ଉଦଳା (ବଡ଼ ଖବର ବ୍ୟୁରୋ):ଚାରିଆଡେ କୁଢ କୁଢ ଅଳିଆ । ଯୁଆଡେ ଚାହିଁବେ କେବଳ ଆବର୍ଜନାର ପାହାଡ । ଅଣ ଜୈବିକ ପ୍ରସ୍ତୁତି କେନ୍ଦ୍ରରେ ତାଲା । ପ୍ରକ୍ରିୟାକରଣ କେନ୍ଦ୍ର ନିଜେ ଏବେ ଅଣନିଶ୍ୱାସୀ । ଲକ୍ଷ ଲକ୍ଷ ଟଙ୍କାର ପ୍ରକଳ୍ପ ଏବେ ଅଚଳ । ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ । ଆମେ କହୁଛୁ ଉଦଳା ଏନଏସି ର ଅଣୁ ଜୈବିକ ପ୍ରସ୍ତୁତି କେନ୍ଦ୍ର କଥା । ଉଦଳା ଏନଏସି ର ୧୨ ଗୋଟି ୱାର୍ଡ ର ଅଳିଆ ଆବର୍ଜନା ଏହି ପ୍ରସ୍ତୁତି କେନ୍ଦ୍ରରେ ହିଁ ପଡିଥାଏ । ସକାଳ ଏବଂ ରାତିରେ ଏନଏସିରୁ ବାହାରୁଥିବା ସମସ୍ତ ଆବର୍ଜନା ଏହିଠାରେ ହିଁ ପକାଯାଇଥାଏ।
ଯାହାକୁ ପ୍ରକ୍ରିୟାକରଣ କରାଯାଇ ଅଣୁ ଜୈବିକ ପ୍ରସ୍ତୁତି କରାଯିବା କଥା। ହେଲେ ଏହି ପ୍ରସ୍ତୁତି କେନ୍ଦ୍ର ଭର୍ତ୍ତି ହୋଇ ଏବେ ଆବର୍ଜନା ଆସି ରାସ୍ତାରେ ପଡ଼ିଲାଣି। ଏପରିକି ଏହି ଅଣୁ ଜୈବିକ କେନ୍ଦ୍ର ଭିତରେ ସ୍ଥାନ ଫାଙ୍କା ଥିଲେ ସୁଦ୍ଧା ଆବର୍ଜନା ଏଣେ ତେଣେ ପକାଯାଉଛି। ଯାହା ଫଳରେ ଏହି କାର୍ୟ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଆବର୍ଜନାର ପାହାଡ଼ ଛିଡା ହୋଇଛି। ଅଣୁ ଜୈବିକ କେନ୍ଦ୍ର ଏବେ ସମ୍ପୂର୍ଣ୍ଣ ଭାବେ ଅଳିଆ ତଳେ ପୋତି ହୋଇଯିବା ଅବସ୍ଥାରେ। କେବଳ ସେତିକି ନୁହେଁ ଅଳିଆର ପାହାଡ଼ ଫଳରେ ପ୍ରସ୍ତୁତି କେନ୍ଦ୍ର ଭିତରୁ ଆବର୍ଜନା ବାହାରି ରାସ୍ତାରେ ପଡ଼ିଲାଣି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଲାଣି ।
ଯଦି ସାମାନ୍ୟ ବର୍ଷା ହୁଏ ତେବେ ଆବର୍ଜନାର ପ୍ରଳୟ ଆସି ଉଦଳା ଏନଏସିର ୯ ନମ୍ବର ୱାର୍ଡବାସିନ୍ଦା ଙ୍କ ଦୁଃଖ ବଢାଇଵା ସହିତ ଖଲାଡି ପଞ୍ଚାୟତ ର ଏକର ଏକର ଚାଷ ଜମି ମଧ୍ୟ ନଷ୍ଟ ହୋଇଯିବ। ସେପଟେ ଉଦଳା ଏନଏସି ନଗରପାଳିକାଙ୍କୁ ପଚାରିବାରୁ କହିଛନ୍ତି ପୂର୍ବରୁ ଅଣୁ ଜୈବିକ ପ୍ରସ୍ତୁତି କେନ୍ଦ୍ର ପାଚେରୀ ଭାଙ୍ଗିବା ଫଳରେ କେନ୍ଦ୍ର ଭିତରେ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି ।
ଯାହା ଫଳରେ ଆବର୍ଜନା ଗାଡି ଭିତରକୁ ଯାଇପାରୁନାହିଁ। ଏହା ସହିତ ଖୁବଶୀଘ୍ର ଆବର୍ଜନା ସବୁ ସଠିକ ସ୍ଥାନକୁ ସ୍ଥାନାନ୍ତର କରାଯିବ । ପ୍ରଶାସନ ସବୁ ଜାଣି ବି ନୀରବଦ୍ରଷ୍ଟା ସାଜିଥିବା ବେଳେ, କେବେ ହଟିବ ଏହି ଆବର୍ଜନାର ପାହାଡ଼? କେବେ ସଜାଡ଼ି ହେବ ଉଦଳା ଏନ୍ଏସିର ଏହି ପ୍ରକ୍ରିୟାକରଣ କେନ୍ଦ୍ର? ଏବେ ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ।
