Before Header

ନେତାଜୀ କାହାର

0 51

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନେତାଜୀ କାହାର ? ଓଡିଶାର, ପଶ୍ଚିମବଙ୍ଗର ନା ଦେଶର । ନେତାଜୀଙ୍କର ୧୨୫ ତମ ଜନ୍ମ ଜୟନ୍ତୀ ବର୍ଷ ଆସୁଛି । ଆସନ୍ତା ୨୩ରେ ଏହାକୁ ପାଳନ କରିବା ପାଇଁ କେନ୍ଦ୍ର ସରକାର ଗଠନ କରିଛନ୍ତି ଜାତୀୟ କମିଟି । ତେବେ ଯେଉଁ କମିଟି ଗଠନ କରାଯାଇଛି, ସେଥିରେ ଖୋଦ ନେତାଜୀଙ୍କ ଜନ୍ମ ଓ କର୍ମଭୂମିକୁ ଅଣଦେଖା କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି ।

ସୁଭାଷ ଚନ୍ଦ୍ର ବୋଷ । ଓଡ଼ିଶାର ନେତାଜୀ, ଭାରତର ଗର୍ବ । ଯାହାଙ୍କ ଗର୍ଜନ, ପରାକ୍ରମ ସାରା ବିଶ୍ୱରେ ଚର୍ଚ୍ଚିତ ଥିଲା । ଦେଶ ସ୍ୱାଧୀନତା ପାଇଁ ସେ ଗଠନ କରିଥିବା ଆଜାଦ ହିନ୍ଦ୍ ଫୌଜ ଥରାଇ ଦେଇଥିଲା ବ୍ରିିଟିଶ ସାମ୍ରାଜ୍ୟକୁ । ସେଇ ନେତାଜୀଙ୍କର ୧୨୫ ତମ ଜୟନ୍ତୀ ବର୍ଷ ଆସୁଛି । ଏହାକୁ ପାଳନ କରିବା ପାଇଁ କେନ୍ଦ୍ର ସରକାର ଗଠନ କରିଛନ୍ତି ଜାତୀୟ କମିଟି । ଭଲ କଥା । ତେବେ ଯେଉଁ କମିଟି ଗଠନ କରାଯାଇଛି, ସେଥିରେ ଖୋଦ ନେତାଜୀଙ୍କ ଜନ୍ମ ଓ କର୍ମଭୂମିକୁ ଅଣଦେଖା କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ୮୫ ଜଣିଆ ଜାତୀୟ କମିଟିରେ ଓଡ଼ିଶାର ମାତ୍ର ତିନିଜଣଙ୍କୁ ସ୍ଥାନ ଦିଆଯାଇଥିବା ବେଳେ ପଶ୍ଚିମବଙ୍ଗର ୨୩ ନେତାଙ୍କୁ ସ୍ଥାନ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କଟକ ସାଂସଦ ଭର୍ତ୍ତୃହରି ମହାତାବଙ୍କ ନାଁ କମିଟିରେ ସ୍ଥାନ ପାଇଛି । କମିଟିରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ.ମିଶ୍ରଙ୍କୁ ମଧ୍ୟ ନିଆଯାଇଛି । ତେବେ ଜାତୀୟ କମିଟି ଯଦି ନଜର ଦିଆଯାଏ, ସେଥିରେ ପଶ୍ଚିମବଙ୍ଗକୁ ଅଧିକ ପ୍ରାଧାନ୍ୟ ଦିଅଯାଇଛି । ପଶ୍ଚିମବଙ୍ଗ ନିର୍ବାଚନକୁ ଆଖିଆଗରେ ରଖି କେନ୍ଦ୍ରରେ ଥିବା ବିଜେପି ସରକାର ଏଭଳି ଏକ ରାଜନୈତିକ ଗୋଟି ଚାଳନା କରିଥିବା କଂଗ୍ରେସ ଅଭିଯୋଗ କରିଛି । ପଶ୍ଚିମବଙ୍ଗବାସୀ ସବୁ ସମୟରେ ସୁଭାଷ ବୋଷ ତାଙ୍କର ବୋଲି ଦାବି କରନ୍ତି । କେନ୍ଦ୍ର ଏଭଳି ଏକ କମିଟି ଗଠନ କରି ନେତାଜୀ ଓଡ଼ିଶାର ନୁହନ୍ତି ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ କରିଛି କଂଗ୍ରେସ ।

ସେପଟେ କମିଟିକୁ ନେଇ କଂଗ୍ରେସ ୮ ଟି ପ୍ରଶ୍ନ ଉଠାଇଛି । କମିଟିରେ ମଣିପୁର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନ ଦିଅଯାଇଛି । ଅଥଚ ଓଡ଼ିଶାର ରାଜ୍ୟପାଳଙ୍କ ସ୍ଥାନ ନାହିଁ । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ କମିଟିରେ ରଖାଯାଇଛି । ଅଥଚ ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଓ ଗିରିଧାରୀ ଗମାଙ୍ଗଙ୍କୁ କାହିଁକି ସ୍ଥାନ ଦିଆଗଲା ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି । କମିଟିରେ ୧୬ ଜଣ ସାଂସଦଙ୍କ ମଧ୍ୟରୁ ୧୧ ଜଣ ପଶ୍ଚିମବଙ୍ଗର । ଅଥଚ ରାଜ୍ୟର ମାତ୍ର ଜଣଙ୍କୁ ଏହି କମିଟିରେ ରଖାଯାଇଛି । ଏ ସବୁ ଦିଗରୁ ସ୍ପଷ୍ଟ ଯେ, କେନ୍ଦ୍ର ସରକର ପଶ୍ଚିମବଙ୍ଗ ନିର୍ବାଚନକୁ ଦେଖି ନେତାଜୀଙ୍କ ନାଁରେ ଗୋଟି ଚାଳନା କରିଛି । ସେପଟେ ବିଜେପି ଏହାର ଜବାବ ରଖିଛି । ଦଳମତ ନିର୍ବିଶେଷରେ ଏହାକୁ ସ୍ୱାଗତ କରିବା ଦରକାର । ପ୍ରଧାନମନ୍ତ୍ରୀ ନେତାଜୀଙ୍କ ଭଳି ମହାନାୟକଙ୍କୁ ସମ୍ମାନିତ କରିବାକୁ ଚାହୁଁଛନ୍ତି ।

Leave A Reply

Your email address will not be published.