ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ହେଉଛି କ୍ରିକେଟ ବିଶ୍ବକପ ମହାସମର। ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ଆଜିଠାରୁ ଆରମ୍ଭ ହେବ । ଭାରତର ୧୦ ସହରରେ ଚାଲିବ କ୍ରିକେଟ ମହାକୁମ୍ଭ । ପରସ୍ପରକୁ ଟକ୍କର ଦେବେ ୧୦ ଶକ୍ତିଶାଳୀ ଟିମ୍ । ଦେଢମାସରୁ ଅଧିକ ସମୟ ଧରି ଲାଗିରହିବ ରୋମାଂଚ । ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ଥାନ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଏବଂ ନେଦରଲାଣ୍ଡସ । ଏଥର ଭାରତ ଏକାକି ବିଶ୍ୱକପର ଆୟୋଜନ କରୁଥିଲେ ମଧ୍ୟ ଉଦଘାଟନୀ ଉତ୍ସବ ପାଳନ ହେବନାହିଁ । ଉଦଘାଟନୀ ଉତ୍ସବ ପାଳନ ହେଉନଥିବା ବେଳେ ଆନୁଷ୍ଠାନିକ ଭାବେ ସଚିନ ତେନ୍ଦୁଲକର ବିଶ୍ୱକପ ଟ୍ରଫିର ଉଦଘାଟନ କରିବେ । ମ୍ୟାଚ୍ ପୂର୍ବରୁ ବିଶ୍ୱକପ୍ ଟ୍ରଫି ସହ ପଡ଼ିଆକୁ ଯାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ଆଇସିସିର ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ ହୋଇଥିବା ସଚିନ୍ ତେନ୍ଦୁଲକର ।

ଅଂଶଗ୍ରହଣ କରୁଥିବା ୧୦ ଦେଶ ମଧ୍ୟରୁ ୫ ଦେଶ ଏସିଆ ମହାଦେଶର । ଭାରତର ୪ ପଡୋଶୀ ଦେଶ ଏହି କ୍ରିକେଟ ମହାକୁମ୍ଭରେ ସାମିଲ ହୋଇଛନ୍ତି । ସବୁ ଦଳ ଫାଇନାଲ ୧୫ ଜଣିଆ ସ୍ବ୍କାଡ୍ ଘୋଷଣା କରିସାରିଛନ୍ତି । ଆଜି ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଓପନିଂ ମ୍ୟାଚ । ଉଦଘାଟନୀ ମ୍ୟାଚରେ ପରସ୍ପରକୁ ଭେଟିବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ୧ ଲକ୍ଷରୁ ଅଧିକ ଦର୍ଶକ ଏହି ମ୍ୟାଚ୍ ଦେଖିପାରିବେ। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ ହେଇଛି ଆଉ ଏକ ଭେନ୍ୟୁ । କୋଲକାତା, ଧର୍ମଶାଳା, ଲକ୍ଷ୍ନୌ,ମୁମ୍ବାଇ, ପୁଣେ, ଚେନ୍ନାଇ, ବେଙ୍ଗାଳୁରୁ ଏବଂ ହାଇଦ୍ରାବାଦରେ ଖେଳାଯିବ ବିଶ୍ବକପର ଅନ୍ୟ ସମସ୍ତ ମ୍ୟାଚ ।ଭାରତ ତାର ପ୍ରଥମ ମ୍ୟାଚ ଖେଳିବ ଅକ୍ଟୋବର ୮ ତାରିଖରେ ।

ବିଶ୍ବକପର ଅନ୍ୟ ପ୍ରମୁଖ ଦାବିଦାର ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ୧୪ ଅକ୍ଟୋବର ଶନିବାର ଦିନ ଖେଳାଯିବ ସବୁଠାରୁ ରୋମାଂଚକର ମ୍ୟାଚ୍ । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନ ସହ ଲଢ଼ିବ ଭାରତୀୟ କ୍ରିକେଟ ଟିମ । ୧୫ ନଭେମ୍ବରରେ ପ୍ରଥମ ସେମିଫାଇନାଲ ହେବ କୋଲକାତାର ଇଡେନ ଗାର୍ଡନ ଷ୍ଟାଡିୟମରେ । ୧୬ ନଭେମ୍ବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦ୍ବିତୀୟ ସେମି ଖେଳାଯିବ । ୧୯ ନଭେମ୍ବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ଫାଇନାଲ ମୁକାବିଲା । ବିଶ୍ବକପର ପ୍ରମୁଖ ଦାବିଦାର ମଧ୍ୟରେ ସବୁଠାରୁ ଆଗରେ ରହିଛି ଭାରତ ।

Leave a Reply

Your email address will not be published. Required fields are marked *