ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇତିହାସ ରଚିଲା ଇସ୍ରୋ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ୩୬ଟି ଉପଗ୍ରହ ନେଇ ଭାରତର ସର୍ବବୃହତ ଏଲଭି-ଏମ୍-୩ ରକେଟ ଉତକ୍ଷେପଣ କରିଛି। ଆଜି ସକାଳ ୯ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଏହି ରକେଟ୍ ଉତକ୍ଷେପଣ କରାଯାଇଛି । ପୃଥିବୀର ନିମ୍ନ କକ୍ଷପଥରେ ୭୨ଟି ଉପଗ୍ରହ ଉତକ୍ଷେପଣ ପାଇଁ ବ୍ରିଟେନର ନେଟୱର୍କ ଆକ୍ସେସ୍ ଆସୋସିଏଟ୍ସ ଲିମିଟେଡ୍ (ୱାନ୍ୱେବ୍ ଗ୍ରୁପ୍ କମ୍ପାନି) ଇସ୍ରୋର ବାଣିଜ୍ୟିକ ୟୁନିଟ୍ ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ ସହ ଚୁକ୍ତି ସ୍ୱାକ୍ଷର କରିଛି।
ଏଲଭି-ଏମ୍-୩ ହେଉଛି ଇସ୍ରୋର ଭାରୀ ଲିଫ୍ଟ ରକେଟ। ଓ୍ବାନଓ୍ବେବ ଭାରତର ଟେଲିକମ ପ୍ରମୁଖ ଭାରତୀ ଗ୍ରୁପ ଦ୍ୱାରା ସମର୍ଥିତ ଏବଂ ଉପଗ୍ରହଗୁଡିକର ସଫଳ ଉତକ୍ଷେପଣ ସହିତ କମ୍ପାନୀ ଏହାର ଜେନେରାଲ ୧ ଗ୍ରୁପକୁ ବିଶ୍ୱସ୍ତରରେ ପରିଚିତି କରାଇ ପାରିଛି। ଓ୍ବାନଓ୍ବେବର ବର୍ତ୍ତମାନ କକ୍ଷପଥରେ ୫୮୨ ଉପଗ୍ରହ ଅଛି। ଏବେ ଏହି ସଂଖ୍ୟା ୬୧୮ରେ ପହଞ୍ଚିଛି। କମ୍ପାନୀ କହିଛି ଯେ ୱାନୱେବ ଭାରତ ସମେତ ବିଶ୍ୱସ୍ତରୀୟ କଭରେଜ ଯୋଗାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି।