ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମଙ୍ଗଳବାର ଲ୍ୟାଣ୍ଡଫଲ କରିବ ବାତ୍ୟା ମୋନ୍ଥା । ହେଲେ ଆଗାମୀ ୩ ଘଣ୍ଟା ଭିତରେ ୧୮ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅନୁଗୁଳ, ବାଲେଶ୍ବର, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, କୋରାପୁଟ, ନୟାଗଡ଼, ମୟୂରଭଞ୍ଜ ଏବଂ ରାୟଗଡ଼ାରେ ନିର୍ଦ୍ଧୁମ ଛେଚିବ । ଏନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଭଦ୍ରକ , ବାଲେଶ୍ୱର , କେନ୍ଦୁଝରକୁ ଚେତାବନୀ ସହ ମୟୁରଭଞ୍ଜ , ଗଞ୍ଜାମ , ପୁରୀ , ଜଗତସିଂହପୁର , କେନ୍ଦ୍ରାପଡ଼ାକୁ ବିଜୁଳି , ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ବହିବା ନେଇ କହିଛି ପାଣିପାଗ ବିଭାଗ ।
ସମୟକ୍ରମେ ବଢୁଛି ବାତ୍ୟାର ବେଗ । ଏବେ ଘଣ୍ଟାପ୍ରତି ୧୮ କିମି ବେଗରେ ଆଗକୁ ବଢୁଛି । କାକିନାଡ଼ାରୁ ୬୦୦ କିମି ଓ ଗୋପାଳପୁରରୁ ୭୫୦ କିମି ଦୂରରେ ରହିଛି । ୨୪ ଘଣ୍ଟାରେ ଭୀଷଣ ବାତ୍ୟାରେ ପରିଣତ ହୋଇ କାକିନାଡ଼ା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ । ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ଓ ଝଟକା ପବନର ବେଗ ୧୧୦ କିଲୋମିଟର ଯାଏ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ସୂଚନା ।
ମୋନ୍ଥା ପ୍ରଭାବରେ ରାଜ୍ଯର ଅନେକ ସ୍ଥାନରେ ଲାଗି ରହିଛି ବର୍ଷା । ଏହା ପ୍ରଭାବରେ ଦୁଇଟି ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ହେବାରୁ ଗେଟ ଖୋଲି ଦିଆଯାଇଛି । ବାଘଲଟି ଡ୍ଯାମର 3ଟି ଗେଟ ଖୋଲିଥିବା ବେଳେ ଡହଲଟି ଜଳଭଣ୍ଡାରରେ ମଧ୍ୟ ଗେଟ ଖୋଲାଯାଇଛି। ଦକ୍ଷିଣ ଓଡିଶାର 8 ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି ତେବେ ଓଡିଶା ମଧ୍ୟକୁ ବାତ୍ଯା ଆସିବା ବେଳେ ହୁଏତ ଏହା ଦୁର୍ବଳ ହୋଇଯାଇ ପାରେ ବୋଲି କୁହାଯାଉଛି । ଅନ୍ୟପଟେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି।
ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ନବରଙ୍ଗପୁର, କନ୍ଧମାଳ,କଳାହାଣ୍ଡି ଜିଲ୍ଲାକୁ ରେଡ ଆଲର୍ଟ ମିଳିଛି । ଏଣୁ ଲୋକଙ୍କ ସୁରକ୍ଷା ପାଇଁ ସେଠାରେ ଟିମ ମୁତୟନ କରାଯାଇଛି । 128ଟି ଉଦ୍ଧାରକାରୀ ଦଳ ସେହି ଜିଲ୍ଲାଗୁଡିକରେ ଉପସ୍ଥିତ ରହିଛନ୍ତି । ଏହାସହ 24 ଓଡ୍ରାଫ, 5 NDRF ଓ 99 ଫାୟାର ଟିମ ସେଠାରେ ଉପସ୍ଥିତ ରହିଛନ୍ତି । ତେବେ ବାତ୍ଯା ନେଇ କେହି ଚିନ୍ତିତ ହୁଅନ୍ତୁ ନାହିଁ ମାତ୍ର ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦିଆଯାଇଛି ।
