ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଢିଲା ବାତ୍ୟା ଛନକା । ଆଣ୍ଡାମାନ ସାଗରରେ ସୃଷ୍ଟିହେଲା ଲଘୁଚାପ । ଉତ୍ତର ଆଣ୍ଡାମାନ ସାଗର ଓ ତାର ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ରର ରୂପ ନେଇଛି ଘୂର୍ଣ୍ଣିବଳୟ । ଗତକାଲି ସନ୍ଧ୍ୟାରେ ଲଘୁଚାପ ସୃଷ୍ଟି ହୋଇଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।
୨୧ ତାରିଖ ବେଳକୁ ଏହା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ୨୨ ତାରିଖ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ଗଭୀର ଅବପାତରେ ପରିଣତ ହୋଇପାରେ । ସମ୍ଭାବ୍ୟ ଗଭୀର ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୩ ତାରିଖ ସକାଳବେଳକୁ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ପାଖକୁ ଆସିପାରେ । ଏଭଳି ପୂର୍ବାନୁମାନ ଦେଖାଇଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍ଡି) ।
ଏହା ପ୍ରଭାବରେ ରାଜ୍ୟରେ ୨୨ ତାରିଖରୁ ବର୍ଷା ରହିପାରେ। ୨୩ରୁ ୨୫ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଦକ୍ଷିଣ ଓ ଉପକୂଳରେ ଅଧିକ ବର୍ଷା ସମ୍ଭାବନା ଅଛି। ୨୫ ତାରିଖ ବେଳକୁ ପଶ୍ଚିମ ଓଡ଼ିଶା ଓ ପାଖ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ। ୨୨ ତାରିଖ (ମଙ୍ଗଳବାର) ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଗଜପତି, ଗଞ୍ଜାମ,ପୁରୀ,ଖୋର୍ଦ୍ଧା ଓ ନୟାଗଡ଼ର ଗୋଟିଏ ଦୁଇଟି ଜାଗାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ।
ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଅଛି। ୨୩ ଓ ୨୪ରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୨୩ରେ କନ୍ଧମାଳ,ଗଜପତି,ଗଞ୍ଜାମ ଓ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାବେଳେ ଆଉ କେତେକ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ।
