ସୁପ୍ରିମକୋର୍ଟଙ୍କ ବଡ ଶୁଣାଣି, ପଞ୍ଚମ କିମ୍ବା ଷଷ୍ଠ ଶ୍ରେଣୀରୁ ତୃତୀୟ ଭାଷା ଆରମ୍ଭ କରି ନବମ ଶ୍ରେଣୀ ପୂର୍ବରୁ ଶେଷ କରିବାକୁ ପରାମର୍ଶ
ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାରଙ୍କୁ ନବମ ଶ୍ରେଣୀରୁ ତୃତୀୟ ଭାଷା ପ୍ରଚଳନ ନ କରିବାକୁ ପରାମର୍ଶ ଦେଇଛନ୍ତି । ଏପରି କରିବା ଦ୍ୱାରା ଛାତ୍ରଛାତ୍ରୀଙ୍କ ଉପରେ ଅନାବଶ୍ୟକ ଶିକ୍ଷାଗତ ଚାପ ସୃଷ୍ଟି ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । କୋର୍ଟଙ୍କ ଅନୁସାରେ, ଯଦି ତୃତୀୟ ଭାଷା ପଢାଇବା ଆବଶ୍ୟକ ହୁଏ, ତେବେ ଏହାକୁ ପଞ୍ଚମ କିମ୍ବା ଷଷ୍ଠ ଶ୍ରେଣୀରୁ ଆରମ୍ଭ କରାଯିବା ଉଚିତ୍ ଏବଂ ନବମ ଶ୍ରେଣୀ ପୂର୍ବରୁ ଏହାକୁ ସମାପ୍ତ କରାଯିବା ଉଚିତ୍ ।
ଜଷ୍ଟିସ୍ ବି.ଭି ନାଗରତ୍ନ ଓ ଜଷ୍ଟିସ୍ ଆର୍.ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ତାମିଲନାଡୁ ସରକାରଙ୍କ ଆବେଦନର ଶୁଣାଣି ବେଳେ ଏହି ମତ ପ୍ରକାଶ କରିଥିଲେ । ଖଣ୍ଡପୀଠ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଜବାହାର ନବୋଦୟ ବିଦ୍ୟାଳୟ(ଜେଏନଭି ) ପ୍ରତିଷ୍ଠା କରିବା ପାଇଁ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ତାମିଲନାଡୁ ସରକାରଙ୍କ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି କରିବା ସମୟରେ ଏହି ରାୟ ଦେଇଥିଲେ । ବିଦ୍ୟାଳୟ ଗୁଡିକରେ ଗ୍ରହଣ କରାଯାଇଥିବା ତିନି ଭାଷା ନୀତି ସମ୍ପର୍କରେ ଚିନ୍ତା ପ୍ରକଟ କରି ତାମିଲନାଡୁ ସରକାର ରାଜ୍ୟରେ ଜେଏନଭି ପ୍ରତିଷ୍ଠାକୁ ନିରନ୍ତର ବିରୋଧ କରିଆସୁଛନ୍ତି । ମଙ୍ଗଳବାର ଦିନ ସୁପ୍ରିମ୍ କୋର୍ଟ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ର ତିନି ଭାଷା ନୀତି ଉପରେ ସ୍ଥଗିତା ଦେଶ ଦେବାକୁ ମନା କରିଦେଇଥିଲେ ।
କୋର୍ଟ କହିଛନ୍ତି ଯେ, ଭାଷା ଶିଖିବା କେବେବି ଅପଚୟ ନୁହେଁ । ନୂତନ ନୀତି ଅନୁଯାୟୀ, ଛାତ୍ରଛାତ୍ରୀଙ୍କୁ ଦୁଇଟି ଭାରତୀୟ ଭାଷା ଓ ଗୋଟିଏ ବିଦେଶୀ ଭାଷା ପଢିବାକୁ ପଡିବ । ଫଳସ୍ୱରୁପ, ସେମାନଙ୍କୁ ପଞ୍ଚମ ଶ୍ରେଣୀରୁ ପଢୁଥିବା ଭାଷାଗୁଡିକୁ ପରିତ୍ୟାଗ କରିବାକୁ ଆବେଦନକାରୀମାନେ ଯୁକ୍ତି ଦେଇଥିଲେ ଯେ, ସିବିଏସ୍ଇ ଉପଯୁକ୍ତ ପ୍ରସ୍ତୁତି ବିନା ତିନି ନୀତି କାର୍ଯ୍ୟକାରୀ କରିଛି । ବିଦ୍ୟାଳୟ ଗୁଡିକରେ ପଯ୍ୟାପ୍ତ ଶିକ୍ଷକ, ପୁସ୍ତକ ଓ ଆବଶ୍ୟକୀୟ ଶୈକ୍ଷିକ ଭିତ୍ତିଭୂମିର ଅଭାବ ରହିଛି, ଯାହା ଛାତ୍ର ଓ ଶିକ୍ଷକ ଉଭୟଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି ।
