ରିପୋର୍ଟ କାର୍ଡ ବି ଦିଅନ୍ତି । ନିଜେ ବନାଇଥିବା ରିପୋର୍ଟକୁ ଦେଖେଇ ମିଡିଆ ଆଗରେ ନିଜର ଦକ୍ଷତା ଦେଖାନ୍ତି । କିନ୍ତୁ ତାଙ୍କ ଦକ୍ଷତାର ଅସଲ ସତ ଦେଖେଇ ଦେଇଛି ରାଜା । ତାଙ୍କ ରିପୋର୍ଟ କାର୍ଡର ଧଜ୍ଜିଆ ଉଡାଇଛି ରାଜା । ଜଣେ ଜନପ୍ରତିନିଧି ଭାବେ ଅପରାଜିତା ଷଡଙ୍ଗୀ ମଧ୍ୟ ରାଜା ମୃତ୍ୟୁ ପାଇଁ ଦାୟୀ ।

ଦାୟୀ ନମ୍ବର ୪- ପ୍ରତାପ ଜେନା

ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ସହରୀ ବିକାଶ ବିଭାଗର ସେ ମନ୍ତ୍ରୀ । ସହରର ଭଲମନ୍ଦ ପାଇଁ ସେ ଉତ୍ତରଦାୟୀ । ଆଜି ଯେତେବେଳେ ରାଜ୍ୟର ପ୍ରାଇମ ସହରରେ ଏଭଳି ଅଭାବନୀୟ ଘଟଣା ଘଟିଛିି ସେଥିପାଇଁ ସେ ବିଭାଗର ମନ୍ତ୍ରୀ କ’ଣ ଦାୟୀ ହେବେ ନାହିଁ? ଏହି ପ୍ରଶ୍ନ ପଚାରିବାକୁ ଚାହୁଁଛି ବଡ଼ ଖବର।

ଦାୟୀ ନମ୍ବର ୫- ଜି. ମାଥିଭାଥନନ 

ହତ୍ୟାକାରୀ ତାଲିକାରେ ନଗର ଉନ୍ନୟନ ବିଭାଗର ସଚିବ କାହିଁକି ଆସିବେନି । ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ, ନଗର ଉନ୍ନୟନ ବିଭାଗରେ ଯିଏ ସଚିବ ଅଛନ୍ତି, ଜି ମାଥିଭାଥନନ ୬ ବର୍ଷ ହେଲା ଏହି ଦାୟିତ୍ୱରେ ରହିଲେଣି । କି ଅଠା ଏହି ଏଠି ଲାଗିଛି, ମାଥିଭାଥନନ ଏଠୁ ଯାଉନାହାନ୍ତି । ଏତେ ବର୍ଷ ହେଲା ଅଛନ୍ତି ମାଥି ଭାଥନନ, ହେଲେ ରାଜ୍ୟର ଅନେକ ସହରାଞ୍ଚଳର ବନ୍ୟା ସମସ୍ୟାର ସମାଧନ କରିପାରୁନାହାନ୍ତି । ଏନେଇ ଯେତେବେଳେ ବିଧାନସଭା ପ୍ରଶ୍ନ ହେଉଛି ଯେ କାହିଁ ଜଣେ ସବିବ ଦୀର୍ଘଦିନ ଧରି ଗୋଟିଏ ବିଭାଗର ଦାୟିତ୍ୱରେ ଅଛନ୍ତି ସେତେବେଳେ ସରକାର ଉତ୍ତର ରଖୁଛନ୍ତି, ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ରଖାଯାଇଛି । ଆମେ ଜାଣିପାରୁନାହୁଁ ଲୋକଙ୍କ କେଉଁ ହିତ ହେଉଊଛି ଗଲା ୬ ବର୍ଷ ହେବ । ଲଗାତର ଭାବେ ରାଜଧାନୀରେ ଜଣଙ୍କ ପରେ ଜଣଙ୍କର ଡ୍ରେନରେ ଭାସି ଜୀବନ ଯାଉଥିବା ବେଳେ ସଚିବ କ’ଣ କରୁଛନ୍ତି । ତାଙ୍କରି ସମୟରେ ହିଁ ଭୁବନଶ୍ୱରରେ, ସ୍ମାର୍ଟ ସିଟି ନମ୍ବର ଏକରେ, ଗତ ୬ ବର୍ଷରେ ୫ ଜଣ ଡ୍ରେନରେ ଭାସି ପ୍ରାଣ ହରାଇଛନ୍ତି । ଏହି ସଚିବଙ୍କୁ ଆମେ କାହିଁକି ଦାୟୀ କରିବା ନାହିଁ ।

ଦାୟୀ ନମ୍ବର ୬- ବିଏମସି ଓ ଏହାର କମିସନର ସଂଜୟ ସିଂ

ଆମ ନଜରରେ ସବୁଠୁ ବଡ଼ ଉତ୍ତରଦାୟୀ ସଂଜୟ ସିଂ । କାରଣ ଏବେ ପୌରାଞ୍ଚଳରେ ଜନପ୍ରତିନିଧି ନାହାନ୍ତି । ସରକାର ନିର୍ବାଚନ କରାଉ ନାହାନ୍ତି । ଗଣତାନ୍ତ୍ରିକ ରାଷ୍ଟ୍ରରେ ବିନା ଜନପ୍ରତିନିଧିରେ ୨ ବର୍ଷ ହେବ ରାଜ୍ୟର ସବୁ ସହରକୁ ବ୍ୟୁରୋକ୍ରାଟ୍ସମାନେ ବାବୁଙ୍କ ହାତରେ ଟେକିଦେଇଛନ୍ତି ସରକାର । ଅଫିସରମାନେ ସହରର ଭାଗ୍ୟବିଧାତା । ସେଥିପାଇଁ ତ ଅନେକ ଥର କେହି ନେତାଙ୍କୁ ସାଙ୍ଗରେ ନ ନେଇ ଆମ ଅଫିସରମାନେ ବଡ ବଡ ନକ୍ସା ଧରି ଭଲ ପୋଜରେ ଫଟୋ ଉଠେଇ ବିକାଶର ସ୍ୱପ୍ନ ଦେଖାନ୍ତି । କ୍ରେଡିଟ୍ ବି ନିଅନ୍ତି । ସବୁ ନିଷ୍ପତ୍ତି ଏହିମାନେ ହିଁ ନେଉଛନ୍ତି । ତାହେଲେ ଏମାନେ କାହିଁକି ଦାୟୀ ହେବେନି ? କୌଣସି ଛୋଟିଆ ଫଳକ ଉନ୍ମୋଚନ ହେଲେ ବି ଟୁଇଟ୍ କରି, ପ୍ରେସରିଲିଜ ଦେଇ ମିଡିଆରେ କ୍ରେଡିଟ୍ ନିଅନ୍ତି ଏହି ଅଫିସରମାନେ । ଏବେ କାହିଁ ଟୁଇଟ୍? କୁଆଡେ ଗଲେ ସଂଜୟ ସିଂ ? ରାଜାର ମୃତ୍ୟୁ ପାଇଁ ବିଏମସି ଓ ସଂଜୟ ସିଂଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବନି । ସ୍ମାର୍ଟ ସିଟି ନାଁରେ, ରାଜଧାନୀର ବିକାଶ ନାଁରେ ଆସୁଥିବା ହଜାର ହଜାର କୋଟି ଟଙ୍କା କୁଆଡେ ଯାଉଛି । ଏଠି ଘରେ ପାଣି ପଶୁଛି, ଘରୁ ବାହାରିଲେ ମୁକୁଳା ଡ୍ରେନରେ ମୃତ୍ୟୁ ମିଳୁଛି । ଏହା ହିଁ ବିଏମସିର ବାହାଦୁରୀ କି ପ୍ରଶ୍ନ ପଚାରୁଛି ବଡ଼ ଖବର ।

ଦାୟୀ ନମ୍ବର ୭- ରାଜ୍ୟର ମୁଖିଆ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ପ୍ରମୁଖ ଭାବେ ଦାୟୀ । ରାଜ୍ୟର ରାଜଧାନୀରେ ଗତ ୬ ବର୍ଷରେ ୫ ଜଣ ଡ୍ରେନରେ ଭାସି ପ୍ରାଣ ହରାଇଲେଣି । ମୁଖ୍ୟମନ୍ତ୍ରୀ ବୋଧହୁଏ ଭୁଲି ଯାଇଥିବେ, ୨୦୧୫ମସିହାରୁ ବର୍ତ୍ତମାନ ସୁଦ୍ଧା ଡ୍ରେନରେ ଭାସି ୫ ଜଣଙ୍କ ଜୀବନ ଗଲାଣି । ୨୦୧୫ରେ ନୟାପଲ୍ଲୀ ଆଞ୍ଚଳରେ ମୁନା ବିଶ୍ୱାଳଙ୍କ ପୁଅ ଟୁକୁନାର ମୃତ୍ୟୁ ହୋଇଥିଲା । ମାଆ ସହ ସ୍କୁଲରୁ ଫେରିବା ବେଳେ ଡ୍ରେନରେ ଭାସି ସେତେବେଳେ ତାଙ୍କର ଜୀବନ ଯାଇଥିଲା । ମାଆର ଆଖି ଆଗରେ ହିଁ ତା ପିଲାଟି ଭାସି ଯାଇଥିଲା । ଅତ୍ୟନ୍ତ ହୃଦୟବିଦାରକ ଦୃଶ୍ୟ ସେ । ଏହାର ଦୁଇ ବର୍ଷ ପରେ ୨୦୧୭ରେ ଲଗାଣ ବର୍ଷା ଯୋଗୁ ୟୁନିଟ-୬ ଅଞ୍ଚଳରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଠିକ୍ ବର୍ଷେ ପରେ ୨୦୧୮ରେ ମଧ୍ୟ ଜଣେ ଶିଶ ଓ ବୃଦ୍ଧା ଡ୍ରେନର ଭାସି ପ୍ରାଣ ହରାଇଥିଲେ । ମୁକୁଳାଥିବା ଡ୍ରେନ ଯୋଗୁ ୨୦୧୯ରେ ନୟାପଲ୍ଲୀ ଥାନା ଅଧିନସ୍ଥ ସାଲିଆସାହି ଏକାମ୍ର ଭିଲ୍ଲା ଛକରେ ବି ଅଘଟଣ ଘଟିଥିଲା । ଏଥିର ବି ଜଣେ ବୃଦ୍ଧଙ୍କ ଜୀବନ ଯାଇଥିଲା । ଆଉ ଏବେ ୧୫ ବର୍ଷୀୟ ଜ୍ୟୋତିପ୍ରକାଶ ଡ୍ରେନର ଭାସି ଜୀବନ ହରାଇଛନ୍ତି । ୬ ବର୍ଷରେ ଗଲାଣି ପାଞ୍ଚ ପାଞ୍ଚଟି ମୂଲ୍ୟବାନ ଜୀବନ । ଆମ ମୁଖ୍ୟମନ୍ତ୍ରୀ କହନ୍ତି ସାଢେ ୪ କୋଟି ଲୋକ ହେଉଛନ୍ତି ତାଙ୍କ ପରିବାର । କଣ ରାଜା ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କା ଘୋଷଣା କରିଦେଇ ଚୁପ ବସିବା ଠିକ ହେଇଛି ? ଆପଣ କାହିଁକି ଚୁପ ଅଛନ୍ତି । ଆପଣଙ୍କ ସ୍ମାର୍ଟ ସିଟି ନମ୍ବର ୱାନରେ ଏକଥା ଘଟିଛି, ତଥାପି ଆପଣ ଚୁପ ଅଛନ୍ତି । କିଛି ଆକ୍ସନ ନାହିଁ । ଶେଷରେ ଆମେ ସେଇଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିବାକୁ ଚାହୁଁଛୁ । ଆପଣମାନେ ବିଚାର କରନ୍ତୁ, ରାଜା ମୃତ୍ୟୁ ପଛରେ କିଏ ଦାୟୀ?

Leave A Reply

Your email address will not be published.