https://youtu.be/GcjCxfXf8sY
ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ‘ଗୋ’ ମୂତ୍ର ମନ୍ତବ୍ୟକୁ ନେଇ ସଂସଦରେ କ୍ଷମା ପ୍ରାର୍ଥନା କଲେ ଡିଏମକେ ନେତା ସେନ୍ଥିଲ କୁମାର । ହିନ୍ଦୀ ଭାଷାଭାଷୀ ରାଜ୍ୟମାନଙ୍କ ପାଇଁ ‘ଗୋ ମୂତ୍ର ସ୍ଥିତି’ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ସେନ୍ଥିଲ କୁମାର ବୁଧବାର ଲୋକସଭାରେ ଦଃଖ ପ୍ରକାଶ କରିଛନ୍ତି । କଥା କହୁ କହୁ ଏହି ଲାଇନରେ କହିଦେଇଥିଲି ବୋଲି ସେ କହିଛନ୍ତି । ଯଦି ଏଥିରେ କେହି କଷ୍ଟ ପାଇଛନ୍ତି ତେବେ ମୁଁ ବକ୍ତବ୍ୟ ପ୍ରତ୍ୟାହାର କରିନେଉଛି । ବୁଧବାର ଲୋକସଭାରେ ଏହି ପ୍ରସଙ୍ଗ ପାଇଁ ପ୍ରାୟ ୧୮ ମିନିଟ ଗୃହ ସ୍ଥଗିତ ରଖାଯାଇଥିଲା ।
ଦୁଇ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଓ ପ୍ରହଲ୍ଲାଦ ଯୋଶୀ ଲୋକସଭାରେ ଡିଏମକେ ନେତା ପିଆର ବାଲୁଙ୍କ ପାଖରୁ ସେନ୍ଥିଲ କୁମାରଙ୍କ ବିବାଦୀୟ ବକ୍ତବ୍ୟ ପାଇଁ କ୍ଷମା ମାଗିବାକୁ ଦାବି କରିଥିଲେ । ଯେତେବେଳେ ଯେତେବେଳେ ବାଲୁ ତାଙ୍କ ସପ୍ଲିମେଣ୍ଟାରୀ ପ୍ରଶ୍ନ ପଚାରିବାକୁ ଠିଆ ହେଲେ ସେତେବେଳେ ଦୁଇ କେନ୍ଦ୍ରମନ୍ତ୍ରୀ ଉଠିପଡି ବାଲୁଙ୍କୁ ପ୍ରଥମେ ସେନ୍ଥିଲଙ୍କ ବୟାନ ପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ । କିପରି ଜଣେ ସାଂସଦ ବିବାଦୀୟ ବକ୍ତବ୍ୟ ଗୃହରେ ଦେଇ ଖସିଯାଇପାରିବେ ବୋଲି ପଚାରିଥିଲେ ।ଏଥିପାଇଁ କିଛି ସମୟ ଗୃହରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଏହାପରେ ପିଆର ବାଲୁ ସେନ୍ଥିଲ କୁମାରଙ୍କ ପକ୍ଷରୁ ଉତ୍ତର ଓ ଦକ୍ଷିଣଭାରତ ବକ୍ତବ୍ୟ ସଠିକ ନଥିଲା କହିଥିଲେ । ଆମ ଦଳର ମୁଖ୍ୟ ଏମେ ଷ୍ଟାଲିନ ତାଙ୍କୁ ଏଥିପାଇଁ ସତର୍କ କରାଇସାରିଛନ୍ତି ବୋଲି ଲୋକସଭାରେ କହିଥିଲେ ପିଆର ବାଲୁ ।